ବାରିପଦା : ବାରିପଦା ସହରର ଛଉ ପଡ଼ିଆ ଆଜି ଗୁଜରାଟ ପଟିଦାର ଆନ୍ଦୋଳନର ନେତା ହାର୍ଦିକ ପଟେଲଙ୍କ ଗର୍ଜନରେ କମ୍ପିଛି। କୁଡୁମୀଙ୍କୁ ଅଧିକାର ଦିଅ, ନହେଲେ ଛଡ଼ାଇ ନିଆଯିବ। ଜବାବ ଦିଅ; ଦୀର୍ଘ ୬୧ ବର୍ଷ ଧରି କୁଡୁମୀ ଜାତିକୁ ଏସ୍ଟି ତାଲିକାରୁ ବଞ୍ଚିତ କରାଯାଇଛି କାହିଁକି? କେନ୍ଦ୍ର ସରକାରଙ୍କ ରେକର୍ଡରେ ଏହି ଜାତିକୁ ଆଦିବାସୀ ମାନ୍ୟତା ରହିଛି, କିନ୍ତୁ ଅଧିକାର ଦିଆଯାଉନାହିଁ କ’ଣ ପାଇଁ? ଦେଶର ମୂଳ ବାସିନ୍ଦାଙ୍କ ପ୍ରତି ଏପରି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କୁଡୁମୀଙ୍କ ଏହି ଅଧିକାର ରାଲିରେ ହାର୍ଦ୍ଦିକ କହିଛନ୍ତି। ୧୭ ବର୍ଷ ଧରି ଓଡ଼ିଶାରେ ଶାସନ କରୁଥିବା ନବୀନ ସରକାର ତୁରନ୍ତ ଏହି ଦାବି ପୂରଣ କରିବାକୁ ସେ ଆହ୍ଵାନ ଦେଇଥିଲେ। ନଚେତ ଦାବି ହାସଲ ପାଇଁ ହାର୍ଦିକ ପଟେଲକୁ ଅନ୍ୟ ମାର୍ଗ ବି ଜଣାଅଛି ବୋଲି କହି ସେ ସିଧାସଳଖ ଚାଲେଞ୍ଜ ଦେଇଥିଲେ।
କୁଡୁମୀଙ୍କ ଦେବତାଙ୍କ ଉଦ୍ଦେଶ୍ୟରେ ‘ଜୟ ଗରାମ’ ଧ୍ୱନିରୁ ବକ୍ତବ୍ୟ ଆରମ୍ଭ କରିଥିବା ହାର୍ଦ୍ଦିକ ଏହି ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ।
ମଞ୍ଚରେ ଅଧ୍ୟକ୍ଷତା କରି କୁଡୁମୀ ସେନାର ରାଜ୍ୟ ସଭାପତି ଜୈମୁନୀ କୁମାର ମହାନ୍ତ କହିଲେ ଯେ ୧୯୫୬ ପର୍ଯ୍ୟନ୍ତ କୁଡୁମୀଙ୍କୁ ଜନଜାତିର ସୁବିଧା ମିଳୁଥିଲା। ଏହାପରେ କୌଣସି କାରଣ ନଦର୍ଶାଇ ତାଲିକାରୁ ବାଦ୍ ଦିଆଗଲା। ଏଣୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ହକ୍ ପାଇଁ ଏ ଲଢ଼େଇ ଜାରି ରହିବ ବୋଲି ସେ ଚେତାଇ ଦେଇଥିଲେ। ମୁଖ୍ୟ ଅତିଥି ହାର୍ଦିକ ପଟେଲଙ୍କ ସମେତ ଉପସଭାପତି ଦିବ୍ୟସିଂହ ମହାନ୍ତ, ଝାଡ଼ଖଣ୍ଡର କୁଡୁମୀ ନେତା ଗୁରୁଦେବ ହିନ୍ଦୁଆର, ଲାଲ୍ଟୁ ମହାନ୍ତ ପ୍ରମୁଖ ବକ୍ତବ୍ୟ ଦେଇଥିଲେ।
ଏହି ଅଧିକାର ରାଲିରେ ପ୍ରାୟ ୩୦ରୁ ୩୫ ହଜାର ଲୋକଙ୍କ ସମାଗମ ହୋଇଥିଲା। ବାଲେଶ୍ୱରରେ ରାତ୍ରିଯାପନ କରିଥିବା ହାର୍ଦିକ ପଟେଲ ଦିନ ପ୍ରାୟ ସାଢ଼େ ୧୨ଟାରେ ବାରିପଦା ଅଭିମୁଖେ ବାହାରିଥିଲେ। ବାଟରେ ବୈଶିଙ୍ଗାଠାରୁ ତାଙ୍କୁ ବାଇକ୍ ରାଲିରେ ପାଛୋଟି ନିଆଯାଇଥିଲା। ୧୦୦ ବାଇକ୍ରୁ ଆରମ୍ଭ ହୋଇଥିବା ବାଇକ୍ ରାଲି ବାରିପଦାରେ ପହଞ୍ଚିଲାବେଳକୁ ୪ ହଜାରରେ ପହଞ୍ଚିସାରିଥିଲା। ବୈଶିଙ୍ଗା, ବେତନଟୀ ଆଦି ସ୍ଥାନରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା।