ହାର୍ଡକୋର୍ ମାଓବାଦୀ ଗିରଫ : ଆନ୍ଧ୍ର ବିଧାୟକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲା, ଏନ୍‌ଆଇଏକୁ ହସ୍ତାନ୍ତର ହେବ

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ହାତିବାରି ପଂଚାୟତର ତତ୍କାଳୀନ ସରପଂଚ ଜଗନ୍ନାଥ ଖରା ହତ୍ୟା ଘଟଣାରେ ସମ୍ପୃକ୍ତ ମାଓବାଦୀକୁ ଜିଲ୍ଲା ପୁଲିସ୍‌ ଗିରଫ କରିଛି। ଗିରଫ ମାଓବାଦୀ ପାଡ଼ୁଆ ଥାନା ଅନ୍ତର୍ଗତ ତଳକୋଣ୍ତାପାଲି ଗ୍ରାମର ଜୟରାମ ଖିଲ ସୂଚନା ମିଳିଛି। ସେ ନନ୍ଦପୁର ଏରିଆ କମିଟିର ସକ୍ରିୟ ସଦସ୍ୟ ରହିଥିଲା। ଏହାବ୍ୟତୀତ ଅନ୍ୟ କେତେକ ହିଂସାକାଣ୍ଡରେ ବି ଜୟରାମ ସଂପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୂଚନା ଅନୁଯାୟୀ, ୨୦୧୭ ଅଗଷ୍ଟ ୮ତାରିଖ ରାତିରେ ମାଓବାଦୀ ହାତିବାରି ଗାଁରେ ପହଞ୍ଚିଥିଲେ। ତତ୍କାଳୀନ ସରପଞ୍ଚ ଜଗନ୍ନାଥ ଖରାଙ୍କୁ ଘରୁ ବାହାର କରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ସେହିପରି ଗୋଟିଏ କମାଣ୍ଡର, ମୋଟର ସାଇକଲ ଏବଂ ଟ୍ରାକ୍ଟରକୁ ବି ପୋଡ଼ି ଦେଇଥିଲେ। ଏହି ଘଟଣାରେ ପାଡ଼ୁଆ ପୁଲିସ କେଶ୍ ନଂ-୬୮/୧୭ରେ ଜୟରାମ ଓ ଅନ୍ୟ ମାଓବାଦୀଙ୍କ ନାଁରେ ମାମଲା କରିଥିଲା। ତେବେ ଫେରାର ଥିବା ଜୟରାମକୁ ପୁଲିସ ସେତେବେଳେ ଗିରଫ କରିପାରି ନଥିଲା। ଗତକାଲି ଜୟରାମ ଗାଁରେ ଥିବା ନେଇ ପୁଲିସ ସୂଚନା ପାଇଥିଲା।

ଏହାପରେ ପୁଲିସର ଗୋଟିଏ ଟିମ୍ ଆତର୍କିତ ଚଢ଼ାଉ କରି ତାକୁ ଗିରଫ କରିଥିବା ଏସପି ଡା. କନୱାର ବିଶାଲ ସିଂହ ସୂଚନା ଦେଇଛନ୍ତି। ସେହିପରି ଜୟରାମ ବିରୋଧରେ ପାଡ଼ୁଆ ଥାନାରେ ଆଉ ଗୋଟିଏ ମାମଲା ରହିଛି ବୋଲି ଏସ୍‌ପି କହିଛନ୍ତି। ଏହାବ୍ୟତୀତ ତେଲୁଗୁ ଦେଶମ୍ ପାର୍ଟି ଆରୁକୁ ବିଧାୟକ କେ. ସର୍ବେଶ୍ବର ରାଓ ଏବଂ ପୂର୍ବତନ ବିଧାୟକ ସିବେରୀ ସୋମଙ୍କ ହତ୍ୟାକାଣ୍ତରେ ମଧ୍ୟ ହାର୍ଡକୋର୍ ମାଓବାଦୀ ଜୟରାମ ଖିଲର ସମ୍ପୃକ୍ତ ଥିବା ଜଣାପଡ଼ିଛି। ଏହି ଘଟଣାରେ ମଧ୍ୟ ଜୟରାମ ସମ୍ପୃକ୍ତ ଥିବା ସନ୍ଦେହ କରି ଘଟଣାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ କୋରାପୁଟ ପୁଲିସ ସୂଚନା ଦେଇଛି। ଜୟରାମକୁ ପାଡୁଆ ପୁଲିସ୍‌ କୋର୍ଟ ଚାଲାଣ କରିଥିବା ବେଳେ ଏନଆଇଏ ଟିମ୍ କୋରାପୁଟରେ ପହଞ୍ଚି ରିମାଣ୍ତରେ ନେବା ପାଇଁ କୋର୍ଟରେ ଆବେଦନ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର