ପାଟଣାଗଡ଼: ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ତୀର୍ଥ ପୀଠ ହରିଶଙ୍କରର ବିକାଶକୁ ଏବେ ଫୋକସ୍‌ରେ ରଖିଛନ୍ତି ରାଜ୍ୟ ସରକାର। ଗନ୍ଧମାର୍ଦ୍ଧନ ପାଦଦେଶରେ ଥିବା ଅର୍ଥାତ ବଲାଙ୍ଗୀର ଜିଲ୍ଲା ହରିଶଙ୍କର ଓ ବରଗଡ଼ ନୃସିଂହନାଥକୁ ଇକୋ-ଟୁରିଜମ୍‌ରେ ପରିଣତ କରିବା ପାଇଁ ଏକପ୍ରକାର ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଧବାର ଏହି ପୀଠକୁ ରାଜ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ, ପୂର୍ବ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭିନିଲ କ୍ରିଷ୍ଣନଙ୍କ ଗସ୍ତରୁ ଏହା ସ୍ପଷ୍ଟ ଜଣାପଡ଼ୁଛି। ସେହିପରି ହରିଶଙ୍କର ପର୍ଯ୍ୟଟକଙ୍କ ପାଇଁ ଚୁମ୍ବକ ପାଲଟିବ ବୋଲି ଏହି ଅବସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଜୋର୍‌ଦେଇ କହିବା ପରେ ଅବହେଳିତ ହୋଇ ପଡ଼ିରହିଥିବା ଏହି ପୀଠର ବିକାଶର ଆଶା ଉଜ୍ବଳ ହୋଇଛି।

Advertisment

ବୁଧବାର ହେଲିକପ୍ଟର ଯୋଗେ ବରଗଡ଼ ଜିଲ୍ଲା ପଦ୍ମପୁରସ୍ଥିତ ସତୀଭଟା ଏୟାରଷ୍ଟ୍ରିପ୍‌ଠାରେ ଏହି ପ୍ରାଶାସନିକ ଅଧିକାରୀମାନେ ପହଞ୍ଚି ସେଠାରୁ ସଡ଼କ ପଥରେ ନୃସିଂହନାଥ ଯାଇଥିଲେ। ନୃସିଂହନାଥରୁ ସଡ଼କ ପଥରେ ଆସି ହରିଶଙ୍କରକୁ ଦିନ ୧ଟାରେ ପହଞ୍ଚିଥିଲେ। ସେହିପରି ବଲାଙ୍ଗୀରରୁ ସକାଳୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା, ଏସପି ନିତିନ କୁଶଲକର ଓ ପାଟଣାଗଡ଼ରୁ ଉପଜିଲ୍ଲାପାଳ ସୋମନାଥ ପଧାନ, ଏସଡିପିଓ ସୁରେଶ ନାଏକ, ଖପ୍ରାଖୋଲ ବିଡିଓ ତରଣୀ ସୁନା ପ୍ରମୁଖ ପହଞ୍ଚିଥିଲେ। ସମସ୍ତ‌େ ହରିଶଙ୍କର ମନ୍ଦିର, ଭୋଗ ମଣ୍ଡପ, ଝରଣା ଓ ଅନ୍ୟ ସ୍ଥାନ ବୁଲି ଦେଖିଥିଲେ। ପରେ ମନ୍ଦିର ମୁଖ୍ୟ ଫାଟକ ସାମନାରେ ଥିବା ମଣ୍ଡପରେ ମ୍ୟାପ ରଖି ଆଲୋଚନା କରିଥିଲେ।

publive-image

ଏହି ଆଲୋଚନାରେ ମନ୍ଦିର ପୂଜକ ନରସିଂହ ପୁଝାରୀ, ଦେବୋତ୍ତର ସଦସ୍ୟ ଅଭୟ ତ୍ରିପାଠୀ, ମନ୍ଦିର ମ୍ୟାନେଜର ଗୁପ୍ତେଶ୍ବର କୁଅଁର ପ୍ରମୁଖ ଭାଗ ନେଇଥିଲେ। ଏମାନେ ଖପ୍ରାଖୋଲରୁ ହରିଶଙ୍କରକୁ ଏକ ଭଲ ରାସ୍ତା, ଏଠାରେ ଏକ ହନୁମାନଙ୍କ ମନ୍ଦିର, ସବୁଦିନିଆ ବସ ସେବା, ପାହାଡ଼ରେ ଇକୋ ଟୁରିଜମ ପାଇଁ କଟେଜର ବ୍ୟବସ୍ଥା, ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରି ବ୍ୟବସ୍ଥା ଆଦି ସମ୍ପର୍କରେ ଅଧିକାରୀମାନଙ୍କଠାରେ ଦାବି କରିଥିଲେ।

publive-image

ଏହି ଅବସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ କହିଥିଲେ ଯେ, ହରିଶଙ୍କର ଓ ନୃସିଂହନାଥକୁ ଯେପରି ଆହୁରି ଅଧିକ ଭକ୍ତ ଓ ପର୍ଯ୍ୟଟକ ଆସିବେ ସେଥିପ୍ରତି ରାଜ୍ୟ ସରକାର ଧ୍ୟାନ ଦେଇଛନ୍ତି। ଏହାକୁ ଇକୋ-ଟୁରିଜମରେ ପରିଣତ କରାଯିବା ସହିତ ହରିଶଙ୍କର – ନୃସିଂହନାଥକୁ ବିଭକ୍ତ କରୁଥିବା ପର୍ବତ ଉପରେ ଏକ ରାସ୍ତା ତିଆରି କରାଯିବ। ଫଳରେ ଏହା ଓଡ଼ିଶାର ଏକ ଅନନ୍ୟ ପର୍ଯ୍ୟଯନସ୍ଥଳୀରେ ପରିଣତ ହେବା ସହିତ ପର୍ଯ୍ୟଟକମାନଙ୍କ ପାଇଁ ଓଡ଼ିଶାର ଚୁମ୍ବକ ହୋଇ ରହିବ ବୋଲି ସ‌େ କହିଥିଲେ। ଆଲୋଚନା ପରେ ମଧ୍ୟାହ୍ନ ଭୋଜନ ସାରି ସଡ଼କ ପଥରେ ପାଟଣାଗଡ଼ ମୁଖ୍ୟ ରାସ୍ତା ଦେଇ ବଲାଙ୍ଗୀର ଲୋଅର ସୁକତେଲ ପ୍ରକଳ୍ପ ନିକଟକୁ ଯାଇଥିଲେ।