ଭୁବନେଶ୍ବର: ଗରିବ ଲୋକଙ୍କର ଯେକୌଣସି କାରଣରୁ ମୃତ୍ୟୁ ହେଲେ ବି ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟାରେ ଯେପରି କୌଣସି ପ୍ରକାରର ସମସ୍ୟା ହେବନି ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହରିଶ୍ଚନ୍ଦ୍ର ସହାୟତା ଯୋଜନା ଆରମ୍ଭ ହୋଇଥିଲା। ଏଥିରେ ଗ୍ରାମାଞ୍ଚଳରେ ମୃତକଙ୍କ ପରିବାରକୁ ୩ହଜାର ଟଙ୍କା, ସହରାଞ୍ଚଳରେ ମୃତକଙ୍କ ପରିବାରକୁ ୪ହଜାର ଟଙ୍କା ଲେଖାଏ ପ୍ରଦାନ କରିବାକୁ ନିୟମ ରହିଛି। ବିଡ଼ମ୍ବନାର ବିଷୟ ଗତ ୫ମାସ ହେଲା ଲୋକଙ୍କୁ ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ଲୋକଙ୍କୁ ଆର୍ଥିକ ସହାୟତା ମିଳୁନି। ଯାହାକୁ ନେଇ ଏବେ ଗାଁ ଗାଁରେ ଅସନ୍ତୋଷ ଦେଖାଦେଲାଣି।
ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ, ହିତାଧିକାରୀଙ୍କୁ ତୁରନ୍ତ ହରିଶ୍ଚନ୍ଦ୍ର ସହାୟତା ପ୍ରଦାନ କରିବା ପାଇଁ ଗ୍ରାମାଞ୍ଚଳରେ ପ୍ରତି ଗ୍ରାମପଞ୍ଚାୟତରେ/ ସହରାଞ୍ଚଳରେ ପ୍ରତି ପୌର ସଂସ୍ଥାରେ ଏକ ରିଭଲଭିଂ ପାଣ୍ଠି କରାଯାଇଛି। ମୃତକଙ୍କ ପରିବାର ଲୋକଙ୍କୁ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ସରପଞ୍ଚ/ କାଉନସିଲର୍ମାନେ ଏଥିରୁ ୩ହଜାର/୪ହଜାର ଟଙ୍କା ପ୍ରଦାନ କରିବେ। ଯଦି ତୁରନ୍ତ ପ୍ରଦାନ କରି ନଥିବେ, ତେବେ ଏହି ଯୋଜନାର ଫର୍ମ ପୂରଣ କରି ଆବେଦନ କଲେ ସପ୍ତାହକ ମଧ୍ୟରେ ତାଙ୍କୁ ଆର୍ଥିକ ସହାୟତା ମିଳିବ। ତୁରନ୍ତ ଅର୍ଥ ପ୍ରଦାନ ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକୁ ୧୫ ହଜାର ଟଙ୍କାର ରିଭଲ୍ଭିଂ ପାଣ୍ଠି ଦିଆଯାଇଛି। ହେଲେ ଏବେ ପଞ୍ଚାୟତରେ ଏହି ପାଣ୍ଠିରେ ଅର୍ଥ ନାହିଁ କି ଗରିବ ଲୋକଙ୍କୁ ସରପଞ୍ଚମାନେ ଆର୍ଥିକ ସହାୟତା ପ୍ରଦାନ କରୁନାହାନ୍ତି।
ଏ ନେଇ ଏକାଧିକ ଗ୍ରାମପଞ୍ଚାୟତର ସରପଞ୍ଚମାନେ କହିଛନ୍ତି ଯେ ସରକାର ତ ଆମକୁ ଅର୍ଥ ଦେଉନାହାନ୍ତି। ଆମେ କେଉଁଠୁ ଅର୍ଥ ଆଣି ଦେବୁ। ଏବେ ପ୍ରତି ପଞ୍ଚାୟତରେ ୨୦ରୁ ୨୫ଜଣଙ୍କର ଆବେଦନ ପଡ଼ିଛି। ବ୍ଲକରେ କହୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ମଞ୍ଜୁର ହୋଇନି। ଯେବେ ଅର୍ଥ ଆସିବ ଆମେ ପଠାଇବୁ। ଏପଟେ ଗରିବ ଲୋକମାନେ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଆର୍ଥିକ ସହାୟତା ପାଇଁ କାକୁତିମିନତି ହେଉଥିଲେ ହେଁ ସମସ୍ତଙ୍କୁ ହାତରୁ ଅର୍ଥ ଦେବା ସମ୍ଭବ ନୁହେଁ। ଗତ ୫ମାସ ହେଲା କାହିଁକି ଅର୍ଥ ଦିଆଯାଉନି ସେନେଇ ବିଡିଓ, ବିଧାୟକ ଯାହାକୁ ପଚାରିଲେ ସେମାନେ କିଛି କରିପାରିବେନି ବୋଲି କହୁଛନ୍ତି।
ଖୋର୍ଦ୍ଧା ଜିଲ୍ଲାର ପମ୍ପାଲୋ ପଞ୍ଚାୟତର ସରପଞ୍ଚ ବାହନ ଭୋଇ କହିଛନ୍ତି ତାଙ୍କ ପଞ୍ଚାୟତରେ ୨୦ଜଣଙ୍କର ଆବେଦନ ପଡ଼ିଛି, ଗାରେଡ଼ିପାଞ୍ଚଣ ସରପଞ୍ଚ ସକୁନ୍ତଳା ଭୋଇ କହିଛନ୍ତି ତାଙ୍କର ୧୭ଟି ଆବେଦନ, ମୁକୁନ୍ଦଦାସପୁର ସରପଞ୍ଚ ସୋମନାଥ ଖଟେଇ କହିଛନ୍ତି ତାଙ୍କର ୩୦ଟି, ଅଠାନ୍ତର ପଞ୍ଚାୟତର ସରପଞ୍ଚ ଅଜିତ କୁମାର ମହାନ୍ତି କହିଛନ୍ତି ତାଙ୍କର ୯ ଜଣ ଗତ ୫ମାସ ହେଲା ଆବେଦନ କରିଥିଲେ ହେଁ କାହାକୁ ଆର୍ଥିକ ସହାୟତା ମିଳିନି। କେବଳ ଏତିକି ନୁହେଁ ବହୁ ପଞ୍ଚାୟତରେ ୩୦ରୁ ଅଧିକ ଆବେଦନ ପଡ଼ି ରହିଛି। ସରକାର ଅର୍ଥ ଦେଉନଥିବାବେଳେ କାହିଁକି ସରପଞ୍ଚମାନେ ହାତରୁ ୭୦ରୁ ୮୦ହଜାର ଟଙ୍କା ଲୋକଙ୍କୁ ବାଣ୍ଟିବେ ବୋଲି କହିଛନ୍ତି।
ସରପଞ୍ଚ ବି ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଅର୍ଥ ଦେଉନାହାନ୍ତି
ଘୋଷଣା ସତ୍ତ୍ବେ ପଞ୍ଚାୟତର ରିଭଲ୍ଭିଂ ପାଣ୍ଠି ୫୦ ହଜାର ହେଲାନି
ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିର ତଥ୍ୟ ଅନୁଯାୟୀ ଗତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା କେତେକ ପଞ୍ଚାୟତକୁ ଏପ୍ରିଲ ୮ରେ ଏବଂ ଆଉ କେତେକ ପଞ୍ଚାୟତକୁ ଏପ୍ରିଲ ୮ ଓ ମେ’ ୨୭ରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥିରେ ବାଲିପାଟଣା ବ୍ଲକର ପମ୍ପାଲୋ ପଞ୍ଚାୟତର କୁଳନ୍ତିରା ଶାସନ ଗ୍ରାମର ସୁରେନ୍ଦ୍ର ଭୋଇଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ସନ୍ତୋଷ କୁମାର ଭୋଇଙ୍କୁ ମେ’ ୨୭ରେ ୩ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ଦେଖାଉଛି। କିନ୍ତୁ ସନ୍ତୋଷ କହିଛନ୍ତି ଯେ ଏପର୍ଯ୍ୟନ୍ତ ତାଙ୍କୁ ଟଙ୍କା ମିଳିନି। ବ୍ଲକରେ ଏବେ ବି କହୁଛନ୍ତି ଟଙ୍କା ଆସିଲେ ମିଳିବ। ଏଠାରେ ପ୍ରଶ୍ନ ଉଠୁଛି ଯଦି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦେଢ଼ ମାସ ତଳୁ ଟଙ୍କା ଆସିଲାଣି, ତେବେ ହିତାଧିକାରୀଙ୍କୁ କାହିଁକି ମିଳିନି? ସେହିପରି ସରପଞ୍ଚମାନେ ଗ୍ରାମପଞ୍ଚାୟତକୁ ରିଭଲଭିଂ ପାଣ୍ଠିରେ ମିଳୁଥିବା ୧୫ହଜାର ଟଙ୍କାର ସହାୟତାକୁ ବଢ଼ାଇବାକୁ ବାରମ୍ବାର ଦାବି କରୁଥିବାବେଳେ ଏହାକୁ ଏପର୍ଯ୍ୟନ୍ତ ବଢ଼ାଯାଉନି। ଯାହାକୁ ନେଇ ସରପଞ୍ଚମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଉପରୋକ୍ତ ସରପଞ୍ଚମାନେ କହିଛନ୍ତି ଯେ ହରିଶ୍ଚନ୍ଦ୍ର ସହାୟତାରେ ବହୁ ବିଳମ୍ବରେ ଟଙ୍କା ମିଳୁଛି। ତେଣୁ ଅଧିକ ଅର୍ଥ ପାଖରେ ରହିଲେ ଲୋକଙ୍କୁ ଅର୍ଥ ଦେବାରେ ସମସ୍ୟା ହୁଅନ୍ତାନି। କିନ୍ତୁ ବିଡିଓ ଓ ଜିଲ୍ଲାପାଳମାନେ ଏ ବିଷୟରେ ଜାଣିକି ବି କିଛି ପଦକ୍ଷେପ ନେଉନାହାନ୍ତି।
ଅପରପକ୍ଷେ ଗତ ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅନୁଦାନ ଦାବି ଉପରେ ଅଭିଭାଷଣ ରଖିବା ବେଳେ କହିଥିଲେ, ହରିଶ୍ଚନ୍ଦ୍ର ସହାୟତା ଯୋଜନା ହିତାଧିକାରୀଙ୍କୁ ତୁରନ୍ତ ସହାୟତା ପ୍ରଦାନ ନିମନ୍ତେ ନିୟମାବଳୀରେ ପରିବର୍ତ୍ତନ କରାଯାଉଅଛି। ହିତାଧିକାରୀଙ୍କୁ ଠିକ୍ ସମୟରେ ହରିଶ୍ଚନ୍ଦ୍ର ସହାୟତା ରାଶି ପ୍ରଦାନ ନିମନ୍ତେ ପ୍ରତି ଗ୍ରାମପଞ୍ଚାୟତକୁ ରିଭଲ୍ଭିଂ ପାଣ୍ଠି ବାବଦକୁ ପୂର୍ବରୁ ୧୫ହଜାର ଟଙ୍କା ଦିଆଯାଉଥିବାବେଳେ ଏବେ ୫୦ ହଜାର ଟଙ୍କାକୁ ବଢ଼ାଗଲା। ଏହାଦ୍ବାରା ହିତାଧିକାରୀମାନେ ହରିଶ୍ଚନ୍ଦ୍ର ସହାୟତା ରାଶି ପାଇବାରେ ଅର୍ଥ ବାଧକ ହେବ ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବାଦ୍ ବି ଏପର୍ଯ୍ୟନ୍ତ ରିଭଲଭିଂ ପାଣ୍ଠି ସେହି ୧୫ହଜାର ଟଙ୍କା ଅଛି।