ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ଶିରିଗିଡା ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଆସନ ବିବାଦ ତୁଟିଛି। ଦୀର୍ଘ ଦିନ ଧରି ଏହି ଆସନକୁ ନେଇ ବିବାଦ ଲାଗିରହିଥିବା ବେଳେ ପୂର୍ବତନ ଅଧ୍ୟକ୍ଷ ଗିରିଜା ଶଙ୍କର ମହାପାତ୍ର ଏହି ପଦବୀରୁ ବିଦା ହୋଇଛନ୍ତି। ନୂତନ ଭାବେ ଉଦ୍ଭିଦ ବିଜ୍ଞାନର ବରିଷ୍ଠ ଅଧ୍ୟାପ ହରିହର ପତି ଆଜି ଦାୟିତ୍ଵ ନିର୍ବାହ କରିଛନ୍ତି।
ତତ୍କାଳୀନ ପରିଚାଳନା କମିଟିକୁ ଧରି ବେଆଇନ ଭାବେ ୨୦୦୪ ମସିହାରୁ ଶ୍ରୀ ମହାପାତ୍ର ଏହି ଦାୟିତ୍ଵ ନିର୍ବାହ କରି ଆସୁଥିଲେ। ତାଙ୍କ ସମୟରେ ଆର୍ଥିକ ଅନିୟମିତତା, ବିଶୃଙ୍ଖଳିତ ଆଚରଣ, ନଥିପତ୍ର ହେରଫେର, କାଗଜପତ୍ର ଜାଲିଆତି ଭଳି ଅନେକ ଅଭିଯୋଗ ହୋଇଥିଲା। ୧୯୯୨ ମସିହାରେ ସ୍ଥାପିତ ଏହି ଶିକ୍ଷାନୁଷ୍ଠାନର ପ୍ରାଥମିକ ପର୍ଯ୍ୟାୟରେ ସୁନାମ ରହିଥିଲା।
୨୦୦୮ ମସିହାରେ ସରକାରୀ ଅନୁଦାନ ପ୍ରାପ୍ତ ପରେ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ ବିବାଦ ମୁଣ୍ଡ ଟେକିଥିଲା। ୨୦୧୬ ରେ ଆର୍ଥିକ ଅନିୟମିତତା ତଥା ଛାତ୍ର ଓ କର୍ମଚାରୀ ମାରଣନୀତି ଯୋଗୁଁ ବିବାଦ ଉଗ୍ରରୂପ ନେଇଥିଲା। ତଞ୍ଚକତା କରି ଛାତ୍ରଛାତ୍ରୀଙ୍କ ଠାରୁ ଅର୍ଥ ଆଦାୟ ଓ ଖର୍ଚ୍ଚ, କର୍ମଚାରୀଙ୍କ ଦରମାରୁ ଅର୍ଥ ଭରଣା ଓ ସ୍ବେଚ୍ଛାଚାରୀ କାର୍ଯ୍ୟକାଳ ବୃଦ୍ଧି ପାଇବା ଯୋଗୁଁ ଆଗଭଳି ଛାତ୍ରଛାତ୍ରୀ ନାମ ଲେଖାଇଲେ ନାହିଁ। ଏହାକୁ ବିରୋଧ କରି ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ତଥା ବୁଦ୍ଧିଜୀବୀ ଏକଜୁଟ ହୋଇ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠାନର ସଭାପତି କେନ୍ଦୁଝର ଉପଜିଲ୍ଲାପାଳ ତଦନ୍ତ କରି ସମସ୍ତ ତଥ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୨୦ ରେ ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ମହାପାତ୍ରଙ୍କୁ ଅଧ୍ୟକ୍ଷ ଦାୟିତ୍ଵରୁ ଅବ୍ୟାହତ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ସେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରି ବିଫଳ ହୋଇଛନ୍ତି।
ସରକାର ତଥା ଶିକ୍ଷା ବିଭାଗ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଠିକ ବୋଲି ତାଙ୍କ ରାୟ ଶୁଣାଇଛନ୍ତି। ଫଳରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ର ସଂଖ୍ୟା ୧୦୨୦୨/ ତା ୨୭/୮/୨୦୨୪ ରିଖ ଅନୁଯାୟୀ ନୂତନ ଭାବେ ବରିଷ୍ଠ ଅଧ୍ୟାପକ ହରିହର ପତି ଦାୟିତ୍ଵ ଗ୍ରହଣ କରିଛନ୍ତି। ଶିରିଗିଡା ଗ୍ରାମ୍ୟ କମିଟି ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ, ଶିକ୍ଷାବିତ ଅରୁଣ କୁମାର ସାହୁ, ବରିଷ୍ଠ ନାଗରିକ ତଥା ବୁଦ୍ଧିଜୀବୀ ପ୍ରଫୁଲ୍ଲ କୁମାର ପ୍ରଧାନ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ନୂତନ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/FzsvtORJHGGHARRAsF82.jpeg)