ବିଶ୍ବଜିତ ଦାଶ
ଭୁବନେଶ୍ବର: ଯୁଦ୍ଧକୁ ଓହ୍ଲାଇଥିବା କୌଣସି ଦେଶ ପ୍ରତିପକ୍ଷ ସହ ଗୁଳିଗୋଳାରେ ମୁହାଁମୁହିଁ ହେବା ପୂର୍ବରୁ ସାଇବର୍ ଯୁଦ୍ଧକୁ ଓହ୍ଲାଇଛନ୍ତି। ଭାରତ ମଧ୍ୟ ସାଇବର୍ ସିକ୍ୟୁରିଟିକୁ ଅଧିକ ଫୋକସ୍ କରୁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଇବର୍ ସିକ୍ୟୁରିଟି ଭିତ୍ତିଭୂମି ସୁଦୃଢ଼ କରିବାକୁ ପାଣି ଭଳି ଅର୍ଥ ଶ୍ରାଦ୍ଧ କରୁଛନ୍ତି। ବିଡ଼ମ୍ବନାର ବିଷୟ, ଓଡ଼ିଶାରେ ସରକାରୀ ୱେବ୍ସାଇଟ୍ଗୁଡ଼ିକ ଯେପରି ସୁରକ୍ଷିତ ରହିବା କଥା, ତାହା ପରିଲକ୍ଷିତ ହେଉନାହିଁ। ଜଣେ ହ୍ୟାକର୍ ଯଦି କୌଣସି ଗୋଟିଏ ବିଭାଗର ୱେବ୍ସାଇଟ୍ ହ୍ୟାକ୍ କରିବାର ‘ପ୍ରାଇଭେଟ୍ କି’ ପାଇଯାଉଛି ତେବେ ସରକାରଙ୍କ ସବୁ ବିଭାଗ ଏବଂ ଅଧୀନସ୍ଥ କାର୍ଯ୍ୟାଳୟଗୁଡ଼ିକର ୱେବ୍ସାଇଟ୍ ହ୍ୟାକ୍ କରି ସବୁ ତଥ୍ୟ ନେଇଯିବ।
ରାଜ୍ୟ ସରକାର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଓକାକ୍ ମାଧ୍ୟମରେ ବର୍ଷକୁ ପ୍ରାୟ ୧୦୦୦ରୁ ୧୫୦୦କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଅଥଚ ସରକାରୀ ବିଭାଗଗୁଡ଼ିକର ୱେବ୍ସାଇଟ୍ ଡୋମେନ୍ ଏବଂ ସବ୍ଡୋମେନ୍ର ସୁରକ୍ଷା ପାଇଁ ଗୋଟିଏ ‘ପ୍ରାଇଭେଟ୍ କି’ ବ୍ୟବହାର କରାଯାଉଛି। ରାଜ୍ୟ ସରକାରଙ୍କ ଯେଉଁ ୱେବସାଇଟ୍ରେ odisha.gov.in ଡୋମେନ୍ ବ୍ୟବହାର ହେଉଛି ତାହାର ସୁରକ୍ଷା ପାଇଁ ଓକାକ୍ କେବଳ ଗୋଟିଏ ସିକ୍ୟୁର୍ ସକେଟ୍ ଲେୟାର (ଏସ୍ଏସ୍ଏଲ୍) ବାବଦକୁ ୱାଇଲ୍ଡ କାର୍ଡ ସାର୍ଟିଫିକେଟ୍ ବ୍ୟବହାର କରୁଛି। ଅର୍ଥାତ୍ ଗୋଟିଏ ଘରେ ୧୦ଟି ରୁମ୍ରେ ପଡ଼ୁଥିବା ତାଲା ପାଇଁ ଗୋଟିଏ ଚାବି ରଖିବା ଯେମିତି, ସରକାରଙ୍କ ଶତାଧିକ ୱେବସାଇଟ୍ ପାଇଁ ଗୋଟିଏ ସୁରକ୍ଷା ସଫ୍ଟୱେର ବା ୱାଇଲ୍ଡ କାର୍ଡ ସଫ୍ଟୱେର ରହିବା ସେମିତି। ରାଜ୍ୟ ସରକାର ବିଭିନ୍ନ ବିଭାଗର ୱେବ୍ସାଇଟ୍ରେ ସାମାଜିକ ସୁରକ୍ଷା ଭତ୍ତା, ଚାଷୀ, ମହିଳାଙ୍କୁ ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ କରିବାକୁ ସେମାନଙ୍କର ଆଧାର କାର୍ଡ, ପାନ୍ କାର୍ଡ ଆଦି ତଥ୍ୟ ରଖୁଛନ୍ତି। ଏପରିକି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ହେଉଥିବା ଅନଲାଇନ୍ ନାମଲେଖା ପ୍ରକ୍ରିୟାରେ ବି ଛାତ୍ରଛାତ୍ରୀମାନେ ସେମାନଙ୍କ ସମସ୍ତ ମାର୍କସିଟ୍, ସାର୍ଟିଫିକେଟ୍ରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରମାଣପତ୍ର ଦେଉଛନ୍ତି। କିନ୍ତୁ ୱେବ୍ସାଇଟ୍ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ବ୍ୟବହାର ହେଉଥିବା ଏସ୍ଏସ୍ଏଲ୍ ଯଥେଷ୍ଟ ନୁହେଁ ବୋଲି ଆଇଟି ବିଶେଷଜ୍ଞମାନେ କହିଲେଣି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଏକ ୱେବ୍ସାଇଟ୍ ହ୍ୟାକ୍ କରିବାକୁ ଥିବା ଅନେକ ବାଟ ମଧ୍ୟରୁ ଏସ୍ଏସ୍ଏଲ୍ ଏଥିରୁ ଗୋଟିଏ। ହ୍ୟାକର୍ ଉପରେ ନିର୍ଭର କରୁଛି ସେ କେମିତି ହ୍ୟାକ୍ କରିବ। ଘରୋଇ ସଂସ୍ଥାଗୁଡ଼ିକର ୱେବ୍ସାଇଟ୍ ବହୁତ ସଶକ୍ତ। ଅଥଚ ସରକାର ଏଥିରେ ପଛରେ।3
ୱାଇଲ୍ଡ କାର୍ଡରେ ସବୁ ବିଭାଗର ୱେବ୍ସାଇଟ୍
ସରକାରୀ ୱେବ୍ସାଇଟ୍ ସୁରକ୍ଷା ମୁକୁଳା
ଓକାକ୍ ଉପରେ କେବେ ନଜର ପଡ଼ିବ
ହ୍ୟାକର୍ ଲୁଟିନେବେ ଲୋକଙ୍କ ତଥ୍ୟ!
ହ୍ୟାକିଂ ରୋକିବାକୁ କାମ କରୁଛୁ: ଓକାକ୍
କେବଳ ଏତିକି ନୁହେଁ, ଓକାକ୍ରେ ଏବେ ପ୍ରାୟ ୨୫ଟି ସଂସ୍ଥା ଏମ୍ପ୍ୟାନେଲ୍ ହୋଇଛନ୍ତି। ଏଥିରୁ ମାତ୍ର କେତୋଟି ହାତଗଣତି ସଂସ୍ଥାକୁ ବିଭିନ୍ନ ବିଭାଗର କାମ ଦିଆଯାଉଛି। ଏପରିକି ଯେଉଁ ୱେବସାଇଟ୍ ଡେଭଲପ୍ କରିବାକୁ ୫ରୁ ୭ଲକ୍ଷ ଟଙ୍କା ଖର୍ଚ୍ଚ ହେବା କଥା ସେଥିପାଇଁ ୨୦ରୁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ଏହାସତ୍ତ୍ବେ ୱେବସାଇଟ୍ଗୁଡ଼ିକ ଜିଆଇଜିଡବ୍ଲ୍ୟୁ ମାନଦଣ୍ଡ ପୂରଣ କରୁନାହାନ୍ତି। ଅଧିକାଂଶ ବିଭାଗ ୱେବ୍ସାଇଟ୍ ପାଇଁ ସର୍ଟ-ଇନ୍ କ୍ଲିଅରାନ୍ସ ଆଣୁନାହାନ୍ତି କି ପ୍ରତି ବର୍ଷ, କିମ୍ବା ଆପ୍ଲିକେସନ୍ରେ କିଛି ପରିବର୍ତ୍ତନ କରାଗଲେ ୱେବ୍ସାଇଟ୍ଗୁଡ଼ିକର ପୁଣି ଅଡିଟ୍ ହେଉନାହିଁ ବୋଲି ଅଭିଯୋଗ ହେଉଛି।
ଅପରପକ୍ଷେ ଓକାକ୍ କର୍ତ୍ତୃପକ୍ଷ କହିଛନ୍ତି, କୌଣସି ୱେବ୍ସାଇଟ୍ ହ୍ୟାକ୍ ହେବନି ବୋଲି କହି ହେବନି। ବହୁ ନୂଆ ଜ୍ଞାନକୌଶଳ ଆସୁଛି, ତାକୁ କିଏ କେମିତି ବ୍ୟବହାର କରି କୌଣସି ୱେବ୍ସାଇଟ୍ରେ ପଶିପାରନ୍ତି। ତେବେ ୱେବ୍ସାଇଟ୍ଗୁଡ଼ିକ ଯେପରି ହ୍ୟାକ୍ ହେବନି, ସେଥିପାଇଁ ଆମେ ଆବଶ୍ୟକ ପଦକ୍ଷେପ ନେଇଛୁ। ୱାଇଲ୍ଡ କାର୍ଡ ମାଧ୍ୟମରେ ସବୁ ସରକାରୀ ୱେବ୍ସାଇଟ୍ର ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିଛୁ। ଏହାବାଦ୍ ଓକାକ୍ରେ ସାଇବର୍ ସିକ୍ୟୁରିଟି ଅପରେସନ୍ ସେଣ୍ଟର ୨୪ଘଣ୍ଟା କାମ କରୁଛି। ଏହା ମାଧ୍ୟମରେ କିଏ କେଉଁଠି କେଉଁ ୱେବସାଇଟ୍ ଖୋଲିଲା, ହ୍ୟାକ୍ କରିବାକୁ ଚାହୁଛି କି ନାହିଁ, ତାହା ଆମେ ତୁରନ୍ତ ଜାଣିପାରିବୁ। କେହି ୱେବ୍ସାଇଟ୍ ହ୍ୟାକ୍ କଲେ ଆମେ ତୁରନ୍ତ ପଦକ୍ଷେପ ନେବୁ। ଓକାକ୍ ସିଇଓ ପ୍ରଦୀପ ରାଉତ କହିଛନ୍ତି, ପୂର୍ବରୁ କେତୋଟି ହାତଗଣତି ସଂସ୍ଥା ଏକପାଖିଆ ଭାବେ କାମ କରୁଥାଇପାରନ୍ତି। କିନ୍ତୁ ଆମେ ଗତ କିଛି ମାସ ହେଲା ଓକାକ୍ ଦ୍ବାରା ଏମ୍ପ୍ୟାନେଲ୍ ହୋଇଥିବା ସଂସ୍ଥା ଏବଂ କେତେକ ନୂଆ ସଂସ୍ଥାକୁ କାମ ଦେଉଛୁ। ସରକାରୀ ବିଭାଗଗୁଡ଼ିକ ସେମାନଙ୍କ ପସନ୍ଦର ସଂସ୍ଥାଙ୍କ ଦ୍ବାରା ୱେବ୍ସାଇଟ୍ ଡେଭଲପ୍ କରିପାରିବେ। କିନ୍ତୁ ସେମାନେ ଓକାକ୍ ଉପରେ ନିର୍ଭର କରୁଥିବାରୁ ଆମେ ପ୍ୟାନେଲ ଭିତରର ସଂସ୍ଥାଙ୍କୁ ଟେଣ୍ଡର କରି କାମ ଦେଉଛୁ। େକୗଣସି କ୍ଷେତ୍ରରେ ପ୍ରିୟାପ୍ରୀତି ନାହିଁ। ଓକାକ୍ ଯେଉଁ ପ୍ରକଳ୍ପ କରୁଛି ସେଥିପାଇଁ ବିଭାଗଗୁଡ଼ିକଠାରୁ ମୋଟ୍ ଖର୍ଚ୍ଚର ୫ରୁ ୧୦% ଅର୍ଥ ଓକାକ୍ ପାଇଥାଏ।
ସୂଚନାଯୋଗ୍ୟ ଯେ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିଥିଲେ ଯେ କେତେକ ଇଞ୍ଜିନିୟରିଂ ପ୍ରକଳ୍ପ/ନିର୍ମାଣ ଭିତ୍ତିଭୂମି ପାଇଁ (ପୂର୍ତ୍ତ, ଜଳସମ୍ପଦ, ଇଡ୍କୋ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ) ଡିପିଆର୍, ଡିଜାଇନିଂ, ପ୍ଲାନିଂ ଆଦି ଆଉଟ୍ସୋର୍ସିଂ ସଂସ୍ଥା ଦ୍ବାରା କରାଯାଉଥିବାରୁ ସରକାରୀ ରାଜକୋଷରୁ ଅଯଥାରେ ହଜାର ହଜାର କୋଟି ଖର୍ଚ୍ଚ ହେଉଛି। ବିଭିନ୍ନ ବିଭାଗରେ ଏତେ ଯୋଗ୍ୟ ଇଞ୍ଜିନିୟର ଥିବା ସତ୍ତ୍ବେ କାହିଁକି ସେମାନେ ପ୍ରକଳ୍ପଗୁଡ଼ିକର ଡିଜାଇନ୍ ଓ ପ୍ଲାନିଂ ବ୍ୟବସ୍ଥା କରୁନାହାନ୍ତି। ଏ ନେଇ ମୁଖ୍ୟ ସଚିବଙ୍କଠାରୁ ରିପୋର୍ଟ ମାଗିଛନ୍ତି। ହେଲେ ସରକାର ସଡ଼କ, ଜଳସମ୍ପଦ, ରାସ୍ତା, ପାନୀୟ ଜଳ, କୋଠା ଆଦି ଭିତ୍ତିଭୂମି ନିର୍ମାଣରେ ହେଉଥିବା ଅନିୟମିତତାକୁ ଧରିବାକୁ ଉଦ୍ୟମ କରିଥିଲେ ହେଁ ସଫ୍ଟୱେର ଭିତ୍ତିଭୂମି ନାଁରେ ହେଉଥିବା ହଜାର ହଜାର କୋଟିର ହରିଲୁଟ୍ ନେଇ ଏପର୍ଯ୍ୟନ୍ତ ଟେର୍ ପାଉନାହାନ୍ତି। ରାଜ୍ୟରେ ଶତାଧିକ ସଫ୍ଟୱେର କମ୍ପାନି ଥିଲେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ କମ୍ପାନି ମାଧ୍ୟମରେ କାହିଁକି ବର୍ଷ ବର୍ଷ ଧରି ଶହ ଶହ କୋଟି ଟଙ୍କାର କାମ ହେଉଛି, ସେ ବାବଦରେ କେହି ଯାଞ୍ଚ କରୁନାହାନ୍ତି।