ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ଶ୍ରେୟ ନେଇ ମୁହାଁମୁହିଁ

ବିଜୁ ଓ ନବୀନ ଏବଂ କେନ୍ଦ୍ରାପଡ଼ାବାସୀଙ୍କୁ ଶ୍ରେୟ ଦେଲା ବିଜେଡି
ବିଧାୟକ ଶଶିଭୂଷଣ ଓ ଅତନୁ ସବ୍ୟସାଚ୍ଚୀଙ୍କ ସାମ୍ବାଦିକ ସମ୍ମିଳନୀ
୪ମିନିଟର ଭିଡ଼ିଓ ଜାରି କରି ତାଙ୍କ ଉଦ୍ୟମ ବଖାଣିଥିଲେ ବୈଜୟନ୍ତ

ଭୁବନେଶ୍ବର : ହରିଦାସପୁର-ପାରାଦୀପ ରେଳପଥ ପ୍ରକଳ୍ପର ଶ୍ରେୟ କାହାର? ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। କେନ୍ଦ୍ରାପଡ଼ା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସାମାଜିକ ଗଣମାଧ୍ୟମରେ ୪ମିନିଟ୍‌ର ଏକ ଭିଡ଼ିଓ ଛାଡ଼ି ଏହି ପ୍ରକଳ୍ପର ଶ୍ରେୟ ଦାବି କରିବା ପରେ ଆଜି ବିଜେଡି ଏହାର ପ୍ରତିଜବାବ ଦେଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ବିଧାୟକ ଏସଂକ୍ରାନ୍ତରେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

କାହାର ନାମ ନ ନେଇ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ଜଣେ ପୂର୍ବତନ ସାଂସଦ ଏହାକୁ ନିଜେ କରିଛନ୍ତି ବୋଲି ଦାବି କରୁଛନ୍ତି। ତାଙ୍କର ଏଥିରେ କିଛି ଭୂମିକା ଥାଇପାରେ କିନ୍ତୁ ଏହି ପ୍ରକଳ୍ପ ନିର୍ମାଣରେ ବହୁ ଲୋକଙ୍କ ହାତ ରହିଛି। ଯେତେବେଳେ ବି ଓଡିଶା ରେଳ ସମ୍ପର୍କରେ ଦାବି ହୁଏ, ସେତେବେଳେ ଏହି ପ୍ରକଳ୍ପର ଦାବି ରହିଥାଏ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ହିଁ ମୁଖ୍ୟ ଭୂମିକା ରହିଛି।

ଶ୍ରୀ ବେହେରା କହିଛନ୍ତି, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଜିଲ୍ଲାର ଜିଲ୍ଲା ପ୍ରଶାସନ ସହ ପାରାଦୀପ ପୋର୍ଟ ଏବଂ ରେଳ କର୍ତପକ୍ଷଙ୍କ ସହିତ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ସମୀକ୍ଷା କରିଥିଲେ। ସେପ୍ଟେମ୍ବର ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ନିର୍ଦେଶ ଦେଇଥିଲେ। ଏହି ପ୍ରକଳ୍ପ ବିଜୁ ବାବୁଙ୍କ ସ୍ବପ୍ନ ଥିଲା। ଦେବେଗୌଡା ପ୍ରଧାନମନ୍ତ୍ରୀ ସମୟରେ ଜାନକୀ ପଟ୍ଟନାୟକ ଓଡିଶା ମୁଖ୍ୟମନ୍ତ୍ରୀ ଥିଲେ, ସେହି ସମୟରେ ଏହି ରେଳ ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ନଥାଇ ମଧ୍ୟ ବିଜୁ ବାବୁ ଗୁରୁତ୍ୱପୁର୍ଣ ଭୂମିକା ନିଭାଇଥିଲେ। ତେଣୁ କେହି ଜଣେ ଏଥିରେ ବାହା ବା ନେବା ଉଚିତ ନୁହଁ ବୋଲି ଶ୍ରୀ ବେହେରା କହିଛନ୍ତି।

Twitter

ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ କହିଛନ୍ତି, ଏହି ପ୍ରକଳ୍ପ ୧୯୯୬ ମସିହାରୁ କାର୍ଯ୍ୟକାରୀ ହୋଇଥିଲା। ଏହି ପ୍ରକଳ୍ପ ହେବା କ୍ଷେତ୍ରରେ ବିଜୁ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବହୁ ଭୂମିକା ରହିଛି। ଏହି ପ୍ରକଳ୍ପ ନିର୍ମାଣରେ ବହୁ ବାଧାବିଘ୍ନ ଥିବାରୁ ନିର୍ମାଣରେ ବିଳମ୍ବ ହୋଇଥିଲା। ତେବେ ଏହି ପ୍ରକଳ୍ପ ନିର୍ମାଣ ହେବା କ୍ଷେତ୍ରରେ ଯେଉଁମାନଙ୍କ ଭୂମିକା ଅଛି, ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା କେନ୍ଦ୍ର ମନ୍ତ୍ରୀ ବା ଜନ ପ୍ରତିନିଧି ହୁଅନ୍ତୁ ଦଳମତ ନିର୍ବିଶେଷରେ ସମସ୍ତେ କେନ୍ଦ୍ରାପଡ଼ା ରେଳ ପ୍ରକଳ୍ପ ଲାଗି କାମ କରିଛନ୍ତି ସେ ସମସ୍ତଙ୍କୁ କୃତଜ୍ଞତା ଜଣାଉଛୁ। ତେବେ ସବୁଠୁ ବଡ଼ ଭୂମିକା ରହିଥିଲା କେନ୍ଦ୍ରାପଡ଼ାବାସୀଙ୍କର। କେହି ଏହାର ଏକୁଟିଆ ଶ୍ରେୟ ନେବାକୁ ଅପଚେଷ୍ଟା ନ କରନ୍ତୁ ବୋଲି ଶ୍ରୀ ନାୟକ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳପ୍ରକଳ୍ପ ୧୦ରୁ ୧୫ ଦିନ ମଧ୍ୟରେ ଆରମ୍ଭ ହେବ ବୋଲି ସୂଚନା ଦେଇ ଶ୍ରୀ ପଣ୍ଡା ଏକ ଭିଡ଼ିଓ ଜାରି କରିଥିଲେ। ସେଥିରେ ୧୯୯୯ ମସିହାରେ ତତ୍କାଳୀନ ରେଳମନ୍ତ୍ରୀ ନୀତିଶ କୁମାର ମାର୍ଶାଘାଇଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ବୋଲି ଦର୍ଶାଇବା ସହିତ ୨୦୦୯ରେ କେନ୍ଦ୍ରାପଡ଼ା ସାଂସଦଭାବେ ନିର୍ବାଚିତ ହେବା ପରେ ସେ କିଭଳି ଉଦ୍ୟମ କରିଥିଲେ, ସେ ସଂକ୍ରାନ୍ତରେ ଦର୍ଶାଇଥିଲେ। ଏପରିକି ଗତବର୍ଷ ମଧ୍ୟ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହ ସେ ଆଲୋଚନା କରିଥିବା ଶ୍ରୀ ପଣ୍ଡା କହିଥିଲେ।

ସମ୍ବନ୍ଧିତ ଖବର