ହରିହର ନନ୍ଦଙ୍କ ପରଲୋକ

ଭୁବନେଶ୍ବର : ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍)ର ପୂର୍ବତନ ବରିଷ୍ଠ ପ୍ରାନ୍ତ ପ୍ରଚାରକ ତଥା ପ୍ରାନ୍ତ କାର୍ଯ୍ୟାବହ ହରିହର ନନ୍ଦଙ୍କ ଦେହାନ୍ତ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ଓ ସେ ଦୀର୍ଘ ଦିନ ଧରି ଯକୃତଜନିତ ସମସ୍ୟାରେ ପୀଡ଼ିତ ଥିଲେ। ସୋମବାର ପ୍ରତ୍ୟୁଷ‌ରେ ଚିକିତ୍ସାଧୀନ ଅବସ୍ଥାରେ ସେ ସମ୍ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ଭୁବନେଶ୍ବର ଉତ୍କଳ ବିପନ୍ନ ସହାୟତା ସମିତିରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଶେଷ ଦର୍ଶନ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କ ଶେ‌ଷଦର୍ଶନ ଅବସରରେ ଗଭୀର ଶୋକବ୍ୟକ୍ତ କରିବା ସହ ଦେଶ ଜଣେ ପ୍ରକୃତ ରାଷ୍ଟ୍ରଭକ୍ତଙ୍କୁ ହରାଇଲା ବୋଲି କହିଥିଲେ। ରାଜ୍ୟ ସଭା ସାଂସଦ ତଥା ‘ସମ୍ବାଦ’ ସଂପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଓ ବହୁ ବିଶିଷ୍ଟ ବ୍ୟକ୍ତି ଆଜି ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗଭୀର ଶୋକବ୍ୟକ୍ତ କରିଛନ୍ତି। ୧୯୩୬ ମସିହାରେ ବାଲେଶ୍ବର ଲଙ୍ଗଳେଶ୍ବର ନିକଟ ବାଳିଆପାଟିରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ନନ୍ଦ କୋଲାକାତା ବିଶ୍ବବିଦ୍ୟାଳୟରୁ ବିଜ୍ଞାନ ଓ ଆଇନରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ପରେ ସେ ଆର୍‌ଏସ୍‌ଏସ୍‌ରେ ସାମିଲ୍ ହୋଇଥିଲେ। ମାତ୍ର ଅଳ୍ପ ଦିନ ମଧ୍ୟରେ ସେ ପୂର୍ବ ପ୍ରାନ୍ତର ପ୍ରଚାରକ ଓ କାର୍ଯ୍ୟାବହ ଦାୟିତ୍ବ ନିର୍ବାହ କରିବାକୁ ସକ୍ଷମ ହୋଇଥିଲେ। କଟକ ଜିଲ୍ଲା ତାଙ୍କ କର୍ମଭୂମି ଥିଲେ ବି ସମଗ୍ର ଓଡ଼ିଶାରେ ଆର୍‌ଏସ୍‌ଏସ୍‌କୁ ବିସ୍ତାର କରିବାରେ ତାଙ୍କ ବଡ଼ ଭୂମିକା ଥିଲା। ସେ ଥିଲେ ସାପ୍ତାହିକ ପତ୍ରିକା ‘ରାଷ୍ଟ୍ରଦୀପ’ର ପ୍ରତିଷ୍ଠାତା ସମ୍ପାଦକ। ଜଣେ ଦକ୍ଷ ସଂଗଠକ ଭାବେ ଜଣାଶୁଣା ସ୍ବର୍ଗତ ନନ୍ଦ ଭଲ ସୁବକ୍ତା, ଲେଖକ, ଅନୁବାଦକ, ସାମ୍ବାଦିକ ମଧ୍ୟ ଥିଲେ। ‘ଅପୂଜା ଦିଅଁ’, ‘ଦେଶର ହତ୍ୟା’, ‘ମୋ ପଲା’, ‘ସଂଘ ପରିଚୟ’ ଭଳି ବହୁ ପୁସ୍ତକର ଅନୁବାଦକ ଭାବେ ସେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ସେହିଭଳି ବାବାସାହେବ୍ ଆପ୍‌ତେଙ୍କ ‘ଦଶାବତାର’ ପୁସ୍ତକକୁ ଅନୁବାଦ କରିଥିଲେ। ତାଙ୍କ ରଚିତ ଭ୍ରମଣ କାହାଣୀ ମଧ୍ୟ ବେଶ୍ ଲୋକାଦୃତ ହୋଇଛି। ତେବେ ‘ମା ନର୍ମଦା’ ପୁସ୍ତକଟି ଅପ୍ରକାଶ୍ୟ ହୋଇ ରହିଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ସଂଘର କ୍ଷେତ୍ର କାର୍ଯ୍ୟବାହ ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର, ଉତ୍କଳ ପୂର୍ବପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି, ପ୍ରାନ୍ତ କାର୍ଯ୍ୟବାହ ଅନିଲ କୁମାର ମିଶ୍ର, ସହ ପ୍ରାନ୍ତକାର୍ଯ୍ୟବାହ ଇଂ ସୁଦର୍ଶନ ଦାସ, ତାଙ୍କ ଝିଆରୀ ନିବେଦିତା ନନ୍ଦ ଓ ଝିଆରୀ ଜ୍ବାଇଁ ତଥା ବିଶ୍ବହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତା ଗୌରୀ ପ୍ରସାଦ ରଥ ପ୍ରମୁଖ ସ୍ବର୍ଗତ ନନ୍ଦଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର