ମାର୍ଶାଘାଇ (ମାଧବ ନାୟକ): ମାର୍ଶାଘାଇ ବ୍ଲକରେ ହରିଶ୍ଚନ୍ଦ୍ର ଯୋଜନା ହରି ଭରସାରେ ଚାଲିଛି। ପ୍ରଶାସନିକ ଉଦାସୀନତାରୁ ଏହି ଯୋଜନା ଏଠି ବାଟବଣା। ଯୋଜନାର ଲାଭ ଗରିବ ପାଉନି। ପ୍ରିୟଜନଙ୍କ ଶବଦାହ କରିବାରେ ସେମାନଙ୍କୁ ସମସ୍ୟା ଭୋଗିବାକୁ ପଡ଼ୁଛି।

Advertisment

ମାର୍ଶାଘାଇ ବ୍ଲକ ଅଞ୍ଚଳରେ ଏହି ଯୋଜନାର ସୁଫଳ ଲୋକମାନଙ୍କୁ ମିଳି ପାରୁନାହିଁ। ବ୍ଲକର ମୋଟ୍‌ ୨୪ଟି ପଞ୍ଚାୟତର ଶହଶହ ହିତାଧିକାରୀ ଏହି ଯୋଜନାରୁ ସହୟତା ରାଶି ପାଇପାରି ନାହାନ୍ତି । ଗତ ୨୦୧୬/୧୭ ଆର୍ଥିକ ବର୍ଷରେ ବ୍ଲକକୁ ଏହି ଯୋଜନା ପାଇଁ ମୋଟ ୪ଲକ୍ଷ ୫୮ହଜାର ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇ ଥିଲା। ୨୦୧୭/୧୮ ଆର୍ଥିକ ବର୍ଷର ଜୁନ୍‌ରେ ୧୦ ଓ ନଭେମ୍ବରରେ ୧୧ହଜାର ଟଙ୍କା ପ୍ରତି ପଞ୍ଚାୟତକୁ ଯୋଗାଇ ଦିଆଯାଇଛି । ଦୁଇ ପର୍ଯ୍ୟାୟରେ ଯୋଗାଇ ଦିଆଯାଇଥିବା ମୋଟ ୨୧ ହଜାର ଟଙ୍କାରୁ ଗତ ଡିସେମ୍ବର ସୁଦ୍ଧା ଆଖୁଆ-ଦକ୍ଷିଣୀ ପଞ୍ଚାୟତରେ ୧୦ହଜାର ଟଙ୍କା ଜମା ରହିଥିଲା।

ସେହିପରି ବନ୍ଧକଟାରେ ୧୦ ହଜାର, ଜଳପୋକରେ ୧୦ହଜାର, ହିନ୍ଦୁଳିଆରେ ହଜାର, ଅଙ୍ଗୁଳାଇରେ ୧୯ହଜାର, ମାର୍ଶାଘାଇରେ ୧୯.୫ ହଜାର, ମେହେନ୍ଦିନଗରରେ ୬.୫ ହଜାର, ରାଘବପୁରରେ ୮.୫ ହଜାର ଟଙ୍କା ଜମା ରହିଥିଲା। ସେଥିରୁ ସଂପୃକ୍ତ ସରପଞ୍ଚମାନେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ ପରେ ଆଉ ବଳକା ଅର୍ଥ ନାହିଁ। ଅନ୍ୟପକ୍ଷରେ ବେରୁହାଁ, ଅନ୍ତେଇ, ମଙ୍ଗରାଜପୁର ଓ ବଛରାଇ ପଞ୍ଚାୟତରେ ଏହି ସହାୟତା ପ୍ରଦାନ ପାଇଁ ଅର୍ଥ ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ବଟିରା, ତାଳସଙ୍ଗା, ପରକୁଳା, ଗରଜଙ୍ଗା, ଜମପଡ଼ା, କରିଲୋପାଟଣା, ଆଇତିପୁର, ଦୁମୁକା, ଦଶୀପୁର, ଶିଳିପୁର ଓ କୁହୁଡି ପଞ୍ଚାୟତରୁ ଗତ ଡିସେମ୍ବରରୁ ଏଯାବତ ରିପୋର୍ଟ ମିଳି ନ ଥିବା ସଂପୃକ୍ତ ବିଭାଗରୁ ଜଣାପଡ଼ିଛି।

