କଟକ : ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ପ୍ରଦାନ କରାଯାଉଥିବା ସମ୍ମାନଜନକ ବିଷୁବ ପୁରସ୍କାର ଘୋଷଣା କରାଯାଇଛି। ୨୦୨୦ ଓ ୨୦୨୧ ବର୍ଷ ପାଇଁ ଏହି ପୁରସ୍କାର ଆଜି ପ୍ରଜାତନ୍ତ୍ର ପ୍ରଚାର ସମିତିର ଅଧ୍ୟକ୍ଷ, ସାଂସଦ ଭର୍ତ୍ତୃହରି ମହତାବ ଘୋଷଣା କରିଛନ୍ତି। ୨୦୨୦ ବର୍ଷ ପାଇଁ ବିଶିଷ୍ଟ ପ୍ରାବନ୍ଧିକ ହରପ୍ରସାଦ ଦାସଙ୍କୁ ଓ ୨୦୨୧ ପାଇଁ ବିଶିଷ୍ଟ କବି ଅମରେଶ ପଟ୍ଟନାୟକଙ୍କୁ ବିଷୁବ ପୁରସ୍କାର ପ୍ରଦାନ କରାଯିବ। ପ୍ରତ୍ୟେକଙ୍କୁ ପୁରସ୍କାର ସ୍ବରୂପ ୧ ଲକ୍ଷ ଟଙ୍କା ଓ ତାମ୍ର ଫଳକ ପ୍ରଦାନ କରାଯିବ। ସେହିଭଳି ପ୍ରବନ୍ଧ ଓ ସାହିତ୍ୟ ସମାଲୋଚନା ପାଇଁ ଡକ୍ଟର କୈଳାସ ଚନ୍ଦ୍ର ଦାଶ ଓ କୁମୁଦ ରଂଜନ ପାଣିଗ୍ରାହୀ, କବିତା ପାଇଁ ହୃଦାନନ୍ଦ ପାଣିଗ୍ରାହୀ ଓ ଶ୍ରୀକୁମାର ହସନ, ଗଳ୍ପ ପାଇଁ ପ୍ରଭାତ ମହାପାତ୍ର ଓ ଦେଶବନ୍ଧୁ ସ୍ବାଇଁଙ୍କୁ ଯଥାକ୍ରମେ ୨୦୨୦ ଓ ୨୦୨୧ ବର୍ଷର ଝଙ୍କାର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଓ ତାମ୍ର ଫଳକ ପ୍ରଦାନ କରାଯିବ।
ଝଙ୍କାର ଅନୁବାଦ-ଭାରତୀ ପୁରସ୍କାର ପାଇଁ କନକ ମଂଜରୀ ସାହୁ ଓ ଲିଙ୍ଗରାଜ ମହାନ୍ତିଙ୍କୁ ଯଥାକ୍ର ୨୦୨୦ ଓ ୨୦୨୧ ବର୍ଷ ପାଇଁ ମନୋନୀତ କରାଯାଇଛି। ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ୨୦୨୦ ଓ ୨୦୨୧ର ଝଙ୍କାର ଲଳିତ ନିବନ୍ଧ ପୁରସ୍କାର ପାଇଁ ଯଥାକ୍ରମେ ଡକ୍ଟର ଭାଗ୍ୟଲିପି ମଲ୍ଲ ଓ ବୈଷ୍ଣବ ଚରଣ ମହାନ୍ତିଙ୍କୁ ମନୋନୀତ କରାଯାଇଛି। ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ୨୦୨୦ ଓ ୨୦୨୧ ହରିହର ମହାପାତ୍ର ସ୍ମାରକୀ ନାଟ୍ୟ ସାହିତ୍ୟ ପୁରସ୍କାର ପାଇଁ ଯଥାକ୍ରମେ ବିରାଜ ମୋହନ ଦାସ ଓ ଦିଲ୍ଲୀପ ବେହେରାଙ୍କୁ ମନୋନୀତ କରାଯାଇଛି। ପ୍ରତ୍ୟେକଙ୍କୁ ୩ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ପ୍ରଜାତନ୍ତ୍ର ପରିସରରେ ବିଷୁବ ମଣ୍ଡପରେ ବିଷୁବ ମିଳନର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଏପ୍ରିଲ ୧୪ ତାରିଖ ଦିନ ସାଢେ ଦଶଟାରେ ଏହି ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯିବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଶ୍ରୀ ମହତାବ ସୂଚନା ଦେଇଛନ୍ତି।