ହାର୍ଦିକ ଅପହରଣ: ୨୦ ଦିନ ପରେ ପରଦା ହଟିଲା; ଛାତ୍ର ବିଜେଡି ସଭାପତି ମାଷ୍ଟରମାଇଣ୍ଡ୍

ଟଙ୍କା ପାଇଁ କରିଥିଲେ ଯୋଜନା, ୮ ଗିରଫ, କାର୍ ସମେତ ୫ ବାଇକ୍, ୨.୨୧ ଲକ୍ଷ ଟଙ୍କା ଜବତ

କାଶୀନଗର : ଗତ ଡିସେମ୍ବର ୧୬ ତାରିଖରେ ଗଜପତି ଜିଲ୍ଲା କାଶୀନଗରର ବହୁଚର୍ଚ୍ଚିତ କାଜୁ ବ୍ୟବସାୟୀ ଜେ.ଗୋପୀଙ୍କ ପୁଅ ହାର୍ଦ୍ଦିକର ଅପହରଣ ଘଟଣା ଉପରୁ ୨୦ ଦିନ ପରେ ପରଦା ଉଠିଛି। ଏଥିରେ ସଂପୃକ୍ତ ୮ଜଣଙ୍କୁ ଗିରଫ କରାଯାଇଛି। ଅପହରଣକାରୀମାନେ ହେଲେ, କାଶୀନଗର କାରିମି ଚୈତନ୍ୟ ଓ ଗୁନାପୁ କଲ୍ୟାଣ କୁମାର। ଚୈତନ୍ୟ ହେଉଛନ୍ତି କାଶୀନଗର ଏନ୍‌ଏସି ଛାତ୍ର ବିଜେଡି ସଭାପତି ଓ ସେ ହିଁ ଏହି ଘଟଣାର ମାଷ୍ଟରମାଇଣ୍ଡ୍ ବୋଲି ତଦନ୍ତରୁ ଜଣାପଡ଼ିଛି। ସେମାନଙ୍କୁ କଲା ଗ୍ରାମର ପ୍ରଶାନ୍ତ ଲିମା, ବିନୋଦ ଲିମା, ରବି ମାଛ, ପୂର୍ଣ୍ଣଚନ୍ଦ୍ର ସୌରା ଓ ହରିପୁର ଗ୍ରାମର ଜାକବ ମିଶାଲ ସହଯୋଗ କରିଥିଲେ। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କଠୁ ୨ଲକ୍ଷ ୨୧ହଜାର ୨୦୦ ଟଙ୍କା ସମେତ ଏକ କାର୍, ୫ଟି ବାଇକ୍, ୮ଟି ମୋବାଇଲ୍, ୨ଟି ନିଶ୍ଚେତକ ଔଷଧ ବୋତଲ, ଗୋଟିଏ ରୁମାଲ୍ ଓ ଗୋଟିଏ ଚେନ୍ ଲାଗିଥିବା ତାଲା ଜବତ ହୋଇଛି। ଏ ନେଇ କେସ୍ ନମ୍ବର ୧୨୨/୨୦ ଧାରା ୩୬୩/୩୪ /୧୬/୧୨/୨୦୨୦ ମାମଲା ରୁଜୁ ହୋଇଥିବା ଗଜପତି ଏସ୍‌.ପି.ତପନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର