ଓଡ଼ିଆ ଗାୟିକାଙ୍କ ଶ୍ରେୟ ଛଡ଼ାଇବାକୁ ଷଡ଼୍‌ଯନ୍ତ୍ର

ଫର୍ମାନି ନାଜ୍‌ଙ୍କୁ ହର୍‌ହର୍‌ ଶମ୍ଭୁ ଗାୟିକା ଭାବେ ଚିତ୍ରଣ କରାଯାଉଛି, ପ୍ରଚାର ପାଇଁ ମଙ୍ଗ ଧରିଛି ଜାତୀୟ ଗଣମାଧ୍ୟମ!

ସମ୍ବଲପୁର :  : ଖୁବ୍‌ କମ୍‌ ସମୟ ମଧ୍ୟରେ ‌ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିବା ଓଡ଼ିଆ ଗାୟିକା ଅଭିଲିପ୍ସା ପଣ୍ଡାଙ୍କ ଶ୍ରେୟ ଚୋରି କରିବା ଆରମ୍ଭ କଲେଣି ଅନ୍ୟମାନେ। ଏବେ ଏହି ମିଥ୍ୟା ପ୍ରଚାରର ମଙ୍ଗ ଧରିଛନ୍ତି କିଛି ଆଗ ଧାଡ଼ିର ଜାତୀୟ ଟିଭି ଗଣମାଧ୍ୟମ। ଏହି ଜାତୀୟ ନ୍ୟୁଜ୍‌ ଚାନେଲ୍‌ଗୁଡ଼ିକ ଫର୍ମାନି ନାଜ୍‌ ନାମ୍ନୀ ଭିନ୍ନ ରାଜ୍ୟର ଜଣେ ମହିଳାଙ୍କୁ ଏହି ଗୀତର ଗାୟିକା ଭାବେ ଚିତ୍ରଣ କରିବାକୁ କୁଣ୍ଠାବୋଧ କରୁନାହାନ୍ତି। କେ‌ବଳ ସେତିକି ନୁହେଁ, ବହୁ ସମୟ ଧରି ନାଜ୍‌ଙ୍କ ସାକ୍ଷାତକାର ବି ଦେଖାଉଛନ୍ତି।

ଏହି ସାକ୍ଷାତକାରରେ ଫର୍ମାନି କହୁଛନ୍ତି, ମୋ ଭାଇ କିଛି ଗୋଟେ ଧୁନ୍ ମୁହଁରେ ଗୁଣୁଗୁଣୁ ଗାଉଥିଲା। ତାକୁ ଶୁଣିବାପରେ ବହୁ ପରିଶ୍ରମ କରି ମୁଁ ଏହି ଗୀତର ଧୁନ୍‌ ପ୍ରସ୍ତୁତ କଲି। ତା’ପରେ ତାକୁ ଗାଇଲି ଓ ମୋତେ ପ୍ରସିଦ୍ଧି ମିଳିଲା। ଆଶ୍ଚର୍ଯ୍ୟଜନକ ଭାବେ ପ୍ରତିଷ୍ଠିତ ନ୍ୟୁଜ୍‌ ଚାନେଲ୍ ଏହାକୁ ବାରମ୍ବାର ପ୍ରସାରଣ କରୁଥିବାବେଳେ ଓଡ଼ିଆ ଝିଅ ଅଭିଲିପ୍ସାଙ୍କ ଚମତ୍କାର ଗାୟନର ଶ୍ରେୟକୁ ତାଙ୍କ ମୁଣ୍ଡରେ ‌ଥାପି ଦେବାପାଇଁ ଉଦ୍ୟମ ଚଳାଇଛନ୍ତି।

ସତ କ’ଣ କୋଟିକୋଟି ପ୍ରଶଂସକ ଜାଣନ୍ତି: ଅଭିଲିପ୍ସାଙ୍କ ପିତା

ଏହାକୁ ନେଇ ଅଭିଲିପ୍ସାଙ୍କ ପ୍ରଶଂସକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜାତୀୟ ଗଣମାଧ୍ୟମ ଓ ଫର୍ମାନି ନାଜ୍‌ଙ୍କ ମିଛକୁ ସେମାନେ ଦୃଢ଼ ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏନେଇ ମନ୍ତବ୍ୟର ସୁଅ ଛୁଟିଛି। ଅନେକ ଲୋକ ଅଭିଲିପ୍ସାଙ୍କ ନାଁରେ ସାମାଜିକ ଗଣମାଧ୍ୟମରେ ଫେକ୍ ଆଇଡି ଖୋଲି ମଧ୍ୟ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ତେବେ ଏ ସଂପର୍କରେ ଅଭିଲିପ୍ସାଙ୍କ ବାପା ଅଶୋକ ପଣ୍ଡାଙ୍କୁ ପଚାରିବାରୁ ସେ ଏହି ବିବାଦ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଥିଲେ। ସେ କହିଥିଲେ ଯେ ଭଗବାନ ଶିବଙ୍କ ସ୍ତୋତ୍ର, ମନ୍ତ୍ର ଆଦି ଅନାଦି କାଳରୁ ରହି ଆସିଛି। ସେ ଗୁଡ଼ିକୁ କିଏ ଲେଖିଛନ୍ତି ସେହି ଭଗବାନଙ୍କୁ ଜଣା। ଅଭିଲିପ୍ସାଙ୍କ ‘ହରହର ଶମ୍ଭୁ’ ଗୀତ ଗତ ଏପ୍ରିଲ୍ ୨୭ ତାରିଖରୁ ରିଲିଜ୍‌ ହେଲାଣି। ୩ ମାସରୁ ଅଧିକ ସମୟ ଭିତରେ ୭୨ ନିୟୁତରୁ ଅଧିକ ଲୋକ ଏହାକୁ ଦେଖିଲେଣି। ‌ଏହାକୁ ଅନେକ ଲୋକ ନକଲ କରୁଛନ୍ତି। ଏଥିରେ ଆମର କିଛି କହିବାର ନାହିଁ। ଗୀତ କିଏ ପ୍ରଥମେ ଗାଇଛି ତାହା କୋଟିକୋଟି ପ୍ରଶଂସକ ଭଲ ଭାବରେ ଜାଣନ୍ତି। ତେଣୁ ଯେଉଁ ଜାତୀୟ ଗଣମାଧ୍ୟମ ଯାହା ପ୍ରଚାର କଲେ ବି ଆମର କିଛି ଆପତ୍ତି ନାହିଁ। ଭଗବାନଙ୍କ ଆଶୀର୍ବାଦରୁ ଅଭିଲିପ୍ସାର ଗାୟନକୁ ଲୋକଙ୍କ ଭଲ ପାଇବା ମିଳିଛି। ତାହା ଜାରି ରହୁ, ଆମେ ଏତିକି ଚାହୁଁ ବୋଲି ଶ୍ରୀ ପଣ୍ଡା କହିଥିଲେ।

ଓଡ଼ିଆଙ୍କ ପରିଚୟ ଚୋରି ନୂଆ ନୁହେଁ
ସମ୍ବଲପୁର : ଅନେକ ସମୟରେ ଜାତୀୟସ୍ତରରେ ଗଣମାଧ୍ୟମ ହେଉ ବା ଆଉ କେହି ଓଡ଼ିଆଙ୍କ ଶ୍ରେୟକୁ ଚୋରି କରି ନେବା ଦେଖାଯାଇଛି। ଯେବେ ଶ୍ରେୟ ଚୋରି ସମ୍ଭବ ହୁଏ ନାହିଁ ସେତେବେଳେ ସେମାନେ ସଫଳ ଓଡ଼ିଆଙ୍କ ପରିଚୟ ଚୋରି କରିବା ଉଦ୍ୟମ କରିଥାଆନ୍ତି। ନିକଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସିଧା ପ୍ରସାରଣ କରୁଥିବା ଟିଭି ଚାନେଲ୍‌ର ଭାଷ୍ୟକାର ମାନେ ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ଜୟପୁର (ରାଜସ୍ଥାନ) ଜନ୍ମିତ ବୋଲି କହିଥିଲେ। ୱିକିପିଡିଆରେ ଓଡ଼ିଆ ଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ବିହାର ବୈଶାଳି ଜିଲ୍ଲାର ବୋଲି ଦର୍ଶାଯାଇଛି। ପ୍ରମୋଦ ବୈଶାଳି ଜିଲ୍ଲା ହାଜିପୁର ଜନ୍ମିତ ବୋଲି ଏଥିରେ ଉଲ୍ଲେଖ ରହିଛି। ଯଦିଓ ପ୍ରମୋଦଙ୍କ ପୂର୍ବପୁରୁଷ ବିହାରରୁ ଆସିଛନ୍ତି, କିନ୍ତୁ ତାଙ୍କ ଜନ୍ମ କର୍ମ ସବୁ ବରଗଡ଼ ଜିଲ୍ଲା ଅତାବିରାରେ ଓ ସେ ଆଜି ସଂପୂର୍ଣ୍ଣ ରୂପେ ଓଡ଼ିଆ। ଏପରିକି କିଛି ଗଣମାଧ୍ୟମ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଥମେ ଝାଡ଼ଖଣ୍ଡର ବୋଲି ଚିତ୍ରଣ କରିଥିଲେ ଓ କିଛି ଲୋକ ପଶ୍ଚିମବଙ୍ଗର ବୋଲି ଦର୍ଶାଇଥିଲେ। ଏସବୁ ଭିତରେ ଏବେ ଓଡ଼ିଆ ଗାୟିକା ଅଭିଲିପ୍‌ସାଙ୍କ ଲୋକପ୍ରିୟ ସଂଗୀତ ଚୋରିର ଷଡ଼୍‌ଯନ୍ତ୍ର ସାମ୍‌ନାକୁ ଆସିଛି।

ସମ୍ବନ୍ଧିତ ଖବର