ପୁରୀ: ଆଜି ଶ୍ରୀମନ୍ଦିରରେ ହରିଶୟନ ଏକାଦଶୀ ନୀତି ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ, ଆଜିଠାରୁ ମହାପ୍ରଭୁ ୪ ମାସ ପର୍ଯ୍ୟନ୍ତ ଶୋଇରହିବେ। ଭାଦ୍ରବ ମାସରେ କଡ଼ ଲେଉଟାଇବେ। କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ମହାପ୍ରଭୁ ନିଦରୁ ଉଠିବେ। ଆଷାଢ଼ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଚାରିମାସ ଠାକୁରେ ଶୟନ କରୁଥିବାରୁ ଏହାକୁ ଚତୁର୍ମାସ୍ୟା କୁହାଯାଏ। ଏହି ସମୟରେ ସାଧୁ, ସନ୍ଥ, ଭକ୍ତ ବୃନ୍ଦ ଚତୁର୍ମାସ୍ୟା ବ୍ରତ ପାଳନ କରିଥାନ୍ତି। ବାହୁଡ଼ା ଦଶମୀ ପରର ଏକାଦଶୀରେ ହରିଶୟନ ନୀତି, ଦ୍ୱାଦଶୀରେ ଗରୁଡ଼ ଶୟନ ନୀତି ଏବଂ ଚତୁର୍ଦ୍ଦଶୀରେ ଶିବଶୟନ ନୀତି ପାଳିତ ହୋଇଥାଏ। ବିଧି ଅନୁସାରେ, ବାହୁଡ଼ା ଦଶମୀ ପରେ ଆଜିଠାରୁ ହରିଶୟନ ନୀତି ଆରମ୍ଭ ହୋଇଛି। ମହାପ୍ରଭୁ ଆଜିଠାରୁ ନିଦ୍ରାରେ ରହୁଥିବାରୁ ଆଜିଠାରୁ ମାଙ୍ଗଳିକ କାର୍ଯ୍ୟ ଯଥା ବିବାହ, ବ୍ରତ ଆଦି ନିଷେଧ ରହିଛି। ଏହି ସମୟରେ ଯାହା କିଛି କାର୍ଯ୍ୟ କରାଯାଏ, ତାହା ଅଶୁଭ ବୋଲି ଧରାଯାଏ। ଅନ୍ୟପଟେ କେବଳ ମହାପ୍ରଭୁ ନୁହନ୍ତି, ହରିଙ୍କ ସମସ୍ତ ରୂପ ବି ଆଜିଠାରୁ ଶୋଇଛନ୍ତି। ଭାଦ୍ରବ ମାସରେ ମହାପ୍ରଭୁଙ୍କ କଡ଼ଲେଉଟା ନୀତି ସହ ଅନ୍ୟ ଦେବଦେବୀ ବି କଡ଼ ଲେଉଟାଇବେ। ଏହି ପରମ୍ପରା ଆଧାରରେ, ଆଜି ରଥରେ ତିନିଠାକୁରଙ୍କ ବଡ଼ସିଂହାର ଭୋଗ ପରେ ବଳଭଦ୍ରଙ୍କ ଶୟନଠାକୁର ପ୍ରଭୁ ବାସୁଦେବ, ମା’ ସୁଭଦ୍ରାଙ୍କ ଶୟନ ଠାକୁରାଣୀ ମା’ ଭୁବନେଶ୍ବରୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶୟନ ଠାକୁର ପ୍ରଭୁ ନାରାୟଣଙ୍କ ଅଙ୍ଗଲାଗି ନୀତି ସଂପନ୍ନ ହୋଇ ଶ୍ରୀମନ୍ଦିର ଭଣ୍ଡାରଘରେ ଶୟନ ପାଇଁ ଆବାହନ କରାଯାଇଥିଲା। ପରେ ତିନିଠାକୁର ଭଣ୍ଡାର ଘର ଖଟ ଉପରେ ଆଜିଠାରୁ ଚାରିମାସ ପର୍ଯ୍ୟନ୍ତ ଶୟନ କରିଛନ୍ତି।
ପରମ୍ପରା ଅନୁଯାୟୀ, ଆଜି ହରିଶୟନ ଏକାଦଶୀ ପରେ ଆସନ୍ତାକାଲି ଦ୍ବାଦଶୀ ତିଥିରେ ଗରୁଡ଼ ଶୟନ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଭଳି ପ୍ରଭୁ ଗରୁଡ଼ ବି ଶୟନରତ ରହିବେ। ମହାପ୍ରଭୁ ଚାରିମାସ ପରେ ଉଠିବା ପରେ ପ୍ରଭୁ ଗରୁଡ଼ ବି ନିଦ୍ରାରୁ ଉଠିବେ। ଆସନ୍ତାକାଲି ସଂଧ୍ୟାଧୂପ ପରେ ଗରୁଡ଼ଙ୍କୁ ଗାଧୁଆପାଧୁଆ କରାଯାଇ ବସ୍ତ୍ରାଦି ଆଭୂଷଣରେ ବେଶ କରାଯିବ। ପଞ୍ଚଭୂତରେ ଭୋଗ ହୋଇ ଗରୁଡ଼ ମହାପ୍ରଭୁଙ୍କୁ ଆବାହନ କରାଯିବ। ପରେ ମହାପ୍ରଭୁ ଶୟନ କରିଥିବା ଭଣ୍ଡାର ଘର ଖଟ ତଳେ ପ୍ରଭୁ ଗରୁଡ଼ ଶୋଇରହିବେ।