ହାରୋ ପକ୍ଷରୁ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ପ୍ରସ୍ତାବ: ସବୁ ସମ୍ଭାବନାକୁ ଉପଯୋଗ କରାଯାଉ

ଭିତ୍ତିଭୂମିର ବିକାଶ ସହ ବିଦେଶରେ ବ୍ୟାପକ ପ୍ରଚାର ଲୋଡ଼ା, ଅଧିକ ହୋଟେଲ୍‌ ନିର୍ମାଣ ପାଇଁ ସ୍ବତନ୍ତ୍ର ପ୍ରୋତ୍ସାହନ ମିଳୁ

ଭୁବନେଶ୍ବର: ୨୦୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନକୁ ୧୦୦ ବର୍ଷ ପୂର୍ତ୍ତି ହେବ। ଏହି ଅବସରରେ ଓଡ଼ିଶାକୁ ପ୍ରତିଟି କ୍ଷେତ୍ରରେ ବିକଶିତ କରିବା ତଥା ଦେଶର ଏକ ପ୍ରମୁଖ ରାଜ୍ୟ ଭାବେ ଉଭା କରିବା ପାଇଁ ଆମେ ସମସ୍ତେ ଅଣ୍ଟା ଭିଡ଼ିବା ଉଚିତ। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ଓ ସୁଯୋଗ ରହିଛି। ଏହାକୁ ଭରପୂର ଉପଯୋଗ କରି ଓଡ଼ିଶାକୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ଦିଆଯାଇପାରିବ। ଏଥି ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ମିଳିତ ଉଦ୍ୟମ ହେବା ଆବଶ୍ୟକ ବୋଲି ହୋଟେଲ୍‌ ଆଣ୍ଡ୍‌ ରେସ୍ତୋଁରା ଆସୋସିଏସନ୍‌ ଅଫ୍‌ ଓଡ଼ିଶା(ହାରୋ) ପକ୍ଷରୁ କୁହାଯାଇଛି।

ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କୁ ହାରୋର ଅଧ୍ୟକ୍ଷ ଜେ କେ ମହାନ୍ତି ସାକ୍ଷାତ କରି ପର୍ଯ୍ୟଟନର ବିକାଶ ପ୍ରସଙ୍ଗରେ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି। ଶ୍ରୀ ମହାନ୍ତି ଏଥିରେ ଦର୍ଶାଇଛନ୍ତି ଯେ ଗତ କିଛି ବର୍ଷ ହେଲା ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରର ଆଖିଦୃଶିଆ ବିକାଶ ହୋଇଛି। ଇକୋ-ଟୁରିଜିମ୍‌ର ବିକାଶ, ଅଧିକରୁ ଅଧିକ ନୂତନ ପର୍ଯ୍ୟଟନ ସ୍ଥଳର ବିକାଶ, ଧାର୍ମିକ ପୀଠର ବିକାଶ, ପର୍ଯ୍ୟଟନ ଅନୁକୂଳ ସରକାରୀ ନୀତି ଓ ଓଡ଼ିଶାକୁ ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ କରିବାର ପ୍ରୟାସ ରାଜ୍ୟର ପର୍ଯ୍ୟଟନ ବିକାଶରେ ବହୁମାତ୍ରାରେ ସହାୟକ ହୋଇଛି। ତାହା ସତ୍ତ୍ବେ ଆମକୁ ଆହୁରି ଆଗକୁ ଯିବାର ଅଛି। ପର୍ଯ୍ୟଟନର ବିକାଶରେ ଏକ ପ୍ରମୁଖ ଅଙ୍ଗ ହେଲା ଉନ୍ନତମାନର ଯୋଗାଯୋଗ ବ୍ୟବସ୍ଥା। ରାସ୍ତା, ରେଳ, ବିମାନବନ୍ଦର, ସାମୁଦ୍ରିକ ବନ୍ଦର ଓ ଜଳପଥର ବିକାଶ ଉପରେ ପର୍ଯ୍ୟଟନର ବିକାଶ ବହୁମାତ୍ରାରେ ନିର୍ଭର କରେ। କିନ୍ତୁ ରେଳ ନେଟ୍‌ୱର୍କରେ ଓଡ଼ିଶା ବହୁ ପଛରେ। ରାଜ୍ୟର ବହୁ ପର୍ଯ୍ୟଟନସ୍ଥଳୀକୁ ଯଥେଷ୍ଟ ସଂଖ୍ୟାରେ ରେଳ ଚଳାଚଳ କରୁନି। ବିମାନସେବାରେ ମଧ୍ୟ ଆମେ ବହୁ ପଛରେ। ରାଜ୍ୟରେ ଆନ୍ତର୍ଜାତିକ ବିମାନବନ୍ଦର ଥାଇ ବି ଆନ୍ତର୍ଜାତିକ ବିମାନ ଏଠାରୁ ଉଡ଼ୁନି। ଦୁବାଇ, ଥାଇଲାଣ୍ଡ୍‌, ସିଙ୍ଗାପୁର, ନେପାଳ ଆଦି ରାଷ୍ଟ୍ରକୁ ସିଧାସଳଖ ବିମାନ ଉଡ଼ାଣର ଆବଶ୍ୟକତା ରହିଛି, ଯାହା ଫଳରେ ଅଧିକ ବିଦେଶୀ ପର୍ଯ୍ୟଟକ ରାଜ୍ୟକୁ ଆସିବେ। ଏହା ବାଦ୍ ବୋଧଗୟା, ଉଦୟପୁର ଓ ଗୋଆକୁ ସିଧାସଳଖ ବିମାନସେବା ଆରମ୍ଭ ପାଇଁ ପଦ‌କ୍ଷେପ ନିଆଯାଉ। ଉଡ଼ାଣ ସ୍କିମ୍‌ରେ ଜୟପୁରରୁ ତୁରନ୍ତ ବିମାନସେବା ଆରମ୍ଭ ହେଲେ ରାଜ୍ୟରେ ଆଦିବାସୀ ପର୍ଯ୍ୟଟନ ପ୍ରତି ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯାଇପାରିବ।

ଭିତ୍ତିଭୂମିର ବିକାଶ ସହ ବିଦେଶରେ ବ୍ୟାପକ ପ୍ରଚାର ଲୋଡ଼ା
ଅଧିକ ହୋଟେଲ୍‌ ନିର୍ମାଣ ପାଇଁ ସ୍ବତନ୍ତ୍ର ପ୍ରୋତ୍ସାହନ ମିଳୁ
ବିଦେଶକୁ ବିମାନ ଚଳାଚଳ ପାଇଁ ପଦକ୍ଷେପ ନିଆଯାଉ

ହାରୋ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି, ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀରେ ଭିତ୍ତିଭୂମିର ଠିକ୍ ଭାବେ ବିକଶିତ କରାଯାଉ। ଅଧିକ ପର୍ଯ୍ୟଟକ ଆସୁଥିବା ଅଞ୍ଚଳ ଯଥା- ପୁରୀ, କୋଣାର୍କ, ଭୁବନେଶ୍ବର ଆଦି ସ୍ଥାନରେ ପିପିପି ମୋଡ୍‌ରେ ସୌନ୍ଦର୍ଯ୍ୟକରଣ କରାଯାଉ। ଭାରତ ପର୍ଯ୍ୟଟନ ଦ୍ବାରା ପ୍ରଚାର କରାଯାଉଥିବା ବୁଦ୍ଧିଷ୍ଟ ସର୍କିଟ୍‌ରେ ଓଡ଼ିଶାର ବୌଦ୍ଧ ପର୍ଯ୍ୟଟନସ୍ଥଳୀକୁ ଠିକ୍ ଭାବେ ସ୍ଥାନ ଦିଆଯାଇନି। ଏ ଦିଗରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରାଯାଉ। ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ କରାଯାଉଥିବା ଅତୁଲ୍ୟ ଭାରତ କ୍ୟାମ୍ପେନ୍‌ରେ ଓଡ଼ିଶାର ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀକୁ ସ୍ଥାନ ଦେବା ପାଇଁ ଦାବି କରାଯାଉ। ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଦୃଷ୍ଟି ଆକର୍ଷଣ ନିମନ୍ତେ ଓଡ଼ିଶା ପର୍ଯ୍ୟଟନର ବିଶ୍ବସ୍ତରର ବ୍ରାଣ୍ଡିଂ କରାଯାଉ। ବିଦେଶରେ ଅଧିକ ରୋଡ୍‌ ସୋ’ କରିବା ସହ ପ୍ରତି ବର୍ଷ ଓଡ଼ିଶା ଟ୍ରାଭେଲ୍‌ ବଜାର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ହାରୋ ପ୍ରସ୍ତାବ ଦେଇଛି। ‌‌ୱେଲ୍‌ନେସ୍‌ ଟୁରିଜିମ୍‌, କ୍ରୁଜ୍, ରୁରାଲ୍‌ ଟୁରିଜିମ୍‌, ମେଡିକାଲ ଟୁରିଜିମ୍‌, ‌ହେରିଟେଜ୍ ଟୁରିଜିମ୍‌କୁ ପ୍ରୋତ୍ସାହିତ କରାଯିବା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି।
ଓଡ଼ିଶାରେ ଏବେ ବି ଆମ ପାଖରେ ପର୍ଯ୍ୟଟକଙ୍କ ରହିବା ପାଇଁ ଯଥେଷ୍ଟ ହୋଟେଲ୍‌ ଭିତ୍ତିଭୂମି ନାହିଁ।

ଆମକୁ ଅଧିକ ସଂଖ୍ୟାରେ ହୋଟେଲ ରୁମ୍‌ ନିର୍ମାଣ ଉପରେ ଗୁରୁତ୍ବ ଦେବା ସହ ତାରକା ବର୍ଗର ହୋଟେଲ ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ ଦେବାକୁ ପଡ଼ିବ। ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ରାଜସ୍ଥାନ, ପଞ୍ଜାବ, କେରଳ, ବିହାର ଓ ଗୋଆ ଆଦି ରାଜ୍ୟରେ ତାରକା ବର୍ଗର ହୋଟେଲ ସଂଖ୍ୟା ଅଧିକ ଯୋଗୁଁ ସେସବୁ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଆଶାତୀତ ରହିଛି। କିନ୍ତୁ ଓଡ଼ିଶାରେ ତାରକା ହୋଟେଲ ସଂଖ୍ୟା କମ୍‌ ଯୋଗୁଁ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ପର୍ଯ୍ୟଟନ ଆକର୍ଷିତ କରିପାରୁନାହିଁ। ସଂଖ୍ୟାକୁ ବିଚାରକୁ ନେଲେ କେରଳରେ ସର୍ବାଧିକ ୬୭୨ଟି କ୍ଲାସିଫାଏଡ୍‌ ହୋଟେଲ ରହିଥିବା ବେଳେ ଏଠାରେ ସମୁଦାୟ ରୁମ୍ ସଂଖ୍ୟା ୧୬୭୫୦। ସେହିଭଳି ମହାରାଷ୍ଟ୍ରରେ ୧୦୨ଟି କ୍ଲାସିଫାଏଡ୍‌ ହୋଟେଲ ଓ ୧୪,୫୬୭ଟି ରୁମ୍‌ ରହିଛି। କିନ୍ତୁ ଓଡ଼ିଶାରେ ସମୁଦାୟ ୧୬ଟି କ୍ଲାସିଫିଏଡ୍‌ ହୋଟେଲ ରହିଥିବା ବେଳେ ୧୨୪୨ଟି ରୁମ୍‌ ରହିଛି, ଯାହାକି ବେଶ୍ ନଗଣ୍ୟ। ବିଦେଶୀ ତଥା ଉଚ୍ଚବର୍ଗର ପର୍ଯ୍ୟଟକଙ୍କୁ ଓଡ଼ିଶା ଟାଣିବାକୁ ହେଲେ ଏ ଦିଗରେ ଅଧିକ ମାନସମନ୍ଥନର ଆବଶ୍ୟକତା ରହିଛି ବୋଲି ହାରୋ ଅଧ୍ୟକ୍ଷ ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର