ହରିଶ୍ଚନ୍ଦ୍ର ହରିଲୁଟ୍‌: ବଞ୍ଚିଥିବା ଲୋକଙ୍କୁ ବି ମାରିଦେଲେ!

ବିଡିଓଙ୍କୁ ଫେରାଦ ଦେଲେ ଏକାଧିକ ହିତାଧିକାରୀ

କେନ୍ଦୁଝର : ହରିଶ୍ଚନ୍ଦ୍ର ଯୋଜନାରେ ମାତ୍ର ଦୁଇହଜାର ଟଙ୍କା ପାଇଁ ଜୀବିତ ମହିଳାଙ୍କୁ କାଗଜପତ୍ରରେ ମାରିଦେଇଛନ୍ତି। ତାଙ୍କ ନାମରେ ସହାୟତା ରାଶିକୁ ବି ଉଠାଇ ନେଇଛନ୍ତି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ସଢ଼ା ପଞ୍ଚାୟତରେ ହୋଇଥିବା ହରିଶ୍ଚନ୍ଦ୍ର ହରିଲୁଟ୍‌ର ଏଭଳି ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି।

ସଢ଼ା ପଞ୍ଚାୟତ ମିଠିଗାଁର ଅକ୍ଷୟ ସାହୁଙ୍କ ପତ୍ନୀ ମାଳତୀ ସାହୁ ବଞ୍ଚିଛନ୍ତି। ୨୦୨୦ ଡିସେମ୍ବର ୭ରେ ମାଳତୀଙ୍କ ମୃତ୍ୟୁ ହୋଇଯାଇଥିବା ଦର୍ଶାଯାଇଛି। ତାଙ୍କ ନାମରେ ହରିଶ୍ଚନ୍ଦ୍ର ସହାୟତା ପାଇଁ ହୋଇଥିବା ଆବେଦନରେ ଜିଆର୍‌ଏସ୍ ଅନନ୍ତ ସ୍ବାଇଁଙ୍କ ମୋବାଇଲ ନମ୍ବର (୭୭୫୧୯୨୧୮୧୨) ଦିଆଯାଇଛି। ୨୦୨୧ ଜାନୁଆରି ୧୨ ତାରିଖରେ ତାଙ୍କ ପରିବାରକୁ ୨୦୦୦ ଟଙ୍କା ସହାୟତା ରାଶି ଦିଆଯାଇଛି ବୋଲି କାଗଜପତ୍ରରେ ଉଲ୍ଲେଖ ରହିଛି। ଏ ସମ୍ପର୍କରେ ଜଣାପଡ଼ିବା ପରେ ମାଳତୀଙ୍କ ସ୍ବାମୀ ଅକ୍ଷୟ ବିଡିଓଙ୍କୁ ଅଭିଯୋଗ କରିଛନ୍ତି। ସେହିପରି, କୁଆଁର ମୁର୍ମୁଙ୍କୁ ଦୁଇଥର ମାରିଦେଇ ତାଙ୍କ ନାମରେ ଦୁଇଥର ହରିଶ୍ଚନ୍ଦ୍ର ସହାୟତା ନିଆଯାଇଛି। ମାତ୍ର କୁଅଁରଙ୍କ ପରିବାର ଲୋକ ଟଙ୍କାଟିଏ ସହାୟତା ରାଶି ପାଇନାହାନ୍ତି। ଏନେଇ କୁଅଁରଙ୍କ ବାପା ବିକ୍ରମ ମୁର୍ମୁ ବିଡିଓଙ୍କୁ ଜଣାଇଛନ୍ତି। ସଢ଼ା ଗ୍ରାମର ମଞ୍ଜୁଲତା ବାରିକଙ୍କୁ ଦୁଇଦୁଇ ଥର ମୃତ ଦର୍ଶାଇ ଦୁଇଥର ଟଙ୍କା ଉଠାଯାଇଛି। ମଞ୍ଜୁଲତାଙ୍କ ସ୍ବାମୀ ବୁଦ୍ଧଦେବ ଥରୁଟିଏ ବି ଟଙ୍କା ପାଇନାହାନ୍ତି।

ହରିଶ୍ଚନ୍ଦ୍ର ହରିଲୁଟ୍‌ ସମ୍ପର୍କରେ ‘ସମ୍ବାଦ’ରେ ବାରମ୍ବାର ପ୍ରକାଶ ପାଇବା ପରେ ସେ ବିଡିଓଙ୍କୁ ଜଣାଇ ଏହାର ନିରପେକ୍ଷ ତଦନ୍ତ କରିବାକୁ ଦାବି କ‌ରିଛନ୍ତି।  ଭୁବନ ସାମଲଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ବାବୁଲି କୌଣସି ସହାୟତା ପାଇନାହାନ୍ତି। କିନ୍ତୁ, ଭୁବନଙ୍କ ନାମରେ ହରିଶ୍ଚନ୍ଦ୍ର ସହାୟତା ଉଠିଛି। ସେହିପରି ଗ୍ରାମର ସଖୀ ପହି ଏବଂ ଚିତ୍ତରଂଜନ ବେହେରାଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରକୁ କୌଣସି ଆର୍ଥିକ ସହାୟତା ମିଳିନାହିଁ। ମାତ୍ର ଉଭୟଙ୍କ ନାମରେ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ଉଠିଛି। ଏନେଇ ସଖୀଙ୍କ ପୁଅ ଡମ୍ବରୁଧର ପହି, ଚିତ୍ତରଂଜନଙ୍କ ସାନଭାଇ ମାନସ ରଂଜନ ବେହେରା ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କୁ ପଚାରିବାରୁ, ଅଭିଯୋଗ ପାଇବା ପରେ ତଦନ୍ତ କରିବାକୁ ହାଟଡିହି ବିଡିଓଙ୍କୁ ନିର୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର