ପାଟଣାଗଡ଼: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ମନ୍ଦିର ଭକ୍ତଙ୍କ ଦର୍ଶନ ପାଇଁ ଆସନ୍ତା ୧୦ ତାରିଖରୁ ଖୋଲିବ। ଏଥିପାଇଁ ଶୁକ୍ରବାର ପାଟଣାଗଡ଼ ଜଗନ୍ନାଥ ମନ୍ଦିର ପରିସରସ୍ଥିତ ସୁଭଦ୍ରା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ସୋମନାଥ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସଡିପିଓ ସୁରେଶ ନାଏକ, ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା, ଥାନାଧିକାରୀ ପ୍ରିୟଙ୍କା ରାଉତରାଏ, ଏନଏସି ଇଓ ସୁକାନ୍ତ ବେଉରା ପ୍ରମୁଖ ମଞ୍ଚାସୀନ ଥିଲେ।

Advertisment

publive-image

ବୈଠକରେ ପାଟଣାଗଡ଼ ସହରର ବୁଦ୍ଧିଜୀବୀ, ସାମ୍ବାଦିକ, ଦେବୋତ୍ତର କମିଟିର ସଦସ୍ୟ ପ୍ରମୁଖ ଯୋଗଦେଇ ନିଜ ନିଜ ମତାମତ ଦେଇଥିଲେ। ବର୍ତ୍ତମାନ ରାଜ୍ୟରେ ଧୀରେ ଧୀରେ ମନ୍ଦିରଗୁଡ଼ିକ ଖୋଲୁଥିବାରୁ ହରିଶଙ୍କର ମନ୍ଦିର ମଧ୍ୟ ଖୋଲିବାକୁ ଦାବି ହୋଇଥିଲା। ଆସନ୍ତା ୧୦ ତାରିଖରୁ କୋଭିଡ ଗାଇଡଲାଇନ ଅନୁଯାୟୀ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରତି ମଙ୍ଗଳବାର ମନ୍ଦିର ଓ ଏହାର ପରିସରକୁ ବିଶୋଧନ କରାଯିବା ବ୍ୟବସ୍ଥା ରହିଥିବାରୁ ଏହି ଦିନ ଭକ୍ତମାନଙ୍କ ପାଇଁ ମନ୍ଦିର ବନ୍ଦ ରହିବ ବୋଲି ଉପଜିଲ୍ଲାପାଳ ଶ୍ରୀ ପଧାନ ସୂଚନା ଦେଇଛନ୍ତି। ଏଠାରେ ପ୍ରକାଶଥାଉ କି, ଗତ ୯ମାସ ଧରି ମନ୍ଦିର ବନ୍ଦ ରହିଥିରୁ ହରିଶଙ୍କର ଖାଁ ଖାଁ ଲାଗୁଥିଲା। ଆସନ୍ତା ୧୦ ତାରିଖରୁ ମନ୍ଦିର ଖୋଲାଯିବା ନିଷ୍ପତ୍ତି ନିଆଯିବ ପରେ ଭକ୍ତ, ପର୍ଯ୍ୟଟକ, ଏଠାକାର ଛୋଟ ଛୋଟ ବ୍ୟବସାୟୀ, ମନ୍ଦିର ପୂଜକ, ଦେବୋତ୍ତର ବିଭାଗ ତଥା ଅଞ୍ଚଳର ଲୋକମାନଙ୍କ ମନରେ ଖୁସିର ଲହରି ଖେଳିଯାଇଛି।