ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ଉପକନିଷ୍ଠ ଜାତୀୟ ମହିଳା ହକି ପ୍ରତିଯୋଗିତାରେ ହରିୟାଣା ବିଜେତା ହୋଇଛି। ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ହରିୟାଣା ୩-୨ ଗୋଲରେ ଶକ୍ତିଶାଳୀ ଝାଡ଼ଖଣ୍ଡକୁ ପରାସ୍ତକରି ନୂଆ ଇତିହାସ ରଚିଛି। ଅପରପକ୍ଷରେ ଉତ୍ତରପ୍ରଦେଶକୁ ସୁଟ୍ଆଉଟ୍ରେ ପରାସ୍ତକରି ଓଡ଼ିଶା ଦଳ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି।
ରବିବାର ସନ୍ଧ୍ୟାରେ ହରିୟାଣା ଓ ଝାଡ଼ଖଣ୍ଡ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ ବେଶ୍ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହୋଇଥିଲା। ମ୍ୟାଚ୍ର ୭ମ ମିନିଟ୍ରେ ଝାଡ଼ଖଣ୍ଡର ସଙ୍ଗୀତା କୁମାରୀ ପ୍ରଥମ ଗୋଲ୍ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ତେବେ ଦ୍ବିତୀୟ କ୍ବାର୍ଟର୍ର ୨୫ତମ ମିନିଟ୍ରେ ହରିୟାଣାର ଭାବ୍ୟା ଏକ ଚମତ୍କାର ଗୋଲ୍ ଦେଇ ସ୍କୋର୍ ୧-୧ ରଖିଥିଲେ। ଏହାର ମାତ୍ର ଦୁଇ ମିନିଟ୍ପରେ ଝାଡ଼ଖଣ୍ଡର ଅଙ୍କିତା ମିଞ୍ଜ(୨୭) ଗୋଟିଏ ଗୋଲ ଦେଇ ଦଳକୁ ପୁଣି ୨-୧ରେ ଆଗୁଆ କରିଥିଲେ। ତେବେ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା।
ମ୍ୟାଚ୍ର ୩୬ତମ ମିନିଟ୍ରେ ହରିୟାଣାର ମୀନାକ୍ଷୀ ଗୋଟିଏ ଗୋଲ୍ ଦେଇ ସ୍କୋର ପୁଣି ୨-୨ରେ ବରାବର କରିଥିଲେ। ଏହାପରେ ଉଭୟ ଦଳ ଆକ୍ରମଣକୁ ବ୍ୟାପକ କରି ବିପକ୍ଷଙ୍କ ଉପରେ ଚାପ ସୃଷ୍ଟି କରିବାର ପ୍ରୟାସ କରିଥିଲେ; କିନ୍ତୁ ଉଭୟ ଦଳର ଆକର୍ଷଣୀୟ ରକ୍ଷଣଭାଗ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା। ଉଭୟ ଦଳ ଘନଘନଆକ୍ରମଣ ଜାରି ରଖିଥିବାବେଳେ ୫୮ତମ ମିନିଟ୍ରେ ହରିୟାଣା ଏକ ପେନାଲ୍ଟି କର୍ଣ୍ଣର୍ ସୁଯୋଗ ପାଇଥିଲା। ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା ନ କରି ଭାବ୍ୟା ପେନାଲ୍ଟି କର୍ଣ୍ଣର୍କୁ ଏକ ସୁନ୍ଦର ଗୋଲ୍ରେ ପରିଣତକରି ସ୍କୋର୍କୁ ୩-୨କୁ ବୃଦ୍ଧି କରିଥିଲେ। ମ୍ୟାଚ୍ ଶେଷ ହେବାକୁ ଆଉ ମାତ୍ର ୨ ମିନିଟ୍ ବାକିଥିବାବେଳେ ଝାଡ଼ଖଣ୍ଡ ଖେଳାଳି ଗୋଲ୍ ପରିଶୋଧ କରିନପାରି ପରାଜୟ ବରଣ କରିଛି।
ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ଓଡ଼ିଶା-ଉତ୍ତରପ୍ରଦେଶ ମ୍ୟାଚ୍ ମଧ୍ୟ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚ୍ର ଷଷ୍ଠ୍ ମିନିଟ୍ରେ ଉତ୍ତରପ୍ରଦେଶର ରଶ୍ମୀ ରାଇକୱାର ଗୋଲ୍ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ଦ୍ବିତୀୟ କ୍ବାର୍ଟର ଶେଷ ସୁଦ୍ଧା ଗୋଲ୍ ପରିଶୋଧ କରିବାକୁ ଓଡ଼ିଶା ଖେଳାଳି ଏକାଧିକ ପ୍ରୟାସ କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ତେବେ ୪୩ତମ ମିନିଟ୍ରେ ଓଡ଼ିଶା ପାଇଥିବା ପେନାଲ୍ଟି କର୍ଣ୍ଣର ମ୍ୟାଚ୍ର ସମୀକରଣ ବଦଳାଇଦେଇଥିଲା। ପେନାଲ୍ଟି କର୍ଣ୍ଣର୍ ସୁଯୋଗକୁ ସୋନାଳୀ ଏକ୍କା ଗୋଲ୍ରେ ରୂପାନ୍ତର କରି ସ୍କୋର୍ ୧-୧ରେ ବରାବର କରିଥିଲେ। ଅନ୍ତିମ କ୍ବାର୍ଟରରେ ଉଭୟ ଦଳ ଗୋଲ୍ ଦେବାରେ ବିଫଳ ବୋରୁ ମ୍ୟାଚ୍ ୧-୧ରେ ଅମୀମାଂସିତ ରହିଥିଲା। ଏହାପରେ ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ଏଥିରେ କିନ୍ତୁ ବାଜିମାରିନେଇଥିବା ଓଡ଼ିଶା। ସେମିଫାଇନାଲ ମ୍ୟାଚ୍ର ତ୍ରୁଟି ସୁଧାରି ଓଡ଼ିଶା ଖେଳାଳି ସୁଟ୍ଆଉଟ୍ରେ ୪-୩ରେ ଉତ୍ତରପ୍ରଦେଶକୁ ପରାସ୍ତକରି ତୃତୀୟ ସ୍ଥାନରେ ରହିଛି।