ନୃସିଂହନାଥ ପୀଠରେ ପୁଣି ଆରମ୍ଭ ହେଲା ‘ହରିହର ପଙ୍ଗତ’ ପ୍ରସାଦ

ପାଇକମାଳ : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃସିଂହନାଥ ପୀଠରେ ମହାପ୍ରଭୁଙ୍କ ‘ହରିହର ପଙ୍ଗତ’ ପ୍ରସାଦ କୋଭିଡ୍‌ କଟକଣା ଯୋଗୁଁ ଦୀର୍ଘ ମାସ ପରେ  ଗୁରୁବାର ଦିନ ଶ୍ରଦ୍ଧାଳୁମାନଙ୍କୁ ମିଳିଛି। ୧୭ ମାର୍ଚ୍ଚ ୨୦୨୦ ଠାରୁ ହରିହର ପଙ୍ଗତ ଓ ବିକ୍ରି ଅର୍ଣ୍ଣଭୋଗକୁ କୋଭିଡ୍‌ ନିୟମ ପାଳନ କରି ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା। ଗତ ଦୁଇ ବର୍ଷ ମଧ୍ୟରେ ୬ ଜାନୁଆରି ୨୦୨୧ରୁ ୧ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ହରିହର ପଙ୍ଗତ ଦିଆଯାଇଥିଲା। ପୂର୍ବରୁ ମହାପ୍ରଭୁଙ୍କ ସମସ୍ତ ରୀତିନୀତି ଚାଲୁଥିବା ବେଳେ ମଧ୍ୟାହ୍ନ ୧୨ଟାରେ ନୃସିଂହ ମହାପ୍ରଭୁଙ୍କଠାରେ ଭୋଗ ଲଗାଯାଇ ମନ୍ଦିର ବେଢ଼ାରେ ଭକ୍ତମାନଙ୍କୁ ଏହି ପ୍ରସାଦ ମାଗଣାରେ ବଣ୍ଟନ କରାଯାଉଥିଲା। କିନ୍ତୁ କରୋନା ‌ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିର ଅର୍ଣ୍ଣ ଭୋଗ ବିକ୍ରି ୨୩ ମାସ ହେଲା ମଧ୍ୟ ବନ୍ଦ ରହିଛି।

ଗୁରୁବାରଠାରୁ କେବଳ ହରିହର ପଙ୍ଗତ ପ୍ରସାଦ ଚାଲୁ ହୋଇଛି। କିନ୍ତୁ ବିକ୍ରି ଅନ୍ନଭୋଗ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ରହିଛି। କଟକଣା ପାଳନ କରି ମନ୍ଦିର ପ୍ରଶାସନର କାମ ଓ ସେବା ମଧ୍ୟ ଠିକ୍‌ ଭାବରେ ସମ୍ପାଦନ କରାଯାଉଛି। ପ୍ରଶାସନର ନିର୍ଦ୍ଦେଶ ତଥା ଆବଶ୍ୟକୀୟ ଗାଇଡ୍‌ ଲାଇନର ଅନୁପାଳନ କରି ଶ୍ରଦ୍ଧାଳୁ, ତୀର୍ଥଯାତ୍ରୀମାନଙ୍କୁ ସଠିକ୍‌ ସେବା ଯୋଗାଇ ଦେବା ପାଇଁ ମନ୍ଦିର ପ୍ରଶାସନ ପ୍ରସ୍ତୁତ ରହିଛି। ଶ୍ରଦ୍ଧାଳୁ, ତୀର୍ଥଯାତ୍ରୀମାନେ ମଧ୍ୟ ସମସ୍ତ ନିୟମ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଆଗାମୀ ଦିନରେ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରଭୁଙ୍କ ବିକ୍ରି ଅର୍ଣ୍ଣଭୋଗ ଜାରି ରହିବ ବୋଲି ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର