ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ହଡ଼ପ: ବଞ୍ଚି ଥାଉଥାଉ ୧୧ ଜଣଙ୍କୁ ମାରିଦେଲେ

ରାଜନଗର,  (ସୂର୍ଯ୍ୟ ଲେଙ୍କା): ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ହଡ଼ପ! ଏଥିପାଇଁ ଜୀବିତ ଲୋକଙ୍କୁ ମୃତ ଦର୍ଶାଇବାକୁ ପଛାଇ ନାହାନ୍ତି। ଅର୍ଥାତ୍‌ ବଞ୍ଚି ଥାଉଥାଉ ସେମାନଙ୍କୁ ମାରି ଦିଆଯାଉଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ଗୋଟିଏ ପଞ୍ଚାୟତର ୧୧ଜଣ ବଞ୍ଚିଥିବ‌ା ବେଳେ ସରକାରୀ ରେକର୍ଡରେ ଏମ‌ାନେ ମୃତ। ଏ ଭଳି ତଥ୍ୟ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। କେବଳ ଏହି ଗୋଟିଏ ପଞ୍ଚାୟତ କାହିଁକି, ଆହୁରି ଅନେକ ପଞ୍ଚାୟତରେ ଏହିଭଳି କରାଯାଇଥିବା ଅନୁମାନ କରାଯାଉଛି। ଏଥିପାଇଁ ଏକ ବଡ଼ଧରଣର ରୢାକେଟ୍‌ କାମ କରୁଛି, ତଦନ୍ତ କରାଗଲେ ଏହି ରୢାକେଟ୍‌ର ପର୍ଦ୍ଦାଫାସ୍‌ ହୋଇପାରିବ ବୋଲି କୁହାଯାଉଛି।

ପଞ୍ଚାୟତର ନାଁ ହେଉଛି କୁରୁଂଟି। କୁରୁଂଟି ଗ୍ରାମର ଜଣେ ବ୍ୟକ୍ତି ହେଉଛନ୍ତି ପ୍ରଭାତ କୁମାର ସ୍ବାଇଁ। ପ୍ରଭାତ ଡାଲା ଅଟୋ ଚଳାଇ ପରିବାରର ଗୁଜୁରାଣ ମେଣ୍ଟାନ୍ତି। ଆଜି ରଜ ଥିବାରୁ ଘରେ ଥିଲେ। ‘ସମ୍ବାଦ’ ଟିମ୍‌ ତାଙ୍କ ଘରେ ପହଞ୍ଚିବାବେଳକୁ ସେ ପରିବାର ସହ ରଜ ଉତ୍ସବ ମନାଉଥିଲେ। ମାତ୍ର ସରକାରୀ ତଥ୍ୟ କହୁଛି, ପ୍ରଭାତ ୪୦ଦିନ ତଳୁ ମୃତ୍ୟୁବରଣ କରିସାରିଛନ୍ତି। ମେ ମାସ ୬ ତାରିଖରେ ସେ ମୃତ୍ୟୁବରଣ କରିବା ପରେ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ତାଙ୍କ ଘରେ ପହଞ୍ଚି ମୃତ ପ୍ରଭାତଙ୍କ ପରିବାରକୁ ସମବେଦନା ବି ଜଣାଇଛନ୍ତି। ତାଙ୍କ ଶବ ସତ୍କାର ପାଇଁ ପୁଅ ପ୍ରଭୁଜୀ ସ୍ବାଇଁଙ୍କୁ ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ୨ହଜାର ଟଙ୍କା ସରକାରୀ ସହାୟତା ଯୋଗାଇ ଦିଆଯାଇଛି। ‘ସମ୍ବାଦ’ ଟିମ୍‌ ଏଭଳି ସରକାରୀ ତଥ୍ୟ ସମ୍ପର୍କରେ ଅବଗତ କରାଇବା ପରେ ପ୍ରଭାତଙ୍କ ସମେତ ପରିବାର ସଦସ୍ୟ ହତବାକ୍‌ ହୋଇପଡ଼ିଥିଲେ।