ଏଥିରୁ ବଛରାଇ ପଞ୍ଚାୟତରେ ଗୋଧନ ଗ୍ରାମର ସ୍ୱର୍ଗତ ନରହରି ବେହେରା, ଇନ୍ଦ୍ରମଣି ରାଉତ, ନକୁଳ ମଳିକ, ଊର୍ମିଳା ଦାସ, କୁଳସାହିର ଗୁରୁବାରୀ ନାୟକ, ଶତ୍ରୁଘ୍ନ ମହାନ୍ତି, ବିନୋଦ ସ୍ୱାଇଁ, ବାଲିକୁଦାର ଶାନ୍ତିଲତା ସେଠୀଙ୍କ ପରିବାରବର୍ଗ ଏହି ସହାୟତା ପାଇବାରୁ ବଞ୍ଚିତ ଅଛନ୍ତି। ସେହିପରି ବନ୍ଧକଟା ପଞ୍ଚାୟତର ୨୧ହଜାର ଟଙ୍କାରୁ ୧୧ଜଣଙ୍କୁ ଏହି ସହାୟତା ପ୍ରଦାନ କରାଯାଇଥିବା ବେଳେ ଆଉ ୯ଜଣଙ୍କୁ ଏହି ସହାୟତା ଦେବାକୁ ଅଛି। ପରକୁଳା ପଞ୍ଚାୟତରେ ଗଚ୍ଛିିତ ୧୧ହଜାର ଟଙ୍କାରୁ ୮ଜଣ ହିତାଧିକାରୀ ସହାୟତା ପାଇବେ ବୋଲି ସରପଞ୍ଚ କହିଛନ୍ତି । ସେହିପରି ବ୍ଲକର ମେହେନ୍ଦିନଗର ପଞ୍ଚାୟତରେ ବର୍ତ୍ତମାନର ସରପଞ୍ଚ ୫ଜଣଙ୍କୁ ଏହି ସହାୟତା ପ୍ରଦାନ କରିଥିବା ବେଳେ ଆଉ ୮ଜଣ ହିତାଧିକାରୀ ସହାୟତା ପାଇ ପାରି ନ ଥିବା ସରପଞ୍ଚ ରବୀନ୍ଦ୍ରନାଥ ପଣ୍ଡା କହିଛନ୍ତି ।

ଏହି ପଞ୍ଚାୟତରେ ପୂର୍ବତନ ସରପଞ୍ଚଙ୍କ ସମୟରୁ ୧୭ଜଣ ଏହିତାଧିକରୀ ଏହି ସହାୟତା ପାଇ ନ ଥିବା ଶ୍ରୀ ପଣ୍ଡା କହିଛନ୍ତି। ଉଲ୍ଲେଖନୀୟ ଏହିକି ଯେ, ଏହି ଯୋଜନାରେ ସହାୟତା ରାଶି ନ ଥିଲେ ଅନ୍ୟ ଯୋଜନାରୁ ଭରଣା କରାଯିବାକୁ ନିର୍ଦ୍ଦେଶ ରହିଛି। ତେବେ ସହାୟତା ପାଇଁ ଅର୍ଥ ନ ଥିବା ଦର୍ଶାଯାଇ ବହୁ ଗରିବ ଅସହାୟ ହିତାଧିକାରୀଙ୍କୁ ବଞ୍ଚିତ କରାଯାଇଛି। ଏ ସମ୍ପର୍କରେ ବିଡିଓ ଦେବେନ୍ଦ୍ର ସ୍ୱାଇଁ କହିଛନ୍ତି, ଏଣିକି ପଞ୍ଚାୟତରେ ଏ ନେଇ ଏକ ଜମାବହି ଖୋଲାଯାଇ ତାହାର ନମ୍ବର ରାଜ୍ୟ ପଞ୍ଚାୟତିରାଜ ବିଭାଗକୁ ଦିଆଯିବ। ଫଳରେ ସିଧାସଳଖ ଜମାଖାତାରେ ସହାୟତା ରାଶି ଜମା ଦିଆଯିବ ବୋଲି କହିଛନ୍ତି । ତେବେ ଶତାଧିକ ସଂଖ୍ୟାରେ ଏହି ଯୋଜନାରୁ ବଞ୍ଚିତ ହୋଇଥିବା ଗରିବ ହିତାଧିକାରୀଙ୍କୁ ସହାୟତା କେବେ ଭରଣା କରାଯିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।