ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାବାସୀଙ୍କ ଜୀବନ, ଜୀବିକା ସଙ୍କଟରେ: ବିିଜେପି

ଶିଳ୍ପ କାରଖାନାରୁ ନିର୍ଗତ ପାଉଁଶ ଗଦା ହୋଇ ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି

ଭୁବନେଶ୍ୱର : ରାଜ୍ୟ ତଥା ସ୍ଥାନୀୟ ଅଞ୍ଚଳବାସୀଙ୍କ ବିକାଶ ପାଇଁ ଶିଳ୍ପ ପ୍ରତିଷ୍ଠା ହେଉଛି। କିନ୍ତୁ ଶାସକ ଦଳର କିଛି ନେତା, ମାଫିଆ ଓ ନିର୍ଦ୍ଦିଷ୍ଟ ଘରୋଇ କମ୍ପାନି ଏଥିରୁ ଫାଇଦା ଉଠାଉଛନ୍ତି। ‌ଘରୋଇ କମ୍ପାନି-ଶାସକ ଦଳର ମଧୁଚନ୍ଦ୍ରିକା ଯୋଗୁ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାବାସୀଙ୍କ ଜୀବନ, ଜୀବିକା ସଙ୍କଟ ଭିତର ଦେଇ ଗତି କରୁଛି ବୋଲି ବିଜେପି ଅଭିଯୋଗ କରିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ କୁହାଯାଇଛି ଯେ ଶିଳ୍ପାଞ୍ଚଳ ଭାବେ ପରିଚିତ ଏହି ଦୁଇଟି ଅଞ୍ଚଳରେ ଥିବା ଶିଳ୍ପ କାରଖାନାରୁ ନିର୍ଗତ ପାଉଁଶ ଗଦା ହୋଇ ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଏହା ଦ୍ବାରା ପାନୀୟ ଜଳ, ପରିବେଶ ପ୍ରଭାବିତ ହୋଇ ସ୍ଥାନୀୟ ବାସିନ୍ଦାଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇପଡ଼ୁଛି। ଏପରିକି ଚାଷ ଜମିରେ ବିଷାକ୍ତ ପାଉଁଶ ପାଣି ମାଡ଼ିଯିବାରୁ ବ୍ୟାପକ କ୍ଷୟକ୍ଷତି ହେଉଛି। ସ୍ଥାନୀୟ ବାସିନ୍ଦା ବେଆଇନ ଭାବେ ହୋଇଥିବା ପାଉଁଶ ଗଦାକୁ ବିରୋଧ କଲେ, କିଛି ମାଫିଆ ସେମାନଙ୍କୁ ମାରିଦେବାକୁ ଧମକ ଦେଉଛନ୍ତି। ଏଥିରେ ଶ‌ାସକ ଦଳର କିଛି ପ୍ରଭାବଶାଳୀ ନେତା ସାମିଲ ଅଛନ୍ତି। ପାଉଁଶ ପରିବହନର ଠିକା ନେଇଥିବା ସଂସ୍ଥାଗୁଡ଼ିକ କୌଣସି ନିୟମକାନୁନ୍‌ ମାନୁ ନାହାନ୍ତି। ଚାକିରି ଯୋଗାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଗ୍ରାମବାସୀଙ୍କ ଠାରୁ ଜମି ହାତେଇବା ପରେ ପରିବେଶକୁ ଦୂଷିତ କରି ‌ସେମାନଙ୍କ ଜୀବନ ସହ ଖେଳ ଖେଳାଯାଉଛି। ଉଭୟ ଜିଲ୍ଲା ପ୍ରଶାସନ ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଦୁର୍ଭାଗ୍ୟଜନକ।

ଏହି ପ୍ରସଙ୍ଗରେ ୨ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ଅଭିଯୋଗ ଆସିବା ପରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଗତ ୯ ଓ ୧୩ ତାରିଖରେ ଦୁଇ ଦିନ ଧରି ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର ପାଉଁଶ ଗଦା ହୋଇଥିବା ବିଭିନ୍ନ ଅଞ୍ଚଳ ଗସ୍ତ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରତିନିଧି ଦଳରେ ବିଧାୟକ ନାଉରୀ ନାଏକ, କୁସୁମ ଟେଟେ, ଶଙ୍କର ଓରାମ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଏବଂ ପରବର୍ତ୍ତୀ ସମୟ‌ରେ ସାଂସଦ ସୁରେଶ ପୂଜାରୀ ଓ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ପ୍ରମୁଖ ସାମିଲ ହୋଇଥିଲେ। ଏହି ପ୍ରତିନିଧି ଦଳର ସଦସ୍ୟମାନେ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର