ପର୍ଯ୍ୟଟନର ବିକାଶ ପାଇଁ ହାରୋର ପ୍ରସ୍ତାବ : ରାଜ୍ୟପାଳଙ୍କୁ ଭେଟି ପ୍ରସ୍ତାବ ପୁସ୍ତିକା ପ୍ରଦାନ କଲେ ହାରୋ ଅଧ୍ୟକ୍ଷ

ଭୁବନେଶ୍ବର : ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଓ ପ୍ରାକୃତିକ ସମ୍ପଦ ଭରପୂର ରହିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଆମକୁ ଆମ ପ୍ରକୃତି ଓ ସଂସ୍କୃତିର ବ୍ୟାପକ ପ୍ରଚାର, ପ୍ରସାର କରିବାକୁ ପଡ଼ିବ। ଏଥି ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ତେବେ ହୋଟେଲ୍‌ ଶିଳ୍ପ ଠାରୁ ଆରମ୍ଭ କରି ବେଳାଭୂମି, ପର୍ଯ୍ୟଟନ ସ୍ଥଳୀକୁ ରାସ୍ତା, ଅଧିକ ବିମାନ ଚଳାଚଳ ସହ ସବୁ କ୍ଷେତ୍ରରେ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ରହିଛି। ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ଏମିତି ବହୁ ପ୍ରସ୍ତାବ ରଖିଛି ହୋଟେଲ୍‌ ଆଣ୍ଡ୍‌ ରେସ୍ତୋଁରା ଆସୋସିଏସନ୍ ଅଫ୍‌ ଓଡ଼ିଶା(ହାରୋ)।

କରୋନା ମହାମାରୀ ଆସିବା ପୂର୍ବରୁ ହାରୋ ପକ୍ଷରୁ ପର୍ଯ୍ୟଟନ କନ୍‌କ୍ଲେଭ୍‌ ଆୟୋଜନ କରାଯାଇଥିଲା। ଏହାର ନିର୍ଯ୍ୟାସକୁ ନେଇ ଏକ ପ୍ରସ୍ତାବ ସମ୍ବଳିତ ପୁସ୍ତିକା ପ୍ରସ୍ତୁତ କରାଯାଇଛି। ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ହାରୋର ଅଧ୍ୟକ୍ଷ ଜେ କେ ମହାନ୍ତି ସାକ୍ଷାତ କରି ଏହି ପୁସ୍ତିକା ପ୍ରଦାନ କରିଛନ୍ତି। ଏହି ଅବସରରେ ଶ୍ରୀ ମହାନ୍ତି ରାଜ୍ୟପାଳଙ୍କ ସହ ରାଜ୍ୟ ପର୍ଯ୍ୟଟନର ବର୍ତ୍ତମାନ ସ୍ଥିତି ଓ ସମ୍ଭାବନା ଉପରେ ଆଲୋଚନା କରିଥିଲେ। କରୋନା ପରେ ପର୍ଯ୍ୟଟନ ଶିଳ୍ପ କିପରି ପ୍ରଭାବିତ ହୋଇଛି ଓ ପୁନରୁଦ୍ଧାର ପାଇଁ କି କି ପଦକ୍ଷେପ ନିଆଯାଉଛି, ସେ ସମ୍ପର୍କରେ ସେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ।

ପୁସ୍ତିକାରେ ହାରୋ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ପର୍ଯ୍ୟଟନ ବିକାଶରେ ବଡ଼ ବାଧକ ସାଜିଛି ହୋଟେଲ୍‌ର ଅଭାବ। ରାଜ୍ୟରେ ଏବେ ମାତ୍ର ୯ଟି ତାରକା ହୋଟେଲ୍‌ ରହିଛି। ଅଧିକ ସଂଖ୍ୟାରେ ତାରକା ହୋଟେଲ୍‌ ଓ ବଜେଟ୍‌ ହୋଟେଲ୍‌ର ଅାବଶ୍ୟକତା ରହିଛି। ଏଥି ପାଇଁ ସରକାର ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା ଉଚିତ। ବିଦେଶକୁ ବୁଲିବା ପାଇଁ ଯାଉଥିବା ଦେଶୀୟ ପର୍ଯ୍ୟଟକମାନଙ୍କୁ ଓଡ଼ିଶା ପ୍ରତିି ଆକୃଷ୍ଟ କରିବାକୁ ରାଜ୍ୟ ପର୍ଯ୍ୟଟନରେ ଅତ୍ୟାଧୁନିକ ଭିତ୍ତିଭୂମି ସୃଷ୍ଟି ନିମନ୍ତେ ଘ‌େରାଇ ସଂସ୍ଥାକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉ। ଓଡ଼ିଶାର ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ପ୍ରଚାର ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ‘ଫିଲ୍ମ ଟୁରିଜିମ୍‌’କୁ ଅଗ୍ରାଧିକାର ଦେବା ସହ ପ୍ରତିଷ୍ଠିତ ପ୍ରଯୋଜକମାନଙ୍କୁ ରାଜ୍ୟକୁ ନିମନ୍ତ୍ରଣ କରିବା ଆବଶ୍ୟକ। ବୌଦ୍ଧ ପର୍ଯ୍ୟଟନ, ଚିଲିକା ହ୍ରଦ, ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ, ସ୍ବାସ୍ଥ୍ୟ ପର୍ଯ୍ୟଟଠନ, ରାତ୍ରୀକାଳୀନ ପର୍ଯ୍ୟଟନକୁ ସ୍ବତନ୍ତ୍ର ଭାବେ ଧ୍ୟାନ ଦେଇ ପଦକ୍ଷେପ ନିଆଯାଉ। ହୀରାକୁଦ ପରି ସୌନ୍ଦର୍ଯ୍ୟମୟ ସ୍ଥାନକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବାର ଆବଶ୍ୟକତା ରହିଛି। ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପର ବାହାରେ ସ୍ବତନ୍ତ୍ର ଚାହିଦା ଥିବାରୁ ସେଗୁଡ଼ିକର ଅଧିକରୁ ଅଧିକ ପ୍ରଚାର, ପ୍ରସାର କରାଯାଉ। କେନ୍ଦ୍ର ସରକାରଙ୍କ ଆଇକନିକ୍ ପର୍ଯ୍ୟଟନ ସ୍ଥଳୀ ତାଲିକାରେ କୋଣାର୍କ ମନ୍ଦି, ବୌଦ୍ଧ ସର୍କିଟ୍‌ ଓ ଚିଲିକା ‌ହ୍ରଦକୁ ସ୍ଥାନ ଦେବା ପାଇଁ ହାରୋ ପ୍ରସ୍ତାବ ଦେଇଛି। ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟର ବିଜ୍ଞାପନରେ ଓଡ଼ିଶାର ପର୍ଯ୍ୟଟସ୍ଥଳୀ ଯେପରି ସ୍ଥାନ ପାଇବ ସେ ଦିଗରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ପଦ‌େକ୍ଷପ ନେବା ପାଇଁ ସରକାରଙ୍କୁ ହାରୋ ପ୍ରସ୍ତାବ ଦେଇଛି।

ସମ୍ବନ୍ଧିତ ଖବର