ସବୁ ସଂପ୍ରଦାୟ ମଜବୁତ ହେଲେ ଦେଶ ମଜବୁତ ହେବ: ହାର୍ଦ୍ଦିକ

ବାରିପଦାରେ କୁଡୁମି ସଂପ୍ରଦାୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ନିଜ ମତ ରଖିଛନ୍ତି ଗୁଜରାଟ ପଟିଦାର ଆନ୍ଦୋଳନର ଯୁବ ନେତା ହାର୍ଦ୍ଦିକ ପଟେଲ। ବାଲେଶ୍ୱରରେ ତାଙ୍କୁ ସାକ୍ଷାତ କରିଥିଲେ ଅବିନାଶ ମହାପାତ୍ର।
ପ୍ରଶ୍ନ: ଆପଣଙ୍କ ଓଡ଼ିଶା ଆଗମନର କାରଣ କଣ? କୁଡୁମି ସେନାକୁ ଆପଣ ସମର୍ଥନ କରୁଛନ୍ତି କି?
ଉତ୍ତର: ମୁଁ କୁଡୁମୀ ସେନାକୁ ସମର୍ଥନ କରି ଏଠାକୁ ଆସିନାହିଁ। ବରଂ ମୋ ଭାଇ ମାନଙ୍କ ପାଇଁ ଆସିଛି। ଆମେ ଏ ଦେଶର ମୂଳ ନିବାସୀ। ୧୯୫୭ ପରେ ଆମଠାରୁ ଏସ୍‌ଟି ମାନ୍ୟତା ଛଡ଼ାଇ ନିଆଗଲା। ବିଶେଷ କରି ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡରେ କୁଡୁମି, ମହନ୍ତ ସଂପ୍ରଦାୟର ଅନେକ ଲୋକ ଅଛନ୍ତି। ସେପଟେ ଗୁଜରାଟରେ କୁରମି, ଗୁଜ୍ଜର, ଜାଠ୍‌ ଓ ପଟିଦାର ଅଛନ୍ତି। ଏମାନେ ମାଟି ସହ ଜଡ଼ିତ ମଣିଷ। ଏମାନଙ୍କୁ ସୁବିଧା ସୁଯୋଗ ଦିଆଯାଉନାହିଁ। ଏଥିପାଇଁ ଅଧିକାର ରାଲି ମାଧ୍ୟମରେ ଆମେ ଆମର ଦାବି ରଖୁଛୁ।
ପ୍ରଶ୍ନ: ଓଡ଼ିଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପର୍କରେ କ’ଣ କହିବେ ?
ଉତ୍ତର: ନବୀନ ପଟ୍ଟନାୟକ ସରକାର ଏଠାରେ ୧୭ ବର୍ଷ ଧରି ଶାସନ କରୁଛି। ମୋର ତାଙ୍କ ବିଷୟରେ ବେଶି କିଛି କହିବାର ନାହିଁ। ପ.ବଙ୍ଗରେ ମମତା ବାନାର୍ଜୀ ସରକାର ଯେଭଳି ମାହତୋ ମାନଙ୍କୁ ଏସ୍‌ଟି ମାନ୍ୟତା ଦେବାପାଇଁ କେନ୍ଦ୍ରକୁ ସୁପାରିସ୍‌ କରିଛନ୍ତି ଓଡ଼ିଶା ସରକାର ସେଭଳି କରି ନିଜ ଦାୟିତ୍ୱ ପୂରା କରନ୍ତୁ। ଏହାପରେ କେନ୍ଦ୍ର ସରକାର ଯାହା କରିବେ ଆମେ ତାକୁ ମାନିନେବୁ। ଆସନ୍ତା କାଲି ଦେଖା କରିବାକୁ ନବୀନ ପଟ୍ଟନାୟକଙ୍କୁ ସମୟ ମାଗିଛି। ଆଶା କରେ ତାଙ୍କ ସହ ଦେଖାହେବ ଓ ସେ ଥରଟିଏ ସୁପାରିସ୍‌ କରିବାକୁ ନିବେଦନ କରିବି।
ପ୍ରଶ୍ନ: ଆପଣ ପ୍ରଥମେ କହିଲେ ଶିବସେନାକୁ ସମର୍ଥନ କରିବେ। ପରେ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କଲେ। ବାସ୍ତବରେ ଆପଣ କେଉଁ ଦଳ ପାଇଁ କାମ କରୁଛନ୍ତି ?
ଉତ୍ତର: ମୁଁ କୃଷକଙ୍କ ପାଇଁ କାମ କରୁଛି। ମହାରାଷ୍ଟ୍ରରେ ମରାଠୀ ସଂପ୍ରଦାୟକୁ ଆରକ୍ଷଣ ମିଳିବା ଦରକାର। ଜଣେ ନେତାଙ୍କୁ ସାକ୍ଷାତ କରିବାର ଅର୍ଥ ନୁହେଁ କି କୌଣସି ପାର୍ଟିକୁ ସମର୍ଥନ ଦେବା ବା ତାଙ୍କ ପାଇଁ କାମ କରିବା। ମୁଁ କାହା ସହିତ ବି ମିଶି ପାରିବି। କିନ୍ତୁ ଆତଙ୍କବାଦୀଙ୍କ ସହ ନୁହେଁ। ମୁଁ ଭଲ ଲୋକଙ୍କ ସହ ମିଶୁଛି। ରାତି ୧୨ଟାରେ ନଓ୍ଵାଜ ସରିଫଙ୍କୁ ସାକ୍ଷାତ କରୁନାହିଁ ।
ପ୍ରଶ୍ନ: ଆପଣ ଜାତିବାଦ ଓ ଆରକ୍ଷଣକୁ ନେଇ ଆନ୍ଦୋଳନ ଜାରି ରଖିବେ ନା ସିଧାସଳଖ ନିର୍ବାଚନ ଲଢିବେ? ଆଉ କିଛି ଯୋଜନା ଅଛି କି?
ଉତ୍ତର: ଯେମିତି ପିଲା ଶିକ୍ଷିତ ହେଲେ ଦେଶ ଶିକ୍ଷିତ ହେବ। ସେମିତି ସବୁ ସଂପ୍ରଦାୟର ଲୋକେ ମଜବୁତ ହେଲେ ଦେଶ ମଜବୁତ ହେବ। ଆମ ଦେଶର ଗଠନ ଜାତି ଭିତ୍ତିରେ ହୋଇଛି। ସମସ୍ତଙ୍କ ନାମ ପଛରେ ସାଙ୍ଗିଆରେ ଜାତି ଲେଖା ହୋଇଛି। ତେଣୁ ଜାତିଗୁଡିକ ସଶକ୍ତ ହେବା ଦରକାର।
ପ୍ରଶ୍ନ: ଆପଣ ଗରିବ ଲୋକଙ୍କ ପାଇଁ କମ୍‌, ଜାତିବାଦ ପାଇଁ ଅଧିକ ଲଢେଇ କରୁଥିବା ଆରୋପ ରହିଛି?
ଉତ୍ତର: ମୁଁ ଏମିତି କହିନି ଯେ ପଟେଲଙ୍କୁ କେବଳ ରୋଜଗାର ଦିଅ, ଆଉ କାହାକୁ ଦିଅନାହିଁ। ସବୁ କୃଷକଙ୍କୁ ସୁବିଧା ମିଳୁ ବୋଲି କହିଛି। କହିଛି ଯୁବକଙ୍କୁ ରୋଜଗାର ଦିଅ। ସବୁ ଯୁବକ ହିନ୍ଦୁସ୍ଥାନର ଯୁବକ।
ପ୍ରଶ୍ନ: ଆପଣଙ୍କୁ ଲାଗୁଛି କି ବର୍ତମାର ଛାତ୍ରଛାତ୍ରୀମାନେ ରାଜନୈତିକ ଦଳର ଅଧିକ ଶିକାର ହେଉଛନ୍ତି?
ଉତ୍ତର: ସବୁ ଛାତ୍ର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ହୋଇପାରିବେ ନାହିଁ। ମାତ୍ର ସବୁ ପ୍ରଧାନମନ୍ତ୍ରୀ ଓ ସବୁ ରାଷ୍ଟ୍ରପତି ଜଣେ ଜଣେ ଛାତ୍ର। ଆଜି ଦେଶରେ ଯଦି କେହି ଛାତ୍ର ନିଜର ସ୍ୱର ଉତ୍ତୋଳନ ପାଇଁ ଚାହୁଁଛି, ତେବେ କୌଣସି ସରକାର ଏହାକୁ ଦବାଇ ପାରିବ ନାହିଁ। କାରଣ ଆମ ଦେଶ ଏକ ଗଣତାନ୍ତ୍ରିକ ରାଷ୍ଟ୍ରା ଏଭଳି କରିବାକୁ କାହାକୁ ମଧ୍ୟ ଅଧିକାର ଦିଆଯାଇ ନାହିଁ।
ପ୍ରଶ୍ନ: ୨୦୧୯ରେ ଆଞ୍ଚଳିକ ଦଳର ସ୍ଥିତିକୁ କିଭଳି ଦେଖୁଛନ୍ତି?
ଉତ୍ତର: ଆଞ୍ଚଳିକ ଦଳର ଅନେକ ଦାୟିତ୍ୱ ରହିଛି। ବିଜେଡି ଓଡ଼ିଶାରେ ମଜବୁତ୍‌ ଅଛି। ଏବେ ବିଜେପି କହୁଛି ଯେତେ ଭଲ କାଦୁଅ ହେବ ପଦ୍ମ ସେତେ ଭଲ ଫୁଟିବ। ତେଣୁ ଏଥିରୁ ସ୍ପଷ୍ଟ, ଆଞ୍ଚଳିକ ଦଳଙ୍କ ସ୍ଥିତି ଭଲ। ଲୋକେ କାଦୁଅ କରିବାକୁ ଦେବେନାହିଁ।

ସମ୍ବନ୍ଧିତ ଖବର