ପୂଜା ପ୍ରସ୍ତୁତି: କୁଖ୍ୟାତ ଅପରାଧୀଙ୍କ ବିରୋଧରେ ଲାଗିବ ଏନ୍‌ଏସ୍‌ଏ

ସୋସିଆଲ୍‌ ମିଡିଆରେ ଧର୍ମ ବିରୋଧୀ ମନ୍ତବ୍ୟ ଉପରେ ନଜର

କଟକ : ରାଜ୍ୟରେ ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀଙ୍କୁ ଏନ୍‌ଏସ୍‌ଏ(ନ୍ୟାସ୍‌ନାଲ୍‌ ସିକ୍ୟୁରିଟି ଆକ୍ଟ)ରେ ବୁକ୍‌ କରାଯିବ। ସିଆର୍‌ପିସିର ଧାରା ୧୧୦ ଆଧାରରେ ପେଶାଦାର ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯିବ। ପୂଜା ସମୟରେ ସୋସିଆଲ୍‌ ମିଡିଆରେ କୌଣସି ଧର୍ମ ବିରୋଧୀ ମନ୍ତବ୍ୟ କିମ୍ବା ଫଟୋ ଯେଭଳି ପୋଷ୍ଟ କରାନଯାଏ, ସେଥି ପ୍ରତି କଡ଼ା ନଜର ରଖାଯିବ। ସାମ୍ପ୍ରଦାୟିକ ଦଂଗା ପରିସ୍ଥିତି ଏଡ଼ାଇବା ପାଇଁ ତୁରନ୍ତ ଏ ପ୍ରକାର ପୋଷ୍ଟ ସୋସିଆଲ୍‌ ମିଡିଆରୁ ହଟାଇବା ସମ୍ପର୍କରେ ଆଜି ରାଜ୍ୟ ପୁଲିସ ଡିଜି ଡାକ୍ତର ଆର୍‌.ପି. ଶର୍ମା ଜିଲ୍ଲା ଏସ୍‌ପି/ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଆଗକୁ ବିଶ୍ୱକର୍ମା ପୂଜା, ଦୁର୍ଗାପୂଜା, କାଳୀପୂଜା, କାର୍ତ୍ତିକ ପୂର୍ଣ୍ଣମୀ, ବାଲିଯାତ୍ରା ଆସୁଥିବାରୁ ଏସବୁ କିଭଳି ଶୃଙ୍ଖଳିତ ଢଂଗରେ ପାଳନ କରାଯିବ, ସେ ନେଇ ଡିଜିପି ଏକ ପରାମର୍ଶବଳୀ ଜାରି କରିଛନ୍ତି। ଜିଲ୍ଲା ପୁଲିସ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶକ୍ତି ପୀଠରେ ବଳି ବ୍ୟବସ୍ଥା, ୬୦ ଡେସିବେଲ୍‌ରୁ ଅଧିକ ସ୍ୱରରେ ଡାକବାଜି ଯନ୍ତ୍ର ବ୍ୟବହାର ଏବଂ ସାମ୍ପ୍ରଦାୟିକ ଦଂଗା ସୃଷ୍ଟି ହେଉଥିବା ଜିଲ୍ଲାରେ ପୁଲିସ ଉପଯୁକ୍ତ ଢଂଗରେ ସ୍ଥିତିର ମୁକାବିଲା କରିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ସେପ୍ଟେମ୍ବର ୨୧ ତାରିଖରେ ସଂଖ୍ୟାଲଘୁ ସମ୍ପ୍ରଦାୟର ମହରମ୍‌ ପର୍ବ ପାଳନ ହେଉଥିବା ବେଳେ ସେଦିନ ରାଜ୍ୟର ଅନେକ ସ୍ଥାନରେ ଗଣେଶ ପୂଜା ଓ ବିଶ୍ୱକର୍ମା ପୂଜା ଭସାଣି ଉତ୍ସବ ଅନୁଷ୍ଠିତ ହେବ। ସେହିପରି ଆସନ୍ତା ଅକ୍ଟୋବର ୧୯ ତାରିଖରେ ବିଜୟାଦଶମୀ ଏବଂ ଆର୍‌ଏସ୍‌ଏସ୍‌ (ରାଷ୍ଟ୍ରୀୟ ସ୍ୱୟଂ ସେବକ)ର ପ୍ରତିଷ୍ଠା ଦିବସ ପାଳିତ ହେବ। ସଂଯୋଗ ବଶତଃ ଗୋଟିଏ ଦିନରେ ଏକାଧିକ ପର୍ବ ଆୟୋଜିତ ହେଉଥିବାରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି।

ସେହିଭଳି ଅପରାଧୀଙ୍କ ବିରୋଧରେ ପଡ଼ି ରହିଥିବା ମାମଲାରେ ତୁରନ୍ତ ଗିରଫଦାରୀ, ଓ୍ଵାରେଣ୍ଟ ଥିବା ଅପରାଧୀ ଏବଂ ବନ୍ଧୁକ କାରବାରରେ ସମ୍ପୃକ୍ତ ଅପରାଧୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ ମଦ କାରବାର କରୁଥିବା ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ଭଙ୍ଗ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ସିଆର୍‌ପିସିର ଧାରା ୧୦୭ରେ ମାମଲା ରୁଜୁ କରାଯିବାକୁ କୁହାଯାଇଛି। ପୁଲିସ ଯେତେବେଳେ ମେଢ଼ କିମ୍ବା ଭସାଣି ପାଇଁ ଲାଇସେନ୍ସ ଦେବ, ସେ ସମୟରେ ୩୦ ପୁଲିସ ଆକ୍ଟ ଏବଂ ଓଡ଼ିଶା ଫାୟାର ଓ୍ଵାର୍କ, ଲାଉଡ୍‌ ସ୍ପିକର୍‌ ଆକ୍ଟରେ ଥିବା ନିୟମ ପାଳନ କରିବା ଜରୁରୀ। ସମସ୍ତ ଭସାଣି ଗୋଟିଏ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ପର୍ଯ୍ୟାପ୍ତ ପୁଲିସ ଫୋର୍ସ ନିୟୋଜନ କରାଯିବ। ପୂଜା ପୂର୍ବରୁ ଶାନ୍ତି କମିଟି ଗଠନ କରାଯାଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଏହାର ସମାଧାନ କ୍ଷେତ୍ରରେ ପଦକ୍ଷପ ଗ୍ରହଣ କରିବ ପୁଲିସ। ଜିଲ୍ଲାସ୍ତରରେ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରାଯାଇ ଆଗୁଆ ତଥ୍ୟ ସଂଗ୍ରହ କରାଯିବ। ପାର୍ବଣ ସମୟରେ କୌଣସି ଜରୁରୀ ପରିସ୍ଥିତି ସୃଷ୍ଟି ହେଲେ ଜିଲ୍ଲା ଏସ୍‌ପି/ଡିସିପି ବିଳମ୍ବ ନକରି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ଡିଜିପି ଡାକ୍ତର ଆର୍‌.ପି. ଶର୍ମା ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର