ଭୁବନେଶ୍ୱର: ବେଆଇନ ମଦ କାରବାର ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଭଳି ମାମଲାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ । ଏଥି ସହିତ ବେଆଇନ ତଥା ଚୋରା ମଦ କାରବାରକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ନେଇ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିକଟରେ ଗଞ୍ଜାମ ଜିଲ୍ଲା ଚିକିଟିଠାରେ ହୋଇଥିବା ମଦ ଘଟଣା ନେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ଅବକାରୀ କମିଶନର ନରସିଂହ ଭୋଳଙ୍କ ସହ ଆଲୋଚନା କରିବା ସହ ଏ ସଂପର୍କରେ ସବିଶେଷ ତଥ୍ୟ ମାଗିଥିଲେ ।

Advertisment

ରାଜ୍ୟରେ ବେଆଇନ ମଦ କାରବାର କେବେ ବି ଗ୍ରହଣୀୟ ନୁହେଁ । ତେଣୁ ଏହି ଘଟଣା ନେଇ ରାଜ୍ୟର ସମସ୍ତ ଅଞ୍ଚଳରେ ତୀକ୍ଷ୍‌ଣ ଦୃଷ୍ଟି ରଖିବା ସହିତ ବେଆଇନ ମଦ ଭାଟି ଓ ବିକି୍ର ସ୍ଥାନରେ ଚଢ଼ାଉ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଚିକିଟି ଘଟଣାରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଚିକିତ୍ସା ସହାୟତା ଯୋଗାଇଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଚିକିତ୍ସିତ ହେଉଥିବା ସମସ୍ତଙ୍କ ଅବସ୍ଥା ଭଲ ଅଛି ବୋଲି ଜଣାପଡ଼ିଛି । ଏହି ଘଟଣାରେ ବ୍ରହ୍ମପୁରର ଅବକାରୀ ସୁପରିଟେଣ୍ଡେଣ୍ଟଙ୍କୁ କାର୍ଯ୍ୟରୁ ଅପସାରଣ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି |

ଏଠାରେ ସୂଚନାଯୋଗ୍ୟ ଯେ ଚିକିଟି ବେଆଇନ ମଦ କାରବାର ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟପକ୍ଷରେ ଅବକାରୀ ବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୭,୨୭୪ ଲିଟର ବେଆଇନ ମଦ ଜବତ କରାଯିବା ସହ ୭୨ ଜଣଙ୍କୁ ଗିରଫ କରାଯାଇଛି । ଏଥି ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୩୮୫ ଲିଟର ମଦ ଜବତ ହୋଇଛି । ଆଗାମୀ ଦିନରେ ଏପରି ଚଢ଼ାଉକୁ ଜୋରଦାର କରାଯିବା ସହ ବେଆଇନ ମଦ କାରବାରରେ ଲିପ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।