ସଜଡ଼ା ଯାଉନି କେବଲ: ୪ ଦିନ ହେଲା ହରିଚନ୍ଦନପୁର ଅନ୍ଧାର

ହରିଚନ୍ଦନପୁର: କାଳବୈଶାଖୀ ଯୋଗୁଁ ୧୪ ତାରିଖ ଅପରାହ୍ଣ ୨ ଟାରୁ ଛିଡ଼ି ଯାଇଥିବା କେବୁଲ ସଜଡ଼ା ଯାଉନାହିଁ। ଫଳରେ ୪ ଦିନ ହେଲା ହରିଚନ୍ଦନପୁର ଅନ୍ଧାରରେ ଛାଇ ହେଇ ରହିଚି। ଲୋକେ ଗରମ, ଗୁଳୁଗୁଳିରେ ଛଟପଟ ହେଉଛନ୍ତି। ବିଦ୍ୟୁତ୍ ବିଭାଗ ଏନେଇ କୌଣସି ପଦକ୍ଷେପ ନେଉ ନଥିବାରୁ, ଏହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।

ରେଲୱେ ଲାଇନ ତଳେ  ୩୩ କେଭିର ଦୁଇଟି କେବୁଲ ବିଛାଯାଇଥିଲା। ୬ ବର୍ଷ ପୂର୍ବରୁ ଗୋଟିଏ କେବୁଲ ଲାଇନ ଫାଟି ଯାଇଥିବାବେଳେ  ୧୪ ତାରିଖ କାଳବୈଶାଖୀ ଓ ଘଡଘଡି ଫଳରେ ଅନ୍ୟଟି ଫାଟି ଯାଇଛି। ବିଦ୍ୟୁତ ବିଭାଗର ଅବହେଳା ପାଇଁ  ୪ ଦିନ ହେଲା ହରିଚନ୍ଦନପୁର ଅଞ୍ଚଳ ଅନ୍ଧାରରେ ରହିଛି।  ହରିଚନ୍ଦନପୁର ବିଦ୍ୟୁତ କାର୍ଯ୍ୟାଳୟରେ ଗୋଟିଏ କେବୁଲ ପଡି ରହିଥିଲେ ମଧ୍ୟ ତାହାକୁ ଲଗାଯାଇ ନଥିଲା। । ପୂର୍ବରୁ ଗୋଟିଏ ୩୩ କେଭିର କେବୁଲ ଫାଟି ଯାଇଥିବାବେଳେ  କାହିଁକି ତାହା ମରାମତି କରାଗଲାନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୪ ଦିନ ହେଲା ବିଦ୍ୟୁତ ସେବା ବ୍ୟାହତ ଯୋଗୁଁ  ଛାତ୍ରଛାତ୍ରୀଙ୍କ ପାଠପଢା, ଅଫିସ କାର୍ଯ୍ୟ, ଅନ ଲାଇନ  କାର୍ଯ୍ୟ, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ ଆଦି ବ୍ୟାହତ ହେଉଛି। ହରିଚନ୍ଦନପୁର ଅଞ୍ଚଳରେ କ୍ଷୀର, ଦହି, ଛେନା, ଥଣ୍ଡା ପାନୀୟ ମିଳୁନାହିଁ। ବିଶେଷ କରି ରଜ ଉତ୍ସବ ସମୟରେ  ବିଦ୍ୟୁତ ବିଭ୍ରାଟ ହେବା ଯୋଗୁଁ  ରଜ ଉତ୍ସବ ଫିକା ପଡ଼ିଯାଇଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବ୍ୟାହତ ହେଉଛି। ଗତକାଲି କଟକରୁ ଏକ ସ୍ୱତନ୍ତ୍ର ଦଳ ଆସି କେବୁଲ ଚେକ କରିଥିଲେ। ଦୁଇଟି କେବୁଲର ୬ ଟି ଲାଇନ ମଧ୍ୟରୁ ୫ ଟି ଲାଇନ ଅଚଳ ହୋଇଯାଇଛି। ନୂତନ କେବୁଲ ଲଗା ଗଲେ  ହରିଚନ୍ଦନପୁରକୁ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇପାରିବ। ଘଟଣାସ୍ଥଳକୁ  ବିଦ୍ୟୁତ ବିଭାଗର  ସହକାରୀ ଯନ୍ତ୍ରୀ ପ୍ରତାପ ରାଉତ, ଘାଟଗାଁର ସହକାରୀ ନିର୍ବାହୀ ଯନ୍ତ୍ରୀ ରଣଜିତ ବେହେରାଙ୍କ ସମେତ ବିଦ୍ୟୁତ୍‌ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏଥିସହିତ ସ୍ଥାନୀୟ ଅଞ୍ଚଳର ଯୁବକମାନେ ହରିଚନ୍ଦନପୁରକୁ କିପରି ତୁରନ୍ତ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇପାରିବ, ସେଥିପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ କହିଛନ୍ତି।

ହରିଚନ୍ଦନପୁର ବ୍ଲକର ୨୫ ଟି ପଞ୍ଚାୟତ ମଧ୍ୟରୁ ୧୬ ଟି ପଞ୍ଚାୟତବାସୀ ଗତ ୪ ଦିନ ହେଲା ଅନ୍ଧାରରେ ରହିଛନ୍ତି।  ଟାଟା କମ୍ପାନିର ମେସିନ ଦ୍ୱାରା ରେଲୱେ ଲାଇନ ତଳେ ଦୁଇଟି ନୂଆ କେବୁଲ ଲଗାଯିବ। ହରିଚନ୍ଦନପୁରରେ ଗୋଟିଏ କେବୁଲ ଅଛି ଏବଂ ଅନ୍ୟ କେବୁଲଟି ବାଲେଶ୍ୱରରୁ ଆସିବ। ଆସନ୍ତାକାଲି ହରିଚନ୍ଦନପୁରକୁ ବିଦ୍ୟୁତ ସରବରାହ ହେବ ବୋଲି  ସହକାରୀ ଯନ୍ତ୍ରୀ ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର