ବନ୍ତଳା : କାଠ ଲଙ୍ଗଳରେ ଚାଷ କରିବା ଏତେ ସହଜ ନୁହେଁ। ଶୁଖିଲା ମାଟି ଫାଳ ଫାଳ କରିବା ପାଇଁ କଣ୍ଟି ଉପରେ ହାତ ରଖି ଯେପରି ବଳଦ ଅଡ଼ାଇବାକୁ ହୁଏ, ସେଥିରେ ଦଶଶିରା ଦୁହିଁ ହୋଇଯାଏ। ଏହିଭଳି ଝାଳବୁହା ପରିଶ୍ରମରେ ସେ ଦୁଇଏକର ଜମି ଚାଷକରି ପରିବାର ଚଳାଉଥିଲେ। ଦେଶୀ ନିର୍ଭେଜାଲ୍ ଖାଦ୍ୟ ଖାଉଥିଲେ। ତେଣୁ ଆଜି ବି ସୁସ୍ଥ ରହି ପାରିଛନ୍ତି ବୋଲି କହିଛନ୍ତି ଅନୁଗୁଳ ବ୍ଲକ୍ ବଡ଼କନ୍ତକୁଳ ପଞ୍ଚାୟତ ଜାମୁଗାଡ଼ିଆ ଗାଁର ନୀଳାଦ୍ରି ସେଠୀ।
Sambad is now on WhatsApp
Join and get latest news updates delivered to you via WhatsApp
ନୀଳାଦ୍ରିଙ୍କ ଜନ୍ମ ୧୯୨୭ ମସିହାରେ। ବୟସ ୯୬ ବର୍ଷ ଟପିବା ଉପରେ। ଏବେ ସେ ସକାଳୁ ବାଡ଼ିଖଣ୍ଡିଏ ଧରି ବୁଲି ବାହାରିପଡ଼ନ୍ତି। କୋଶେ ବାଟ ବୁଲି ଆସିଲେ ବେଶ୍ ଫୁର୍ତ୍ତି ଲାଗେ ବୋଲି ସେ କୁହନ୍ତି। ତାଙ୍କ ଯୁବାବସ୍ଥା କଥା ପଚାରିଲେ ଖୁବ୍ ଖୁସି ହୋଇଯାଆନ୍ତି। କହି ବସନ୍ତି ତାଙ୍କ ସମୟର ଚାଷବାସ କାହାଣୀ। ଚାଷ କରିବା ପାଇଁ ସେ ଗାଁ ଛାଡ଼ି କେଉଁଆଡ଼େ ଗଲେ ନାହିଁ। ପାରମ୍ପରିକ ପ୍ରଣାଳୀରେ ଧାନ, ମୁଗ, ବିରି, ମାଣ୍ଡିଆ, ବିଭିନ୍ନ ପନିପରିବା ସେ ଚାଷ କରୁଥିଲେ। ସେଥିରେ ସୁରୁଖୁରୁରେ ପରିବାର ଚଳୁଥିଲା। ଯୁବକ ଅବସ୍ଥାରେ ସେ ଦିନକୁ ଦୁଇମାଣ ଦେଶୀଗାଈର କ୍ଷୀର, ଚୁଡ଼ା, ମୁଢ଼ି, ମାଣ୍ଡିଆ, ସୁଆଁ, ସାରିଆ, ଜଙ୍ଗଲୀ ଫଳମୂଳ ଖାଉଥିଲେ। ପ୍ରତିଦିନ ରାତିରେ ଶୀଘ୍ର ଶୋଇବା ସହ ଭୋର ୪ଟାରୁ ଉଠୁଥିଲେ। ଏବେ ମଧ୍ୟ ତାଙ୍କର ସେହି ଅଭ୍ୟାସ ରହିଛି। ଦେଶୀ ଖାଦ୍ୟ ଓ ହାଡ଼ଭଙ୍ଗା ପରିଶ୍ରମ ଯୋଗୁଁ ସେ ଏବେ ବି ସୁସ୍ଥ ରହିଛନ୍ତି। ନୀଳାଦ୍ରି ଜଣେ ଦଣ୍ଡନୃତ୍ୟ କଳାକାର ଥିଲେ। ୫୦ ବର୍ଷ ତଳେ ସେ ଦଣ୍ଡନୃତ୍ୟରେ ବୀଣାକାର, ବାଈଧନ ପ୍ରଭୃତି ଚରିତ୍ରରେ ଅଭିନୟ କରୁଥିଲେ। ଏବେ ମଧ୍ୟ ସେ ଦଣ୍ଡନୃତ୍ୟର ଗୀତ ଗାଇପାରୁଛନ୍ତି।
ପୂର୍ବରୁ ଗାଁରେ ମିଳୁଥିବା ଖାଦ୍ୟ ଶରୀରକୁ ଶକ୍ତି ଯୋଗାଉଥିଲା। ଏବେ ଯେଉଁ ଖାଦ୍ୟ ମିଳୁଛି, ତାହା ଭେଜାଲ। ତେଣୁ ଲୋକେ ରୋଗାକ୍ରାନ୍ତ ଓ ଅଳ୍ପାୟୁ ହେଉଛନ୍ତି ବୋଲି ନୀଳାଦ୍ରି ପ୍ରକାଶ କରିଛନ୍ତି।
-ପ୍ରଭାତ ବେହେରା