iStock

ସେହି ଗାଁର ଗୋପୀନାଥ ଖଟୁଆ କେରଳରେ ଦାଦନ ଖଟନ୍ତି। ମୁଖ୍ୟମନ୍ତ୍ରୀଙ୍କ ୱେବ୍‌ସାଇଟରେ ଥିବା ଖବରର ସତ୍ୟତା ଜାଣିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲା ‘ସମ୍ବାଦ’ ଟିମ୍‌। ଏସମ୍ପର୍କରେ ଶୁଣୁଶୁଣୁ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତାଙ୍କ ସ୍ବାମୀ ଜୀବିତ ଅଛନ୍ତି ଓ ସେ ସଧବା ବୋଲି ଗୋପୀନାଥଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ ଖଟୁଆ କହିଥିଲେ। ଏପରି ଜଘନ୍ୟ କାମ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଦଣ୍ତ ପାଇଁ ଦାବି କରିଥିଲେ। ଏଥିସହ ଭିଡିଓ କଲ୍‌ ମାଧ୍ୟମରେ ଗୋପୀନାଥଙ୍କ ସହ କଥା କରାଇଥିଲେ। ଗୋପୀନାଥ ‌କହିଥିଲେ ‘ମୁଁ କେରଳରେ ୧୫ ମହଲା ଛାତ ଉପରେ କାମ କରୁଛି। ମୁଁ ମରିନି, ଜୀବିତ ଅଛି।’

କେବଳ ପ୍ରଭାତ କି ଗୋପୀନାଥ ନୁହଁନ୍ତି, କୁରୁଂଟି ଗାଁର ଅନନ୍ତ ଚରଣ ଜେନା, ସନ୍ୟାସୀ ଖଟୁଆ, ଚକ୍ରଧରପୁରର ଅଲେଖ ବେହେରା, ଚନ୍ଦ୍ରମଣି ବେହେରା, ନୋଧାବସନ୍ତର ଗୋପୀନାଥ ବିଶ୍ବାଳ, ନରହରି ପ୍ରଧାନ, ଚନ୍ଦ୍ରଶିଖର ଗାଁର ରାମଚନ୍ଦ୍ର ପ୍ରଧାନ, ଗୁହାଳକଣିର ଶ୍ରୀଧର ସାହୁ ପ୍ରମୁଖ ୧୧ଜଣଙ୍କୁ ମୃତ ଦର୍ଶାଇବା ସହ ସେମାନଙ୍କ ଶବ ସତ୍କାର ପାଇଁ ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ୨୦୦୦ ଟଙ୍କା ଲେଖାଏ ଦିଆଯାଇଛି ବୋଲି ସରକାରୀ ରେକର୍ଡରେ ଦର୍ଶାଯାଇଛି।

Jakarta Globe

ସରକାରୀ ନିୟମ ମୁତାବକ, ଗରିବ ପରିବାରର କେହି ସଦସ୍ୟଙ୍କ ମୃତ୍ୟୁ ଘଟିଲେ ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ତିରୁ ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ମୃତବ୍ୟକ୍ତିର ଶବ ସତ୍କାର ପାଇଁ ପରିବାର ସଦସ୍ୟଙ୍କୁ ୨ହଜାର ଟଙ୍କା ଯୋଗାଇ ଦେଇଥାନ୍ତି। ମୃତ୍ୟୁର ତତ୍‌କ୍ଷଣାତ ସରପଞ୍ଚ ସହାୟତା ରାଶି ଯୋଗାଇ ଦେଇଥାନ୍ତି। ମୃତ୍ୟୁର ୧୫ଦିନ ମଧ୍ୟରେ ମୃତକଙ୍କ ସଂପର୍କିତ ତଥ୍ୟ ଓ୍ବେବ୍‌ସାଇଟରେ ପଂଚାୟତ ନିର୍ବାହୀ ଅଧିକାରୀ ଦରଜ କରିଥାନ୍ତି। ଏହାର ୧୫ଦିନ ମଧ୍ୟରେ ପଂଚାୟତ ପକ୍ଷରୁ ଓ୍ବେବ୍‌ସାଇଟରେ ଦିଆଯାଇଥିବା ମୃତବ୍ୟକ୍ତିର ତଥ୍ୟକୁ ବିଡିଓ ଅଥରାଇଜେସନ୍‌ କରିବା ପରେ ସରକାର ପଂଚାୟତ ଆକାଉଣ୍ଟକୁ ଟଙ୍କା ଦେଇଥା’ନ୍ତି। ଏପରିସ୍ଥଳେ ୧୧ଜଣ ଲୋକ ଜୀବିତ ଥିବାବେଳେ ସେମାନଙ୍କୁ କିପରି ସରପଞ୍ଚ ଓ ନିର୍ବାହୀ ଅଧିକାରୀ ମୃତ ବୋଲି ଦର୍ଶାଇ ହରିଶ୍ଚନ୍ଦ୍ର ସହାୟତା ରାଶି ଲୁଟିନେଲେ, ତାହାକୁ ନେଇ ସମଗ୍ର ପଂଚାୟତରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର