ପାତ୍ରପୁର,(ନୀଳା‌ଞ୍ଚଳ ପଟ୍ଟନାୟକ): ଦେଖୁ ଦେଖୁ ‘ତିତ୍‌ଲି’ ବାତ୍ୟାକୁ ପାଞ୍ଚବର୍ଷ ବିତିବାକୁ ଯାଉଛି। ହେଲେ, ଆଜି ବି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ର ତିନି ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ବୁରାତାଲ୍, ଆଙ୍କୁଲି ଓ ତୁମ୍ବା ପଞ୍ଚାୟତବାସୀଙ୍କ ମନରେ ଏହି ବାତ୍ୟାର ଭୟାବହତାର ସ୍ମୃତି ତାଜା ହୋଇରହିଛି। ଅନେକ ଆଦିବାସୀ ସରକାରୀ ସହାୟତାରୁ ବଞ୍ଚିତ ହୋଇ ବେସାହାରା ଭଳି ଜୀବନ କାଟୁଛନ୍ତି। ନିଜ ଘର ଖଣ୍ଡିକକୁ ବି ସଜାଡ଼ି ପାରିନାହାନ୍ତି।

Advertisment

‘ତିତ୍‌ଲି’ ବାତ୍ୟାରେ ଏହି ତିନି ପଞ୍ଚାୟତର ଅନେକ ଦୁର୍ଗମ ଇଲାକା ତଥା ପାହାଡ଼ ଉପରେ ଥିବା ଗ୍ରାମଗୁଡ଼ିକ ବିଶେଷଭାବେ ପ୍ରଭାବିତ ହୋଇଥିଲା। ବୁରାତାଲ୍ ପଞ୍ଚାୟତର ହରିଡ଼ାପାଟୁ ଗ୍ରାମ ତିତ୍‌ଲି ବାତ୍ୟାର ତାଣ୍ଡବରେ ସଂପୂର୍ଣ୍ଣ ଭାବେ ନିଶ୍ଚିହ୍ନ ହେବାସହ ନିଜ ସତ୍ତା ହରାଇଥିଲା। ପାହାଡ଼ ଉପରେ ଥିବା ଏହି ଗ୍ରାମରେ ୨୧ଟି ପରିବାର ରହୁଥିବାବେଳେ ସମସ୍ତଙ୍କ ଝାଟିମାଟି କୁଡ଼ିଆ ଘରକୁ ମହାକାଳ ଭଳି ମାଡ଼ିଆସିଥିବା ପବନ ଉଡ଼ାଇ ନେଇଥିଲା। ସେହି କ୍ଷତ ‘ତିତ୍‌ଲି’ ପରଦିନ ଯାହା ଥିଲା, ଏବେ ବି ସେୟା। ଏହାକୁ ଭରଣା କରିବାକୁ କୌଣସି ସ୍ତରରେ ଉଦ୍ୟମ ହୋଇନାହିଁ।

ଦୁଃଖର କଥା ହେଲା, ପ୍ରାକୃତିକ ଦୁର୍ବିପାକର ସାଢ଼େ ୪ ବର୍ଷ ପରେ ବି ହରିଡ଼ାପଟୁ ଗାଁ ନିଜର ନୂଆ ଠିକଣା ଖୋଜୁଛି। ଗାଁରେ ରହୁଥିବା ୨୧ଟି ପରିବାର ମଧ୍ୟରୁ କିଛି ପରିବାର ଅନ୍ୟ ଗାଁକୁ ପଳାଇଥିବା ବେଳେ ୮ଟି ପରିବାର ହରିପୁର ପାହାଡ଼ (ଲଛରଚଣ୍ଡି ପାହାଡ଼) ପାଦଦେଶରେ ମୁଣ୍ଡ ଗୁଞ୍ଜିଛନ୍ତି। ଏଭଳି ପରିସ୍ଥିତିରେ ଆଗକୁ ବର୍ଷାଋତୁ ଆସୁଥିବାରୁ ପୁଣି ସେମାନଙ୍କ ମନରେ ଛନ୍‌କା ପଶିଛି।

ସୂଚନା ଅନୁସାରେ, ଧୁଡ଼ିବିଲରେ ଦୁଇ ପରିବାର, ମହାଲିମ୍ବରେ ଦୁଇ ପରିବାର ଓ ସୌରାବସାରେ ଗୋଟିଏ ପରିବାର ବାତ୍ୟା ପରଠୁ ଆଶ୍ରୟ ନେଇଛନ୍ତି। ଗୋଟିଏ ପରିବାର ତୁମ୍ବା ଯମୁନାଘାଟରେ ରହୁଥିବା ବେଳେ ହରିଡ଼ାପାଟୁ ଗାଁରେ ମାତ୍ର ୪ଟି ପରିବାର କଷ୍ଟେମଷ୍ଟେ ଦିନ କାଟୁଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ‘ତିତ୍‌ଲି’ ବାତ୍ୟାର କରାଳ ରୂପ ସବୁ ପରିବାରର ଯେମିତି ଅଣ୍ଟା ଭାଙ୍ଗିଦେଇଛି। ତେବ‌େ ଦୁଃଖର କଥା ହେଲା, ‘ତିତ୍‌ଲି’ ବାତ୍ୟାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହରିଡ଼ାପାଟୁ ଗ୍ରାମ ଯେମିତି ବ୍ଲକ୍ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ପିଇବା ପାଣିଠୁ ଆରମ୍ଭ କରି ପକ୍କାଘର, ପକ୍କାରାସ୍ତା, ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ଏଠା‌ରେ ଅପହଞ୍ଚ। ବିଦ୍ୟୁତ୍ ସେବା ବି ମିଳୁନି। ସୋଲାର୍ ସେବା ଯୋଗାଇ ଦିଆଯାଇଥିଲେ ମଧ୍ୟ ତାହା ଠିକ୍ ଭାବେ କାର୍ଯ୍ୟକ୍ଷମ ହୋଇପାରୁନି। ଝରଣାର ଦୂଷିତ ପାଣି ପିଇ ଗ୍ରାମବାସୀ ରୋଗଗ୍ରସ୍ତ ହେଉଥିବାର ନଜିର୍ ରହିଛି। ସବଠୁ ଆଶ୍ଚର୍ଯ୍ୟର କଥା ହେଲା, ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ବି ଆଦିବାସୀମାନେ ଏହାର କୌଣସି ସୁଫଳ ପାଇନାହାନ୍ତି। ଅଧିକାଂଶ ଆଦିବାସୀ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ଥିବା ବେଳ‌େ ଯୁବକମାନେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ପଳାଉଛନ୍ତି।

ସେହିପରି, ବାତ୍ୟା ପରେ ପୁରୁଣାହରିଡ଼ାପାଟୁ ପାହାଡ଼ ଉପରେ ଆଗଭଳି ଜଙ୍ଗଲଜାତ ଦ୍ରବ୍ୟ ମିଳୁନି। ତଥାପି ଜଙ୍ଗଲରୁ ଆଦିବାସୀମାନେ ଆମ୍ବ, ତେନ୍ତୁଳି, ମହୁଲ ଓ ଟୋଲ (ମହୁଲରୁ ବାହାରୁଥିବା ମଞ୍ଜି) ଆଦି ଗୋଟାଇ ଏହାକୁ ବିକ୍ରି କରି ଚଳୁଛନ୍ତି। ‘ତିତ୍‌ଲି’ ଆଗରୁ ପାହାଡ଼ ଉପରେ ଦୁଃଖଦ ଜୀବନ କଟୁଥିଲା। ଏବେ ପାହାଡ଼ ପାଦଦେଶରେ ରହି ବି ସମସ୍ୟାର କୌଣସି ସମାଧାନ ହେଉନି ବୋଲି ଆଲୋଚନାବେଳେ ସେମାନେ କହିଛନ୍ତି। ପାହାଡ଼ ତଳକୁ ଆସିଲେ ସମସ୍ତପ୍ରକାର ସୁବିଧା ସୁଯୋଗ ମିଳିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ତାହା ବି ପୂରଣ ହୋଇନି। କୌଣସି ପରିବାର ଆବାସ ଯୋଜନାରେ ସାମିଲ ହୋଇନାହାନ୍ତି। ରାସନ୍ ସାମଗ୍ରୀ ପାଇଁ ପଞ୍ଚାୟତକୁ ଯିବାକୁ ହେ‌ଲେ, ଗୋଟିଏ ଦିନ ବିତିଯାଉଛି। ରାସନ୍ ସାମଗ୍ରୀ ଆଣିବାକୁ ୬୦ରୁ ୮୦ ଟଙ୍କା ଖର୍ଚ୍ଚ ହେଉଛି। ଅନ୍ୟପକ୍ଷରେ ପାହାଡ଼ ପାଦଦେଶରେ ରହୁଥିବା ୮ଟି ପରିବାରର ୧୪ରୁ ଅଧିକ ପିଲା ଅପପୁଷ୍ଟିର ଶିକାର ହୋଇଛନ୍ତି। ସେମାନେ କେବେବି ଅଙ୍ଗନବାଡ଼ି କେନ୍ଦ୍ର ମାଡ଼ିନାହାନ୍ତି। ‘ ପାହାଡ଼ ଉପରେ ଆମ ଜନଜୀବନକୁ ସ୍ବାଭାବିକ କରିବା ଦିଗରେ ସରକାର ଅତି କମ୍‌ରେ ପଦକ୍ଷେପ ନିଅନ୍ତୁ,’ ବୋଲି ଆଦିବାସୀମାନେ ନିବେଦନ କରିଛନ୍ତି।