ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୟନ୍ତୀ : ଅନ୍ୟଠାରୁ ଭିନ୍ନ ହେବା ଆବଶ୍ୟକ – ରାଜ୍ୟପାଳ

ଭୁବନେଶ୍ୱର : ଶିଶୁଙ୍କ ସହ ଶିଶୁ ହୋଇଯିବା, ବୃଦ୍ଧଙ୍କ ସହ ବୃଦ୍ଧ ହୋଇଯିବା, ରାଜା ସହ ରାଜା ଓ ଯୋଦ୍ଧା ସହ ଯୋଦ୍ଧା ହୋଇଯିବା ପରେ ବି ନିଜର ଭିନ୍ନତା ବଜାୟ ରଖିବା ଉଚିତ। ଭିନ୍ନ ହେବା ଯଦିଓ କଷ୍ଟକର ବ୍ୟାପାର, କିନ୍ତୁ ତ୍ୟାଗ ଓ ନିଷ୍ଠା ରହିଲେ ତାହା ସମ୍ଭବ। ଅବହେଳିତ, ନିଷ୍ପେସିତ, ଗରିବଙ୍କ ସହ ଯିଏ ସବୁବେଳେ ଥାଏ, ପ୍ରଭୁ ତା’ ସହ ସବୁବେଳେ ଥାଆନ୍ତି। ସେଥିପାଇଁ ଅନ୍ୟଠାରୁ ଭିନ୍ନ ହେବା ଆବଶ୍ୟକ। ମୁଁ ଯେତିକି ଜାଣିଛି, ହରିଶ୍ଚନ୍ଦ୍ର ବକ୍ସିପାତ୍ର ଜଣେ ସେଇଭଳି ସ୍ବଭାବର ନେତା ଥିଲେ। ‘ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି କମିଟି’ ପକ୍ଷରୁ ଆଜି ଜୟଦେବ ଭବନରେ ଆୟୋଜିତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କର ୮୪ତମ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଏହା କହିଛନ୍ତି।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ୧୯୯୦ରୁ ୧୯୯୫ ମଧ୍ୟରେ ସେ ମନ୍ତ୍ରୀ ଥିବା ବେଳେ ମୁଁ ତାଙ୍କ ସହିତ ଉପମନ୍ତ୍ରୀ ଭାବେ କାମ କରିବାର ସୁଯୋଗ ପାଇଥିଲି। ଶ୍ରମିକ ନେତା ଭାବରେ ତାଙ୍କର ଏତେ ପ୍ରଭାବ ଥିଲା ଯେ ତାଙ୍କ ଡାକରାରେ ଶହ ଶହ ଲୋକ ଏକାଠି ହୋଇ ଯାଉଥିଲେ। ତେଣୁ ଜଣେ ନେତା ଭାବରେ ସେ ସମସ୍ତଙ୍କର ଆଦର୍ଶ ହୋଇ ରହିବେ ବୋଲି ଶ୍ରୀ ବେହେରା କହିଛନ୍ତି। ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଯୁବକ- ଶ୍ରମିକ-ଛାତ୍ର ସମସ୍ତଙ୍କର ସେ ନେତା ଥିଲେ। ଶାସନରେ ଥାଇ ମଧ୍ୟ ତ୍ରୁଟି ବିରୋଧରେ ସ୍ବର ଉଠାଉଥିଲେ। ଏବେ ଅମଲା ସବୁଠାରୁ ଶକ୍ତିଶାଳୀ ହୋଇଥିବା ବେଳେ ରାଜ୍ୟ ଶାସନରେ ସେମିତି ଦଳଗତ ଉତ୍ସାହ ନାହିଁ। ତେଣୁ ଆଜିର ଦିନରେ ଭଳି ନେତାଙ୍କର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ବିଶିଷ୍ଟ ଲେଖକ ପ୍ରଫେସର୍‌ ଦୀପଙ୍କର ଗୁପ୍ତା ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମାରକୀ ବକ୍ତୃତା ପ୍ରଦାନ କରି କହିଲେ, ମୁଁ ତାଙ୍କ ସଂସ୍ପର୍ଶରେ ଆସିନଥିଲେ ହେଁ ସେ ଜଣେ ତୃଣମୂଳସ୍ତରର ନେତା ଥିଲେ ବୋଲି ଜାଣିଛି। ଅତୀତକୁ ତର୍ଜମା, ବର୍ତ୍ତମାନକୁ ପରୀକ୍ଷାନିରୀକ୍ଷା କରି ସେ ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ଥିର କରୁଥିଲେ। ସେଥିପାଇଁ ସେ ସଫଳ ହୋଇଥିଲେ। ଚାଷ ପାଇଁ ଜମି ଅଛି, ହେଲେ ଆଗ୍ରହ ନାହିଁ। ଗାଁ ଛିଣ୍ଡି ଛିଣ୍ଡି ଆସୁଥିବା ବେଳେ ସହାରାଞ୍ଚଳ ହୁ’ ହୁ’ ହୋଇ ବଢ଼ୁଛି। ଏଭଳି ସ୍ଥଳେ ତାଙ୍କ ଭଳି ବ୍ୟକ୍ତିଙ୍କ ଆବଶ୍ୟକତାର ଗୁରୁତ୍ବକୁ ଉପଲବ୍ଧି କରିହେବ।

ସ୍ମୃତି କମିଟିର ସଭାପତି ତଥା ଅବସରପ୍ରାପ୍ତ ଡିଜି ବିପିନ ବିହାରୀ ମିଶ୍ର ସଭା ପରିଚାଳନା କରିଥିବା ବେଳେ ସ୍ବର୍ଗତ ହରିଶ୍ଚନ୍ଦ୍ରଙ୍କ କନ୍ୟା ଲୋପାମୁଦ୍ରା ବକ୍ସିପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ପତ୍ରିକା ‘ଲୋକ ନୀତି’ ଲୋକାର୍ପିତ ହୋଇଥିଲା। ସମାଜସେବା କ୍ଷେତ୍ରରେ ସୟଦ ଆଜମ୍‌ ମଦାନି ଓ ସାମ୍ବାଦିକତା ପାଇଁ ବସନ୍ତ ଦାସଙ୍କୁ ହରିଶ୍ଚନ୍ଦ୍ର ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର