ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଜଣେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଓ ତାଙ୍କର ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ରାଜେଶ ପଣ୍ଡିତ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ଗିରଫ ମହିଳା ମାଓବାଦୀଙ୍କ ନାମ ପଜେ ମାଣ୍ଡଭି (ଅନୀତା)। ଅନ୍ୟପକ୍ଷରେ ସହଯୋଗୀଜଣକ ହେଲେ ସମୁଦ୍ର ବାଗ। ଆଜି ଭୋର ୫ଟା ସମୟରେ ଉଭୟଙ୍କୁ ଗିରଫ କରାଯାଇଛି।
ପଜେ ନୂଆପଡ଼ା ମେନପୁର ଡିଭିଜନ ଏରିଆ କମିଟିର ସଦସ୍ୟ ଅଛନ୍ତି। ସେ ଗତ ୧୦ ବର୍ଷ ହେଲା ମାଓବାଦୀ ସଂଗଠନ ସହ ଜଡ଼ିତ ଅଛନ୍ତି। ତାଙ୍କର ଘର ଛତିଶଗଡ଼ର ସୁକୁମାରେ। ରାଇଘର ବ୍ଲକ ହାତୀଗାଁ ରିଜର୍ଭ ଫରେଷ୍ଟରେ ବୁଲୁଥିବା ବେଳେ ତାଙ୍କୁ ସର୍ଚ୍ ଅପରେସନ୍ ସମୟରେ ପୁଲିସ ଧରିଥିଲା। ଅନୀତା ଦୀର୍ଘଦିନ ଧରି ଅସୁସ୍ଥ ଥିବା ହେତୁ ଡାକ୍ତରଖାନାରେ ଚିକିତ୍ସା କରୁଥିଲେ। ଏ ନେଇ ଖବର ପାଇବା ପରେ ଦୀର୍ଘ ଦିନ ଧରି ତାଙ୍କୁ ଧରିବା ଲାଗି ପୁଲିସ ଜାଲ ବିଛାଇଥିଲା।
ବିଭିନ୍ନ ଥାନାରେ ପଜେଙ୍କ ନାଆଁରେ ମାମଲା ରହିଛି। ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ମାଓ ଗତିବିଧିରେ ତାଙ୍କର ସକ୍ରିୟ ଭୂମିକା ଥିବା ଜଣାଯାଇଛି। ମାଓ ପୋଷ୍ଟର ଲଗାଇବା ପଛରେ ତାଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଡିଆଇଜି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି। ଏହାପରେ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଡିଆଇଜି କହିଛନ୍ତି। ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ଏସ୍. ସୁଶ୍ରୀ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।