ସ୍ୱର୍ଗଦ୍ୱାରରେ ବନ୍ଦ ହେବ ହରିଶ୍ଚନ୍ଦ୍ର ଯୋଜନା!

୨ କୋଟି ବାକି, ହିତାଧିକାରୀଙ୍କୁ ମିଳୁନି ଅର୍ଥ

ପୁରୀ : ହରିଶ୍ଚନ୍ଦ୍ର ଯୋଜନା ଉଧାରରେ ଚାଲିଛି। ଉଧାର ପରିମାଣ ସୀମା ଲଂଘିଥିବାରୁ ଓଏଫ୍‌ଡିସି (ଓଡ଼ିଶା ବନ ଉନ୍ନୟନ ନିଗମ)ଏହି ଯୋଜନାକୁ କାଠ ଯୋଗାଇବ ନାହିଁ ବୋଲି ଚିଠି ଲେଖିଛି। ଓଏଫଡିସିର ଡିଭିଜନାଲ ମ୍ୟାନେଜର ଏକ ସ୍ୱତନ୍ତ୍ର ଚିଠି ଜରିଆରେ ପୌରସଂସ୍ଥାକୁ ଅବଗତ କରାଇଛନ୍ତି। ୧୫ ତାରିଖ ସୁଦ୍ଧା ବକେୟା ଅର୍ଥ ପ୍ରଦାନ ନ କଲେ ଆଉ କାଠ ଯୋଗାଇ ଦିଆଯିବ ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେଇଛନ୍ତିି। କାଠ ବାବଦରେ ପାଖାପାଖି ୬୦ ଲକ୍ଷ ଟଙ୍କା ବାକି ପଡ଼ିଛି। ତେବେ କେବଳ କାଠ ନୁହେଁ, ଶବ ଦାହ ପାଇଁ ଆବଶ୍ୟକ ଆନୁସଙ୍ଗିକ ପଦାର୍ଥ ମଧ୍ୟ ଉଧାରରେ ଚାଲିଛି। ଏହିସବୁ ପଦାର୍ଥ ବାବଦକୁ ପାଖାପାଖି ୧୦ ଲକ୍ଷ ବାକି ପଡ଼ିଛି। ଏ ବାବଦରେ ଉଧାର ଦେଉଥିବା ଦୋକାନୀ ଚିଠି ଲେଖିନଥିଲେ ମଧ୍ୟ ଅସନ୍ତୋଷ ରହିଛି। ଏଣୁ ୧୫ ତାରିଖ ଠାରୁ ଏହି ଯୋଜନା ଏକ ପ୍ରକାର ବନ୍ଦ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପଟେ ଏହି ଯୋଜନାରେ ମୃତକର ପରିଜନଙ୍କୁ ଯେଉଁ ୩ଶହ ଟଙ୍କା ଲେଖାଏଁ ନଗଦ ଦିଆଯାଏ ତାହା ୩ ଦିନ ହେବ ଆଉ ଦିଆଯାଉ ନାହିଁ। ୯ ତାରିଖ ଦିନ ଏଠାରେ ସର୍ବାଧିକ ୧୦୮ଟି ଶବ ଦାହ ହୋଇଥିବା ବେଳେ ୧୦ ତାରିଖ ଦିନ ୮୦ ଓ ୧୧ ତାରିଖ ଦିନ ୮୬ ଶବ ଦାହ ହୋଇଛି। ଅର୍ଥାତ୍‌ ଦୈନିକ ଶବଦାହ ସଂଖ୍ୟା ହାରାହାରି ୭୫ ରହୁଛି। ମାସିକ ୧୦ ଲକ୍ଷ ଟଙ୍କା ଏ ବାବଦରେ ଖର୍ଚ୍ଚ ହେଉଛି। ପ୍ରଥମେ ପୌରସଂସ୍ଥା ଏହାକୁ ପରିଚାଳନା କରୁଥିବାରୁ ଏହି ଟଙ୍କା ପ୍ରଥମେ ପୌରସଂସ୍ଥା ଭରଣା କରୁଛି। ପରେ ସରକାର ଏହାକୁ ପ୍ରଦାନ କରୁଛନ୍ତି। ଅଦ୍ୟାବଧି ସରକାରଙ୍କ ପକ୍ଷରୁ ପୌରସଂସ୍ଥାକୁ ପାଖାପାଖି କୋଟିଏ ଟଙ୍କା ଦେବାକୁ ରହିଛି।

ସମ୍ବନ୍ଧିତ ଖବର