ହରିଶ୍ଚନ୍ଦ୍ର ହରିଲୁଟ୍: ପିଇଓ ଗିରଫ, ଜିଆର୍‌ଏସ୍‌, ପୂର୍ବତନ ସରପଞ୍ଚ ଫେରାର୍‌

କେନ୍ଦୁଝର/ହା‌ଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ହରିଶ୍ଚନ୍ଦ୍ର ଯୋଜନାରେ ହୋଇଥିବା ଅନିୟମିତତା ମାମଲାରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହାଟଡିହି ବିଡିଓ ବିନୀତା ବିଜୟିନୀଙ୍କ ଏତଲା ପରେ ସୋସା ଥାନା ପୁଲିସ ଏହି ଅନିୟମିତତାରେ ସାମିଲ୍‌ ଥିବା ବାଲିବରେଇ ପଞ୍ଚାୟତର ପିଇଓ ନରହରି ନାୟକଙ୍କୁ ଗିରଫ କରିଛି। ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ଜିଆର୍‌ଏସ୍‌ ପୂର୍ଣ୍ଣେନ୍ଦୁ ଥାଟୋଇ ଏବଂ ପୂର୍ବତନ ସରପଞ୍ଚ ପ୍ରଭା ନାୟକ ଫେରାର ଅଛନ୍ତି।

ବାଲିବରେଇ ପଞ୍ଚାୟତରେ ହରିଶ୍ଚନ୍ଦ୍ର ‌ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ଆନନ୍ଦପୁର ଉପଜିଲ୍ଲାପାଳ, ହାଟଡିହି ବିଡିଓ, ତହସିଲଦାର ଏବଂ ମେଡିକାଲ ଅଫିସରଙ୍କୁ ନେଇ ଗଠିତ ଟିମ୍‌ ଦେଇଥିବା ତଦନ୍ତ ରିପୋର୍ଟରେ ମୋଟ ୨୩୦ଜଣ ହିତାଧିକାରୀଙ୍କ ମଧ୍ୟରୁ ୬୩ଜଣଙ୍କୁ ଆଦୌ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ମିଳିନଥିବା ଉଲ୍ଲେଖ ଥିଲା। କିନ୍ତୁ, ସେମାନଙ୍କ ନାମରେ ସହାୟତା ରାଶି ଉଠଯାଇ ଆତ୍ମସାତ୍‌ କରାଯାଇଥିବା ଦର୍ଶାଯାଇଥିଲା। ସେହିପରି ୨୨ଜଣ ହିତାଧିକାରୀଙ୍କ କୌଣସି ଠିକଣା ମିଳୁ ନଥିବା ବେଳେ କିଛି ହିତାଧିକାରୀ ଏହି ଯୋଜନା ଆରମ୍ଭ ହେବାପୂର୍ବରୁ ସହାୟତା ରାଶି ନେଇଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଥିଲା।

ତଦନ୍ତ ରିପୋର୍ଟ ପରେ ଅକ୍ଟୋବର ୨୬ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି ନମ୍ବର ୨୪୫୯ରେ କେନ୍ଦୁଝର ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଚିଠି ନମ୍ବର ୨୪୬୦ରେ ହାଟଡିହି ବିଡିଓଙ୍କୁ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଥାନାରେ ଏତଲା ଦେବା ପାଇଁ ଚିଠି କରାଯାଇଥିଲା। ପରେ ଅକ୍ଟୋବର ୩୧ରେ ହାଟଡିହି ବିଡିଓ ବିନୀତା ବିଜୟିନୀ ସୋସୋ ଥାନାରେ ପିଇଓ ନରହରି, ଜିଆରଏସ୍‌ ପୂର୍ଣ୍ଣେନ୍ଦୁ ଏବଂ ପୂର୍ବତନ ସରପଞ୍ଚ ପ୍ରଭା ନାୟକଙ୍କ ବିରୋଧରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିବା ବେଳେ ଆଜି ପିଇଓ ନରହରି ନାୟକଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ପ୍ରଦୀପ ସେଠୀ କହିଛନ୍ତି।

ସମ୍ବନ୍ଧିତ ଖବର