ପ୍ରାଚୀନ ମୁଦ୍ରା ସଂଗ୍ରହରେ ରୁଚି ରଖନ୍ତି ବୈପାରିଗୁଡ଼ାର ଝିଅ ହର୍ଷିତା, ଉଚ୍ଚତର ଗବେଷଣା କରିବା ଲକ୍ଷ୍ୟ

ବୈପାରିଗୁଡା: ପ୍ରାଚୀନ ମୁଦ୍ରା ସଂଗ୍ରହରେ ରୁଚି ରଖୁଥିବା ଝିଅ ହେଉଛନ୍ତି ହର୍ଷିତା। ବର୍ତ୍ତମାନ ଦେଶ ବିଦେଶରେ ୨୦୦୦ ମୁଦ୍ରା ସଂଗ୍ରହ କରିସାରିଛନ୍ତି। ବୈପାରିଗୁଡାସ୍ଥିତ ଅକସଫୋର୍ଡ ଇଣ୍ଟରନ୍ୟାସନାଲ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଅଧ୍ୟୟନ କରୁଥିବା ହର୍ଷିତା ମହାନ୍ତି (୧୧)। ପାଠ ପଢ଼ାରେ ଯେମିତି ଆଗୁଆ, ଖେଳକୁଦ ଠାରୁ ଆରମ୍ଭ କରି କଳା ସଂସ୍କୃତି କ୍ଷେତ୍ରରେ ମଧ୍ୟ ସେହିପରି ଦକ୍ଷ। ଏବେ ସେ ପ୍ରାଚୀନ ମୁଦ୍ରା ସଂଗ୍ରହ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ହର୍ଷିତାଙ୍କ କହିବା ଅନୁଯାୟୀ, ତାଙ୍କ ଜେଜେବାପା ଶ୍ରୀପଦ ମହାନ୍ତି ପୁଲିସ ବିଭାଗରେ ଚାକିରି କରୁଥିଲେ। କାର୍ଯ୍ୟ ଦକ୍ଷତା ପାଇଁ ତାଙ୍କୁ ମିଳିଥିବା ଉପହାର ସ୍ୱରୂପ ଦେଇଥିଲେ। ଏଥିସହ ୧୯୪୫ ମସିହାର ଟଙ୍କିକିଆ ମୁଦ୍ରା ଟିଏ ମଧ୍ୟ ସାଇତି ରଖିବା ପାଇଁ ଦେଇଥିଲେ। ଏହି ବିରଳ ମୁଦ୍ରା ଏବଂ ପୁଲିସ ମ୍ୟାଡେଲ ପାଇବା ପରେ ହର୍ଷିତାଙ୍କ ମନ ଭିତରେ ପ୍ରାଚୀନ ମୁଦ୍ରା ସଂଗ୍ରହ କରିବାର ଆଗ୍ରହ ସୃଷ୍ଟି ହୋଇଥିଲା। ପରିବାର ତଥା ସଂପର୍କୀୟଙ୍କ ସହାୟତାରେ ସେ ମୁଦ୍ରା ସଂଗ୍ରହରେ ଲାଗି ପଡ଼ିଲେ।

ବର୍ତ୍ତମାନ ତାଙ୍କ ପାଖରେ ଦେଶ ବିଦେଶର ବହୁ ମୁଦ୍ରା ଏବଂ କାଗଜ ନୋଟ୍ ରହିଛି। ଆମେରିକା, ରୁଷିଆ, ଇଂଲଣ୍ଡ, ଜାପାନ, ଚୀନ, ଦକ୍ଷିଣ ଆଫ୍ରିକା, ମାଲେସିଆ, ନେପାଳ, ବାଂଲାଦେଶ,ୟୁରୋପିୟନ, ୟୁନିୟନ, ଫ୍ରାନ୍ସ ଭଳି ୫୫ଟି ଦେଶର ମୁଦ୍ରା ତାଙ୍କ ପାଖରେ ରହିଥିବା ପ୍ରକାଶ କରିଛନ୍ତି। ଜେଜେବାପା ସ୍ବର୍ଗତ ଶ୍ରୀପଦ ମହାନ୍ତି ସେଦିନ କେବଳ ଉପହାର ଆକାରରେ ପୁଲିସ ପଦକ ଏବଂ ପ୍ରାଚୀନ ମୁଦ୍ରା ଦେଇନଥିଲେ ବରଂ ତାଙ୍କୁ ନୂତନ ଦିଗଦର୍ଶନ ପ୍ରଦାନ କରିଥିଲେ ବୋଲି ହର୍ଷିତା ପ୍ରକାଶ କରିଛନ୍ତି।

ବାପା ହରେକୃଷ୍ଣ ମହାନ୍ତି ଜଣେ ସମାଜସେବୀ ହୋଇଥିବା ବେଳେ ମାଆ ପଦ୍ମିନୀ ବିଶ୍ବାଳ ବୈପାରିଗୁଡା ଏସ୍ଏଲ୍ଏନ୍ କଲେଜର ଲାଇବ୍ରେରୀୟାନ୍। ଉଭୟଙ୍କର ପ୍ରେରଣା ତଥା ନିଜ ପରିବାରର ସମସ୍ତ ସଦସ୍ୟ ଏବଂ ନିଜେ ପଢୁଥିବା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଶିର୍ବାଦ ତାଙ୍କ ଉପରେ ରହିଥିବାରୁ ଆଗାମୀ ଦିନରେ ସେ ଏଦିଗରେ ଏକ ରେକର୍ଡ଼ ସୃଷ୍ଟି କରିବେ ବୋଲି ଆଶା ପ୍ରକାଶ କରିଛନ୍ତି। ଉଚ୍ଚଶିକ୍ଷା ସହ ବାସ୍ତୁକଳା ଏବଂ ମୁଦ୍ରା ଉପରେ ଉଚ୍ଚତର ଗବେଷଣା କରିବା ଭବିଷ୍ୟତର ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର