ହାର୍ଡକୋର୍ ନକ୍ସଲ ଆଲିନ୍ଦରର ଆତ୍ମସମର୍ପଣ : ୧୩ ବର୍ଷ ଧରି ସକ୍ରିୟ ଥିଲା, ରାଉରକେଲା ପୁଲିସ ଜିଲ୍ଲାରେ ୩ ମାମଲା, ମୁଣ୍ଡରେ ଥିଲା ୪ ଲକ୍ଷ ଟଙ୍କା ପୁରସ୍କାର

ରାଉରକେଲା : ସମ୍ବଲପୁର-ଦେବଗଡ଼-ସୁନ୍ଦରଗଡ଼ ଡିଭିଜନ୍‌ରେ ବେଶ୍‌ ସକ୍ରିୟ ଥିବା ତଥା ନକ୍ସଲ ଏରିଆ କମାଣ୍ଡର ମଙ୍ଗଳ ସିଂ ମୁଣ୍ଡା ଓରଫ୍‌ ଆଲିନ୍ଦର (୨୦) ଆଜି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ରାଉରକେଲା-ସମ୍ବଲପୁର ପୁଲିସ ନିକଟରେ ଏହି ଦୁର୍ଦ୍ଦାନ୍ତ ଆଲିନ୍ଦର ଆତ୍ମସମର୍ପଣ କରିଛି। ସଂପ୍ରତି ରାଉରକେଲା ଓ ସମ୍ବଲପୁର ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରୀ ଫୋର୍ସ (ଡିଭିଏଫ୍‌) ପକ୍ଷରୁ ମିଳିତଭାବେ କମ୍ବିଂ ଅପରେସନ କରାଯାଉଛି। ଗୁରୁଣ୍ଡିଆ ଥାନା ଅନ୍ତର୍ଗତ କେଲୋ ସଂରକ୍ଷିତ ଜଙ୍ଗଲରେ ଅପରେସନ ଚାଲୁଥିବାବେଳେ ଦୁର୍ଦ୍ଦାନ୍ତ ଆଲିନ୍ଦର ପୁଲିସ ନିକଟରେ ସମର୍ପଣ କରିଥିଲା। ପୁଲିସର ବ୍ୟାପକ କମ୍ବିଂ ଯୋଗୁଁ ଜୀବନ ହରାଇବା ଭୟ ସାଙ୍ଗକୁ ନକ୍ସଲ ଷ୍ଟେଟ୍‌ କମିଟି ସଦସ୍ୟ ଅନମୋଲର ଅତ୍ୟାଚାରରେ ଅତିଷ୍ଠ ହୋଇ ଆତ୍ମସମର୍ପଣ କରିଥିବା ଆଲିନ୍ଦର ସ୍ବୀକାର କରିଛି। ଆଲିନ୍ଦର ନାଁରେ ରାଉରକେଲା ପୁଲିସ ଜିଲ୍ଲାର କେ.ବଲାଙ୍ଗ ଥାନାରେ ଗୋଟିଏ ମାମଲା (କେସ୍‌ ନମ୍ବର-୪୮,୯.୭.୨୦୧୬) ଓ ଗୁରୁଣ୍ଡିଆ ଥାନାରେ ୨ଟି ( କେସ୍‌ ନମ୍ବର-୨୧, ୨୪.୬.୨୦୧୬ ଏବଂ କେସ୍‌ ନଂ-୨୨, ୨୯.୬.୨୦୧୬), ମୋଟ୍‌ ୩ଟି ମାମଲା ରହିଛି। ଦାଦାବଟି ଆଦାୟ, ବିସ୍ଫୋରଣ, ପୁଲିସ ଉପରକୁ ଗୁଳିଚାଳନା ଆଦି ବିଭିନ୍ନ ଘଟଣାରେ ସାମିଲ ଥିଲା। ଏତଦ୍‌ବ୍ୟତୀତ ଅନୁଗୁଳ ପୁଲିସ ଜିଲ୍ଲାରେ ୩ଟି ମାମଲାରେ ଜଡ଼ିତ ଥିଲା। ଆଲିନ୍ଦର ସୁନ୍ଦରଗଡ଼ ଜିଲ୍ଲା ସମେତ ଅନୁଗୁଳ, ଦେବଗଡ଼, ସମ୍ବଲପୁର ଜିଲ୍ଲାରେ ବେଶ୍‌ ସକ୍ରିୟ ଥିଲା। ଦୁର୍ଦ୍ଦାନ୍ତ ଆଲିନ୍ଦର ନାଁରେ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।

ଝାଡ଼ଖଣ୍ଡ ରାଞ୍ଚି ଜିଲ୍ଲା ତାମଡ଼ା ଥାନା ଅନ୍ତର୍ଗତ ବାଗୋଇ ଗ୍ରାମର ଆଲିନ୍ଦର ମାତ୍ର ୭ ବର୍ଷ ବୟସରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲା। ନକ୍ସଲ କମାଣ୍ଡର କୁନ୍ଦନ ପୁହାଣ ଗ୍ୟାଙ୍ଗ୍‌ର ସଦସ୍ୟ କିଶୋର ୨୦୦୭ ମସିହାରେ ଆଲିନ୍ଦରକୁ ତା’ ଗାଁରୁ ଅପହରଣ କରି ସଂଗଠନରେ ଜୋରଜବରଦସ୍ତ ସାମିଲ କରିଥିଲା। ପରେ ଗ୍ୟାଙ୍ଗ୍‌ର ମାରଣାସ୍ତ୍ର ପ୍ରଶିକ୍ଷକ ସନ୍ଦୀପ ଓ ପ୍ରଶାନ୍ତଙ୍କ ନେତୃତ୍ବରେ କୋଲହାନ, ସରଣ୍ଡା ଜଙ୍ଗଲରେ ବନ୍ଧୁକ ଚାଳନା ତାଲିମ ନେଇଥିଲା। ସେ ୨୦୧୨ ପର୍ଯ୍ୟନ୍ତ ବୁଣ୍ଡୁ, ଚାଣ୍ଡିଲ, କୋଲହାନ ଓ ସରଣ୍ଡା ଜଙ୍ଗଲରେ ବେଶ୍‌‌ ସକ୍ରିୟ ରହିଥିଲା। ବନ୍ଧୁକ ଚାଳନା, ବ୍ଲାଷ୍ଟିଂ କରିବାରେ ସିଦ୍ଧହସ୍ତ ଆଲିନ୍ଦର ବହୁ କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ଅତି ଅନ୍ତରଙ୍ଗ ପାଲଟିଯାଇଥିଲା। ଏମିତିକି ସେ କେନ୍ଦ୍ରୀୟ କମିଟି ସଦସ୍ୟ ମିଶୀର ବେଶ୍ରାର ବଡିଗାର୍ଡଭାବେ ମଧ୍ୟ ବେଶ୍‌ କିଛି ଦିନ ଧରି କାମ କରିଥିଲା। ପରେ, ୨୦୧୩ ମସିହାରେ ସମ୍ବଲପୁର-ଦେବଗଡ଼-ସୁନ୍ଦରଗଡ଼ ଡିଭିଜନ୍‌ କମାଣ୍ଡର ଅନମୋଲ ଗ୍ୟାଙ୍ଗରେ ସାମିଲ ହୋଇ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବେଶ କରିଥିଲାବୋଲି ରାଉରକେଲା ଏସ୍‌ପି କେ. ଶିବା ସୁବ୍ରମଣୀ ଓ ସମ୍ବଲପୁର ଏସ୍‌ପି ଡ. କୁୱଁର ବିଶାଳ ସିଂ ଆଜି ରାଉରକେଲା ଜିଲ୍ଲା ପୁଲିସ ମୁଖ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର