ହାର୍ଡକୋର୍‌ ମାଓବାଦୀ ସମେତ ୫ଗିରଫ

କୋରାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡରେ ଅବସ୍ଥାପିତ ସୀମା ସୁରକ୍ଷା ବଳ (ବିଏସଏଫ) ଆଜି ଅପରାହ୍ନରେ ଜଣେ ହାର୍ଡକୋର ମାଓବାଦୀ ସମେତ ୪ଜଣ ମିଲିସିଆଙ୍କୁ ଗିରଫ କରିଛି। ଗିରଫ ହାର୍ଡକୋର ମାଓବାଦୀ ହେଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଚେଲପଦର ପଂଚାୟତ ଆନ୍ଧ୍ରାପାଲୀ ଗ୍ରାମର ରାମ ପାଙ୍ଗି(୨୨)। ରାମ ପାଙ୍ଗି ଆନ୍ଧ୍ର- ଓଡିଶା ବୋର୍ଡର ସ୍ପେସିଆଲ ଜୋନାଲ କମିଟି ଏଓବିଏସଜଡେସି) ଅଧୀନ ମାଲକାନଗିରି-କୋରାପୁଟ-ବିଶାଖା ବୋର୍ଡର (ଏମକେଭିବି)ର ଗୁମା ଏରିଆ କମିଟିର ଜଣେ ପ୍ରମୁଖ ସଦସ୍ୟ ଥିଲା। ଏହି ହାର୍ଡକୋର ମାଓବାଦୀ ନାମରେ ଓଡିଶା ସରକାର ଏକ ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ।

ଆଜି ସକାଳେ ମାଛକୁଣ୍ଡ ଥାନା ହନୁମାଳ ଗ୍ରାମରେ ମାଓବାଦୀ ପଶି ଗ୍ରାମବାସୀଙ୍କ ଉପରେ ଅତ୍ୟା କରୁଥିବା ନେଇ ବିଏସଏଫ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଏହାପରେ ମାଛକୁଣ୍ଡ ଠାରେ କ୍ୟାମ୍ପ କରିଥିବା ବିଏସଏଫ ଯବାନ ଚଢ଼ାଉ କରିଥିଲେ। ଚାରି ପଟୁ ବିଏସଏଫ ଘେରି ରହିବାରୁ ରାମ ପାଙ୍ଗି ସମେତ ଅନ୍ୟ ୪ଜଣ ମିଲିସିଆ ଖସିବାକୁ ବାଟ ପାଇ ନଥିଲେ। ଗିରଫ ମାଓବାଦୀଙ୍କୁ ବିଏସ୍‌ଏଫ୍‌ କ୍ୟାମ୍ପକୁ ନେଇ ପଚରାଉଚୁରା କରାଯାଉଛି। ସେହିପରି ନୟନା ଖୀଲ ନାମ୍ନୀ ଜଣେ ମହିଳା ହାର୍ଡକୋର ମାଓବାଦୀ ବିଏସଏଫ ନିକଟରେ ଆତ୍ମସମର୍ପଣ କରିଥିବା ବିଏସ୍‌ଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର