ସ୍କୁଲ ଭିତ୍ତିଭୂମି ବିକାଶ ନା’ରେ ହରିଲୁଟ୍‌ ମସୁଧା! ବିନା ‌ଟେଣ୍ଡରରେ ଠିକାସଂସ୍ଥାଙ୍କୁ ୬ କୋଟିର କାମ

ରାଉରକେଲା : ବିଭିନ୍ନ ଯୋଜନାରେ ଦୁର୍ନୀତିକୁ‌ ନେଇ ସବୁବେଳେ ବିବାଦରେ ରହିଛି ପାନପୋଷ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)। ଏବେ ‘ ମୋ ସ୍କୁଲ ଅଭିଯାନ’ ଅଧୀନରେ ସ୍କୁଲଗୁଡ଼ିକର ଭିତ୍ତିଭୂମି ବିକାଶ କାମରେ ମଧ୍ୟ ସଂସ୍ଥା ପକ୍ଷରୁ ସାଂଘାତିକ ଅନିୟମିତତା କରା ଯାଇଥିବା ଅଭିଯୋଗ ହୋଇଛି। ପ୍ରାୟ ୬ କୋଟିର ଏହି କାମକୁ ସରକାରୀ ନୀତିନିୟମକୁ ସଂପୂର୍ଣ୍ଣରୂପେ ଅଣନଦେଖା କରି ବିଭାଗୀୟ ଅଧିକାରୀ ବିନା ଟେଣ୍ଡରରେ ଠିକାସଂସ୍ଥାଗୁଡ଼ିକୁ ବାଣ୍ଟି ଦେଇଛନ୍ତି।

ରାଉରକେଲାର ୧୫ଟି ସରକାରୀ ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ନିଷ୍ପତ୍ତି ନିଆ ଯାଇଥିବାବେଳେ ତା’ ଭିତରୁ ୧୦ଟି ସ୍କୁଲର କାମ ପାନପୋଷ ଆଟିଡିଏକୁ ଦିଆଯାଇଛି। ଅନ୍ୟ ୫ଟି ସ୍କୁଲ ଦିଆ ଯାଇଛି ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)କୁ। ପାନପୋଷ ଆଇଟିଡିଏ ନେଇଥିବା ସ୍କୁଲଗୁଡ଼ିକ ମଧ୍ୟରେ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟ, ସାରନଗରୀ ବାଲିଯୋଡିର ସୋନାପର୍ବତ ସରକାରୀ ଉଚ୍ଚ ବିଦ୍ୟାଳୟ, ଡେଲିମାର୍କେଟ ଉଚ୍ଚ ବିଦ୍ୟାଳୟ, ପ୍ଲାଣ୍ଟସାଇଟ୍‌ ସ୍ଥିତ ଆଚାର୍ଯ୍ୟ ହରିହର ସରକାରୀ ଉଚ୍ଚ ବିଦ୍ୟାଳୟ, ବନ୍ଧମୁଣ୍ଡାର କଲ୍ୟାଣୀ ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟ, ପୁରୁଣା ଷ୍ଟେସନ ନିକଟ ରାଷ୍ଟ୍ରୀୟ ଉଚ୍ଚ ବିଦ୍ୟାଳୟ, ୱାର୍ଡ ନଂ ୧୩ର ଗୋପବନ୍ଧୁପାଲୀ ଅପ୍‌ ‌ଗ୍ରେଡେଡ୍‌ ଉଚ୍ଚ ବିଦ୍ୟାଳୟ, ବାସନ୍ତୀ କଲୋନିର ବାସନ୍ତୀ କଲୋନି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସେକ୍ଟର-୨୧ ନୟାବଜାର ମ୍ୟୁନସିପାଲ୍‌ ସରକାରୀ ଉଚ୍ଚ ବିଦ୍ୟାଳୟ ରହିଥିବାବେଳେ ଆର୍‌ଏମ୍‌ସି ଭିତ୍ତିଭୂମି ବିକାଶ କରୁଥିବା ସ୍କୁଲଗୁଡ଼ିକ ହେଉଛି ଦେଓଗାଁର ଉତ୍କଳମଣି ସରକାରୀ ଉଚ୍ଚ ବିଦ୍ୟାଳୟ, ସିଭିଲଟାଉନସିପ୍‌ ନ୍ୟୁ ଏଲ୍‌ଆଇସି କଲୋନିର ଡେଭଲପ୍‌ଡ୍‌ ଏରିଆ ଉଚ୍ଚ ବିଦ୍ୟାଳୟ, ପାନପ‌ୋଷର ସରକାରୀ ଉଚ୍ଚ ବିଦ୍ୟାଳୟ, ଛେଣ୍ଡ ହାଉସିଂ କଲୋନି ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ସେକ୍ଟର-୧୬ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ।

ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରଥମ ୧୦ଟି ସ୍କୁଲ ପାଇଁ ପ୍ରାୟ ୬ କୋଟି ଓ ଅନ୍ୟ ୫ଟି ସ୍କୁଲ ପାଇଁ ପାଖାପାଖି ୩ କୋଟି, ଏମିତି ମୋଟ୍‌ ପ୍ରାୟ ୯ କୋଟି ଟଙ୍କା ଆସିଛି। ଆର୍‌ଏମ୍‌ସି ୫ଟି ସ୍କୁଲର କାମରେ ଖୋଲା ଇ-ଟେଣ୍ଡର କରିବାକୁ ଯାଉଥିବାବେଳେ ପାନପୋଷ ଆଇଟିଡିଏ କିନ୍ତୁ ବିଭାଗୀୟ କାମ ନାଁରେ ଠିକାସଂସ୍ଥାଗୁଡ଼ିକୁ ବାଣ୍ଟି ଦେଇଛି। ସରକାରଙ୍କ ପିଡବ୍ଲ୍ୟୁଡି କୋଡ୍‌ ଅନୁଯାୟୀ, ୫ ଲକ୍ଷରୁ ଅଧିକ ଟଙ୍କାର କାମରେ ଖୋଲା ଇ-ଟେଣ୍ଡର କରିବା ବାଧ୍ୟତାମୂଳକ। ୫ ଲକ୍ଷରୁ ଅଧିକ ଟଙ୍କାର କାମ ବିନାଟେଣ୍ଡର କରିବାକୁ ହେଲେ ସରକାରଙ୍କର ସ୍ବତନ୍ତ୍ର ଅନୁମତି ଦରକାର। ଏଠାରେ କିନ୍ତୁ ଏସବୁ କିଛି ହୋଇ ନାହିଁ। ପାନପୋଷ ଆଇଟିଡିଏର ବିଭାଗୀୟ ଅଧିକାରୀ ଏସବୁ ନୀତିନିୟମକୁ ଫୁଃ କରି ଦେଇଛନ୍ତି। ଯଦି ଆର୍‌ଏମ୍‌ସି ସମାନ କାମକୁ ଖୋଲା ଇ-ଟେଣ୍ଡର କରିବାକୁ ଯାଉଛି, ଆଇଟିଡିଏ କାହିଁକି ସରକାରଙ୍କର ନୀତି ଅନୁସରଣ କରୁ ନାହିଁ ବୋଲି ପ୍ରଶ୍ନ ଉଠିଛି। ଉଲ୍ଲେଖନୀୟ ଯେ ଜିଲ୍ଲାରେ ଆଇଟିଡିଏଗୁଡ଼ିକ ସବୁବେଳେ ଠିକାଦାର ପୋଷା ନୀତିରେ ଚାଲିଛନ୍ତି ବୋଲି ପୁରୁଣା ଅଭିଯୋଗ ରହିଛି।

ସେପଟେ ଆଇଟିଡିଏର ଏଭଳି କାର୍ଯ୍ୟକୁ କଡା ବିରୋଧ କରିଛି ଜିଲ୍ଲା କଂଗ୍ରେସ। ଖୋଲା ଇ-ଟେଣ୍ଡର ଜରିଆରେ କାମ କରା ନଗଲେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଦଳ ଚେତାବନୀ ଦେଇଛି। ପାନପୋଷ ଆଇଟିଡିଏର ଉପ-ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଛନ୍ତି, ‘‘ବିଭାଗ ୧୦ଟି ସ୍କୁଲର ଭିତ୍ତିଭୂମି କାମ କରିବାକୁ ଯାଉଛି। କିନ୍ତୁ ଅଦ୍ୟାବଧି ଜିଲ୍ଲା ଖଣିଜ ପାଣ୍ଠିରୁ ପାଣ୍ଠି ଆସିନି। ପାଣ୍ଠି ଆସିଲା ପରେ କ’ଣ କରାଯିବ, ବିଭାଗ ନିଷ୍ପତ୍ତି ନେବ।’’ ତାଙ୍କର ଏହି ବକ୍ତବ୍ୟ‌ରେ କେତେ ସତ୍ୟତା ରହିଛି, ଡିଏମ୍ଏଫ୍‌ ପକ୍ଷରୁ ମିଳିଥିବା ଚିଠିରୁ ସ୍ପଷ୍ଟ ବାରି ହୋଇ ପଡୁଛି। ଗତ ମାର୍ଚ୍ଚ ୨୬ରେ ଆସିଥିବା ଚିଠିରେ ୭ ଦିନ ମଧ୍ୟରେ ଆବଶ୍ୟକ ଅନୁଦାନ ପଠାଇ ଦିଆଯିବ ବୋଲି କୁହା ଯାଇଛି।

ସମ୍ବନ୍ଧିତ ଖବର