ହରିଶ୍ଚନ୍ଦ୍ର ଯୋଜନାରେ ହରିଲୁଟ୍‌ ଘଟଣା: ହିତାଧିକାରୀ ପାଇନାହାନ୍ତି, ଟଙ୍କା ନେଲା କିଏ?

ତଦନ୍ତ କରିବେ ହାଟଡିହି ବିଡିଓ

କେନ୍ଦୁଝର/ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଶାଳଣିଆଁ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ବ୍ୟାପକ ହରିଲୁଟ୍‌ ହୋଇଛି। ସହାୟତା ରାଶି ହଡ଼ପ ପାଇଁ ଜଣେ ଜଣେ ଲୋକଙ୍କୁ ଦୁଇଥର ମାରି ଦିଆଯାଇଛି। ଏହି ଯୋଜନାରେ ହିତାଧିକାରୀମାନେ ଟଙ୍କା ପାଇନଥିବା କହୁଥିବା ବେଳେ ସେମାନଙ୍କ ନାମରେ ଏକାଧିକ ଥର ଟଙ୍କା କିଏ ନେଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ଶାଳଣିଆଁ ପଞ୍ଚାୟତ ମନୋହରପୁର ଗ୍ରାମର ଅଗଣି ମୁଖୀଙ୍କ ଗତ ୪ ବର୍ଷ ତଳୁ ମୃତ୍ୟୁ ଘଟିଛି। ଅଗଣିଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପାଇବା ପାଇଁ ଆବେଦନ କରିଥିଲେ। ମାତ୍ର ତାଙ୍କୁ ଏହି ଯୋଜନାରେ ସହାୟତା ରାଶି ଦିଆଯାଇ ନଥିଲା। ଅନ୍ୟପକ୍ଷରେ ତାଙ୍କ ନାମରେ ଦୁଇଥର ଟଙ୍କା ଉଠିଥିବା ନେଇ ସରକାରୀ ତଥ୍ୟ କହୁଛି। ଅଗଣି ୨୦୨୧ ଡିସେମ୍ବର ୨୭ ଏବଂ ୨୦୨୨ ମେ ୨୬ ତାରିଖରେ ଦୁଇଥର ପ୍ରାଣ ହରାଇଥିବା ଦର୍ଶା‌ଇ ତାଙ୍କ ନାମରେ ୪ ହଜାର ଟଙ୍କା ହରିଶ୍ଚନ୍ଦ୍ର ଯୋଜନାରେ ଉଠାଯାଇଛି। ହେଲେ ପରିବାର ସଦସ୍ୟ କହୁଛନ୍ତି ସେମାନେ ଟଙ୍କାଟିଏ ପାଇନାହାନ୍ତି। ତେବେ ଏହି ଟଙ୍କା କିଏ ନେଲା ବୋଲି ପ୍ରଶ୍ନ ଉଠିଛି।

ସୋଲପଟା ଗ୍ରାମର ଭାବଗ୍ରାହୀ ସ୍ୱାଇଁ ୨୦୨୧ ଫେବ୍ରୁଆରି ୧୦ରେ ପ୍ରାଣ ହରାଇଥିଲେ। ତାଙ୍କ ପୁଅ ଉଦୟନାଥ ସ୍ୱାଇଁଙ୍କୁ ୨୦୨୧ ଡିସେମ୍ବର ୧୩ରେ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇହଜାର ଟଙ୍କା ଦିଆଯାଇଥିବା ଦର୍ଶାଯାଇଛି। ପୁଣି ୨୦୨୨ ଜୁନ୍‌ ୪ ତାରିଖରେ ଭାବଗ୍ରାହୀଙ୍କ ମୃତ୍ୟୁ ଘଟିଥିବା ଦର୍ଶାଯାଇ ଉଦୟନାଥଙ୍କୁ ଆଉଥରେ ୨୦୨୨ ଜୁନ୍‌ ୨୩ ତାରିଖରେ ଏହି ଯୋଜନାରେ ଦୁଇହଜାର ଟଙ୍କା ଦିଆଯାଇଥିବା ସରକାରୀ ତଥ୍ୟ କହୁଛି। ମାତ୍ର ଉଦୟନାଥଙ୍କ କହିବା କଥା ହେଲା, ସେ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପାଇବା ପାଇଁ କେବେ ବି ଆବେଦନ କରିନାହାନ୍ତି। ଏ ବାବଦକୁ ଟଙ୍କାଟିଏ ବି ନେଇନାହାନ୍ତି।

ଅଗଣି ଓ ଭାବଗ୍ରାହୀଙ୍କ ପରି ଏଲକଣିଆ ଗ୍ରାମର ବେଣୁଧର ନାୟକଙ୍କ ନାମରେ ମଧ୍ୟ ସମାନ ଢଙ୍ଗରେ ସରକାରୀ ଅନୁଦାନ ହରିଲୁଟ୍‌ କରାଯାଇଛି। ବେଣୁଧରଙ୍କ ପରିବାର ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପାଇବା ପାଇଁ ଦୁଇଥର ଆବେଦନ କରିବା ସତ୍ତ୍ବେ ଟଙ୍କାଟିଏ ବି ପାଇନାହାନ୍ତି। ମାତ୍ର ତାଙ୍କ ନାମରେ ଟଙ୍କା ଉଠା ଯାଇଥିବା ଜାଣିବା ପରେ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏ ସମ୍ପର୍କରେ ହାଟଡିହି ବିଡ଼ିଓ ବିଚିତ୍ର କରଙ୍କୁ ପଚାରିବାରୁ, ସେ ଘଟଣା ସମ୍ପର୍କରେ ଅବଗତ ଅଛନ୍ତି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସେ ନିଜେ ଏହାର ତଦନ୍ତ କରିବେ। ତଦନ୍ତ ପରେ ଦୋଷୀଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ କର କହିଛନ୍ତି।

ସମ୍ବନ୍ଧିତ ଖବର