ରାଉରକେଲା : ଉପକନିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତାରେ ଓଡ଼ିଶା ଦୁଃଖଦ ବିଦାୟ ନେଇଛି। ହରିୟାଣା ବିପକ୍ଷ ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଓଡ଼ିଶା ସୁଟ୍ଆଉଟ୍ରେ ୧-୩ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍ ପଡ଼ିଛି। ଅପରପକ୍ଷରେ ସୁଟ୍ଆଉଟ୍ରେ ଝାଡ଼ଖଣ୍ଡ ୨-୧ ଗୋଲରେ ଉତ୍ତରପ୍ରଦେଶକୁ ପରାସ୍ତକରି ଫାଇନାଲ ପ୍ରବେଶ କରିଛି। ରବିବାର ସନ୍ଧ୍ୟାରେ ହରିୟାଣା ଓ ଝାଡ଼ଖଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଏହାସହ ତୃତୀୟ ସ୍ଥାନ ପାଇଁ ଓଡ଼ିଶା ଓ ଉତ୍ତରପ୍ରଦେଶ ମଧ୍ୟରେ ଲଢ଼େଇ ହେବ।
ଓଡ଼ିଶା ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ହୋଇଥିଲା। ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ଉଭୟ ଦଳର ଆକ୍ରମଣ, ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲା। ମ୍ୟାଚ୍ର ୧୫ତମ ମିନିଟ୍ରେ ହରିୟାଣାର ଅଧିନାୟକ ପୂଜା ଏକ ଫିଲ୍ଡ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ଦ୍ବିତୀୟ କ୍ବାର୍ଟରରେ ଓଡ଼ିଶା ଖେଳାଳି ଘନଘନ ଆକ୍ରମଣ କରିଥିଲେ ମଧ୍ୟ ବିପକ୍ଷ ରକ୍ଷଣଭାଗ ଏହାକୁ ରୋକିବାରେ ସଫଳ ହୋଇଥିଲା। ତେବେ ମ୍ୟାଚ୍ର ୪୨ ତମ ମିନିଟ୍ରେ ଓଡ଼ିଶା ଏକ ପେନାଲ୍ଟି କର୍ଣ୍ଣର୍ ସୁଯୋଗ ପାଇଥିଲା। ଏହାକୁ ଜ୍ୟୋତି ଖାଖା ସଫଳତାର ସହ ଗୋଲ୍ରେ ପରିଣତକରି ସ୍କୋର୍କୁ ୧-୧ରେ ବରାବର ରଖିଥିଲେ। ଏହାପରେ ଉଭୟ ଦଳ ଆକ୍ରମଣକୁ ଶାଣିତ କରିଥିଲେ।
ପେନାଲ୍ଟି କର୍ଣ୍ଣର ସୁଯୋଗ ମିଳିଥିଲେ ମଧ୍ୟ କେହି ଗୋଲ୍ ଦେବାରେ ସଫଳ ହୋଇପାରିନଥିଲେ। ମ୍ୟାଚ୍ ଶେଷ ସୁଦ୍ଧା ସ୍କୋର୍ ୧-୧ରେ ଅମୀମାଂସିତ ରହିବାରୁ ସୁଟ୍ଆଉଟ୍ ସହାୟତା ନିଆଯାଇଥିଲା। ଏଥିରେ କିନ୍ତୁ ହରିୟାଣା ୩-୧ରେ ଓଡ଼ିଶାକୁ ପରାସ୍ତକରି ଫାଇନାଲ ସ୍ଥାନ ସୁରକ୍ଷିତ କରିଥିଲା। ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମଧ୍ୟ ସଂଘର୍ଷପୂର୍ଣ୍ଣ ରହିଥିଲା। ମ୍ୟାଚ୍ ଶେଷ ସୁଦ୍ଧା ସ୍କୋର ୨-୨ ଗୋଲରେ ଅମୀମାଂସିତ ରହିବାରୁ ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ଏଥିରେ କିନ୍ତୁ ଝାଡ଼ଖଣ୍ଡ ୨-୧ ଗୋଲରେ ବାଜି ମାରିନେଇଛି।