ରାଜନଗର : ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ସରକାରୀ ଅର୍ଥ ଲୁଟ୍ ଘଟଣାର ପେଡ଼ି ଖୋଲିବାରେ ଲାଗିଛି। ଜଣେ କି ଦୁଇଜଣ ନୁହେଁ, ଗୋଟିଏ ପଞ୍ଚାୟତରେ ମାସକ ମଧ୍ୟରେ ୧୧ଜଣ ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ସହାୟତା ଅର୍ଥ ଉଠାଇ ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ୱେବ୍ସାଇଟ୍ରୁ ଏହି ତଥ୍ୟ ଜଣାପଡ଼ିବା ପରେ ସମଗ୍ର ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି। ପୀଡ଼ିତ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହି ୧୧ ଜଣଙ୍କ ମଧ୍ୟରୁ ଗୋଟିଏ ପରିବାରର ମୁଖିଆଙ୍କୁ କାଗଜକଲମରେ ମାରି ହରିଶ୍ଚନ୍ଦ୍ର ସହାୟତା ଉଠାଇବାର ୧୪ଦିନ ପରେ ତାଙ୍କ ପୁଅକୁ ବି ମାରି ଦିଆଯାଇଛି। ଏପରି କାଣ୍ତ କରିଥିବା ଅଧିକାରୀ ଓ ପଞ୍ଚାୟତ ପ୍ରତିନିଧିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଛି।
ସୂଚନା ଅନୁସାରେ, କୁରୁଣ୍ଟି ପଞ୍ଚାୟତ ଚକ୍ରଧରପୁର ଗାଁର ଅଲେଖ ବେହେରାଙ୍କୁ ମେ ମାସ ୬ ତାରିଖ ଦିନ ମୃତ ଦର୍ଶାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ହରିଶ୍ଚନ୍ଦ୍ର ସହାୟତା ବାବଦ ୨ ହଜାର ଟଙ୍କା ଅଲେଖଙ୍କ ସାନପୁଅ ଅଗ୍ରଜଙ୍କୁ ପ୍ରଦାନ କରାଯାଇଛି। ଏହାର ୧୪ ଦିନ ପରେ, ଅର୍ଥାତ୍ ମେ ୨୦ ତାରିଖରେ ଅଲେଖଙ୍କ ବଡ଼ପୁଅ ଚନ୍ଦ୍ରମଣି ବେହେରାଙ୍କୁ ସରକାରୀ ୱେବ୍ସାଇଟ୍ରେ ମୃତ ଦର୍ଶାଯାଇଛି। ଚନ୍ଦ୍ରମଣିଙ୍କ ପୁଅ ପଞ୍ଚାନନ ସରକାରୀ ଅଧିକାରୀ/ସରପଞ୍ଚଙ୍କଠାରୁ ୨ହଜାର ଟଙ୍କା ଗ୍ରହଣ କରିଛନ୍ତି ବୋଲି ଦର୍ଶାଯାଇଛି। ମାତ୍ର ଅଲେଖ ବେହେରା ଓ ତାଙ୍କ ପୁଅ ଚନ୍ଦ୍ରମଣି ଜୀବିତ ଅଛନ୍ତି। ସରକାରୀ ୱେବ୍ସାଇଟ୍ରେ ଏଭଳି ତଥ୍ୟକୁ ନେଇ ଅଲେଖ ଓ ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେମାନେ ବଞ୍ଚିଥିବା ବେଳେ କିପରି ସରପଞ୍ଚ କିମ୍ବା ପଞ୍ଚାୟତ ନିର୍ବାହୀ ଅଧିକାରୀ ସେମାନଙ୍କ ଶବ ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ପ୍ରଦାନ କଲେ ଓ ଏ ନେଇ ସମସ୍ତ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ୱେବ୍ସାଇଟ୍ରେ ଅପ୍ଲୋଡ୍ କରାଗଲା, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସରକାରୀ ନିୟମ ମୁତାବକ, ଗରିବ ପରିବାରର କେହି ସଦସ୍ୟଙ୍କ ମୃତ୍ୟୁ ଘଟିଲେ ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ମୃତବ୍ୟକ୍ତିର ଶବ ସତ୍କାର ପାଇଁ ପରିବାର ସଦସ୍ୟଙ୍କୁ ୨ହଜାର ଟଙ୍କା ଯୋଗାଇ ଦେଇଥା’ନ୍ତି। ମୃତ୍ୟୁର ୧୫ଦିନ ମଧ୍ୟରେ ମୃତକଙ୍କ ସଂପର୍କିତ ତଥ୍ୟ ୱେବ୍ସାଇଟ୍ରେ ପଂଚାୟତ ନିର୍ବାହୀ ଅଧିକାରୀ ଦରଜ କରିଥାନ୍ତି। ଏହାର ୧୫ଦିନ ମଧ୍ୟରେ ପଂଚାୟତ ପକ୍ଷରୁ ୱେବ୍ସାଇଟ୍ରେ ଦିଆଯାଇଥିବା ମୃତବ୍ୟକ୍ତିର ତଥ୍ୟକୁ ବିଡିଓ ଅଥରାଇଜେସନ୍ କରିବାପରେ ସରକାର ପଞ୍ଚାୟତ ଆକାଉଣ୍ଟକୁ ଟଙ୍କା ଦେଇଥା’ନ୍ତି। ଏପରିସ୍ଥଳେ ୧୧ଜଣ ଲୋକ ଜୀବିତ ଥିବାବେଳେ ସେମାନଙ୍କୁ କିପରି ସରପଞ୍ଚ ଓ ନିର୍ବାହୀ ଅଧିକାରୀ ମୃତ ବୋଲି ଦର୍ଶାଇ ହରିଶ୍ଚନ୍ଦ୍ର ସହାୟତା ରାଶି ଲୁଟିନେଲେ ତାହାକୁ ନେଇ ସମଗ୍ର ପଞ୍ଚାୟତରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/harichandra-yojana.jpg)