ହରିଦାସପୁର-ପାରାଦୀପ ରେଳପଥରେ ଗଡ଼ିଲା ପ୍ରଥମ ପରୀକ୍ଷାମୂଳକ ଟ୍ରେନ୍‌

ମାର୍ଶାଘାଇ/ପାରାଦୀପ/କଣ୍ଟିଗଡ଼ିଆ : ହରିଦାସପୁର–ପାରାଦୀପ ରେଳପଥରେ ଆଜି ପରୀକ୍ଷାମୂଳକ ଭାବେ ବିଜୁଳିଚାଳିତ ଟ୍ରେନ୍ ଗଡ଼ିଛି। ଆରମ୍ଭରେ ଏକ ମାଲବାହୀ ଟ୍ରେନ୍ ଦୁଇଟି ଇଂଜିନ୍ ସହ ଗଡ଼ିବା ପରେ ବଗି ସହ ଆଉ ଏକ ମାଲବାହୀ ଟ୍ରେନ୍ ଆସିଥିଲା। ପରେ ୫ଟି ବଗି ସହ ଏକ ଯାତ୍ରୀବାହୀ ଟ୍ରେନ ବିଭାଗୀୟ ଯାଞ୍ଚ୍‌ କମିଟିକୁ ନେଇ ଯାତ୍ରା କରିଥିଲା। ପ୍ରତି ଓଭରବ୍ରିଜ୍ ଓ ଷ୍ଟେସନ ପାଖରେ ଅଟକି ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା। ଏହି ପ୍ରଥମ ପରୀକ୍ଷାମୂଳକ ଟ୍ରେନ୍‌ ହରିଦାସପୁରରୁ ଦିନ ୧୦ଟା୧୩ ମିନିଟ୍‌ରେ ବାହାରି ୮୨ କି‌ଲୋମିଟର ଅତିକ୍ରମ କରିବା ପରେ ରାତି ୭ଟା ସମୟରେ ପାରାଦୀପଠାରେ ପହଞ୍ଚିଛି।

୧୯୯୯ ଏପ୍ରିଲ ୪ ତାରିଖରେ ୩୪୦କୋଟି ଟଙ୍କା ବ୍ୟୟ ଅଟକଳରେ ରାମିଆଁଗଂଜଠାରେ ତତ୍କାଳୀନ ରେଳମନ୍ତ୍ରୀ ନୀତିଶ କୁମାର ଏହାର ଶିଳାନ୍ୟାସ କରିଥିଲେ। ୧୯୯୭ରୁ ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୦୦୭ ରେ ଜମି ଅଧିଗ୍ରହଣ ଶେଷ ହେବା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୬ ଜୁନ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ସ୍ଥିର କରାଯାଇଥିଲା। ବିଭିନ୍ନ କାରଣରୁ ଏହା ହୋଇପାରି ନଥିଲା। ରାଜ୍ୟର ପ୍ରଥମ ଫାଟକବିହୀନ ୮୨.୨ କିମିର ଏହି ରେଳପଥରେ ଆଜି ପାସେଞ୍ଜର ଟ୍ରେନ ଚାଲିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଦୀର୍ଘ ୨୧ବର୍ଷ ପରେ ଏହି ରେଳପଥ ନିର୍ମାଣ କାମ ଶେଷ ହେବାପରେ ରେଳ ଗଡ଼ିବା ନେଇ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ମଧ୍ୟରେ ମଧ୍ୟ ଉତ୍କଣ୍ଠା ବଢ଼ିଯାଇଛି।

ଆଜିର ପରୀକ୍ଷାମୂଳକ ଟ୍ରେନ୍‌ ଚଳାଚଳ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏଥିରେ ୨୫ ହଜାର ଭୋଲ୍ଟ ରହିଥିବାରୁ ରେଳପଥ ଉପରକୁ ଗୃହପାଳିତ ପଶୁଙ୍କୁ ନ ଛାଡିବା ଓ ରେଳପଥ ଉପରକୁ ନ ଆସିବାକୁ ବିଭାଗ ପକ୍ଷରୁ ଡାକ ବାଜି ଯନ୍ତ୍ର ଜରିଆରେ ସତର୍କ ସୂଚନା ଜାରି କରାଯାଇଥିଲା। ମୁଖ୍ୟ ସୁରକ୍ଷା ଅଧିକାରୀ ଶୈଳେନ୍ଦ୍ର କପିଲ କହିଛନ୍ତି ଯେ, ଟ୍ରେନ୍‌ ସ୍ବାଭାବିକ ଭାବେ ଚାଲିଥିଲା ଏବଂ ଆସିବା ବାଟରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇନଥିଲା। ଏହି ରେଳପଥରେ ଦ୍ରୁତି ଗତିରେ ରେଳ ଚାଲିବ ଆଜି ପରୀକ୍ଷାମୂଳକ ଭାବେ ରେଳ ଗଡ଼ିବା ପରେ ଏଠାରେ ଖୁବଶୀଘ୍ର ନିୟମିତ ରେଳ ଚଳାଚଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର