ରାୟଗଡା: ଆପାଲସ୍ବାମୀ କାଡ୍ରାକା। ବୟସ ପାଖାପାଖି ୫୦ ଡେଇଁଲାଣି। ରାୟଗଡାସ୍ଥିତ ଆମ୍ବାଗୁଡାଠାରେ ସେ ବାସ କରନ୍ତି। ବୃତ୍ତି ରାଜନୀତି ହୋଇଥିବାବେଳେ ପ୍ରବୃତ୍ତି ଗରିବଙ୍କୁ ସହାୟ ହେବା।  ବିଶେଷକରି ଅନାଥ ପରିବାରର ଶବକୁ ସେ କାନ୍ଧ ଦେବା ସହ ସଂସ୍କାର ପାଇଁ କାଠ ମଧ୍ୟ ମାଗଣାରେ ଯୋଗାଇ ଦେଇଥାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୨୦୦ରୁ ଊର୍ଦ୍ଧ୍ବ ଅନାଥ ପରିବାରର ଶବକୁ କାନ୍ଧ ଦେବା ସହ ସହଯୋଗର ହାତ ବଢାଇ ସାରିଛନ୍ତି। ଯେଉଁ ଗରିବ ଲୋକଙ୍କର କେହି ଯଦି ମୃତ୍ୟୁ ମୁଖରେ ପଡେ ଓ ଆର୍ଥିକ ସ୍ଥିତି ଠିକ ନଥାଏ ତେବେ ତୁରନ୍ତ ଆପାଲାସ୍ବାମୀ ସେଠାରେ ପହଞ୍ଚି ତା’ର ସମସ୍ତ କାର୍ଯ୍ୟ ହାତକୁ ନିଅନ୍ତି।

Advertisment

publive-image

ଦିନକର କଥା। ତାଙ୍କର ଜଣେ ସମ୍ପର୍କୀୟଙ୍କ ଦେହାନ୍ତ ହୋଇଥିଲା। ହେଲେ ସେ ଦାହ ସଂସ୍କାର ପାଇଁ କାଠ ପାଇଲେନି। ବାସ୍‌! ସେଇଦିନଠୁ ସେ ଏହି ପ୍ରବୃତ୍ତିକୁ ଆପଣେଇନେଲେ।  ଆଗକୁ କୌଣସି ଗରିବ ଲୋକର ମୃତ୍ୟୁ ହେଲେ ଯେପରି କାଠର ଅଭାବ ନହେବ ସେଥିପ୍ରତି ସହଯୋଗ କରିବାର ପ୍ରତିଜ୍ଞା ନେଇଥିଲେ। ଏଥିପାଇଁ ସେ ଆମ୍ବାଗୁଡା ଯୁବକ ସଂଘ ଗଠନ କରି ସେହି ସଂଘର କର୍ମକର୍ତ୍ତାକୁ ନେଇ ଜଂଗଲକୁ ଯାଇ ଶୁଖିଲା କାଠ ସଂଗ୍ରହ କରି ଆଣନ୍ତି ଓ ଗୋଟିଏ ସ୍ଥାନରେ ଗଦା କରି ରଖନ୍ତି। ଯଦି କାହାର କାଠ ଦରକାର ପଡେ ତୁରନ୍ତ ସେ ସହଯୋଗ କରନ୍ତି। ତାଂକ ନିକଟକୁ କେବଳ ରାୟଗଡା ନୁହେଁ ଆଖପାଖ ଅଂଚଳରୁ ମଧ୍ୟ ବହୁ ଗରିବ ଲୋକ ଆସି ସାହାଯ୍ୟ ମାଗିଥାନ୍ତି।

publive-image

କେବଳ ଏତିକି ସାହାଯ୍ୟ କରି ଥକି ପଡନ୍ତି ନାହିଁ। ଅନାଥ ପରିବାରର ଶବକୁ କାନ୍ଧ ଦେବା ସହ ତା’ର କିପରି ସତ୍କାର ହେବ ତାର ମସସ୍ତ ଖର୍ଚ୍ଚ ବି ବହନ କରନ୍ତି। ରାୟଗଡା ଅଂଚଳରେ ମକର ସଂକ୍ରାନ୍ତିକୁ ଧୁମଧାମରେ ପାଳନ କରାଯାଇଥାଏ। ପ୍ରତିବର୍ଷ ମକର ସଂକ୍ରାନ୍ତିରେ ୫୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଶାଢି, ଲୁଙ୍ଗି ସମେତ ଅନ୍ୟାନ୍ୟ ଜିନିଷ ମଧ୍ୟ ପ୍ରଦାନ କରନ୍ତି।

ଆପାଲସ୍ବାମୀ କଳି ଯୁଗର ହରିଶ୍ଚନ୍ଦ୍ର ବୋଲି ସ୍ଥାନୀୟ ଅଂଚଳର ଲୋକେ କହନ୍ତି। ଏଭଳି ସହଯୋଗ ରାୟଗଡା ଜିଲ୍ଲାର କୌଣସି ଧନୀ ବ୍ୟକ୍ତି କରନ୍ତି ନାହିଁ ବୋଲି କହନ୍ତି।ଗରିବଙ୍କ ପ୍ରତି ରହିଥିବା ଦରଦ, ଭଲପାଇବା ତାଂକୁ ଏହି ଅଂଚଳର ଜଣେ ପ୍ରତିଷ୍ଠିତ ସମାଜସେବୀ ଭାବେ ଗଢି ତୋଳିଛି। ଅସହାୟ ଲୋକଙ୍କୁ ଦେଖିଲେ କିମ୍ବା କୌଣସି ମାଧ୍ୟମରୁ ସେ ଖବର ପାଇଲେ ତାଂକ ନିକଟକୁ ଯାଇ ତାଂକୁ ସହଯୋଗର ହାତ ବଢାନ୍ତି। ମାନବ ସେବା ହିଁ ମାଧବ ସେବା । ତେଣୁ ବଂଚିଥିବା ପର୍ଯ୍ୟନ୍ତ ଏହି ପ୍ରବୃତ୍ତିକୁ ବଜାୟ ରଖିବେ ବୋଲି ସେ କହିଛନ୍ତି। ତାଂକର ଏଭଳି ସହଯୋଗ ଆଗକୁ ମଧ୍ୟ ଜାରି ରହୁ ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଉ ବୋଲି ସ୍ଥାନୀୟ ଅଞ୍ଚଳର ଜଣାଶୁଣା ମହଲ ମତ ଦେଇଛନ୍ତି।