ଭୁବନେଶ୍ବର : ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣ ହେବ। ଏମିତି କହିଥିଲେ କେନ୍ଦ୍ର ସରକାର। ରାତି ପାହିଲେ, ୨୦୨୨-୨୩ ଆର୍ଥିକ ବର୍ଷ ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ। ଏହାର ଅବ୍ୟବହିତ ପୂର୍ବରୁ ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଆଜି ଚାଷୀ ଓ କୃଷି ବିଶେଷଜ୍ଞ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ତାହା ହେଲା, କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ହେଲା କି?

Advertisment

ଚଳିତ ଏନଏସଏସରେ ଚାଷୀଙ୍କ ଆୟ ନେଇ ଯେଉଁ ରିପୋର୍ଟ ଆସିଛି, ସେଥିରୁ ଚାଷୀଙ୍କ ସ୍ଥିତିରେ କୌଣସି ଉନ୍ନତି ହୋଇନଥିବା ଅଧିକାଂଶ ଅର୍ଥନୀତିଜ୍ଞ ମତପ୍ରକାଶ କରିଛନ୍ତି। ବରଂ ଆର୍ଥିକ ଭାବରେ ଅନଗ୍ରସର ତଥା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବା ଓଡ଼ିଶାର ଚାଷ ଏବଂ ଚାଷୀଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇଛି। ଏପରି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଏହି ବଜେଟରେ ଓଡ଼ିଶାର ଚାଷୀ କେତେ ଲାଭ ପାଇବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

୨୦୧୬ ମସିହାରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣ ହେବ। ଏ ସଂକ୍ରାନ୍ତରେ କମିଟି ଗଠନ କରାଯାଇ ଚାଷୀଙ୍କ ଆୟ କିଭଳି ବୃଦ୍ଧି ପାଇବ ସେଥିପାଇଁ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇ ଥିଲା। ଏହି କମିଟି ବିଭିନ୍ନ ସ୍ଥାନରେ ବିଶେଷଜ୍ଞଙ୍କ ସହିତ ଆଲୋଚନା କରିଛି। ଏଥିସଂକ୍ରାନ୍ତରେ କଣ କାର୍ଯ୍ୟ ହୋଇଛି ଏହା ସ୍ପଷ୍ଟ ଭାବରେ ଜଣାପଡ଼ି ନାହିଁ। ଅର୍ଥନୀତି ବିଶେଷଜ୍ଞ ପ୍ରଫେସର ଗୋଲକ ନାଥ କହନ୍ତି, ଏନଏସଏସ ରିପୋର୍ଟ ଅନୁସାରେ, ୨୦୧୨ ମସିହାରେ ଭାରତରେ କୃଷକ ପରିବାରର ମାସିକ ଆୟ ଥିଲା ୬୪୬୭ ଟଙ୍କା। ୨୦୨୧ ମସିହାର ରିପୋର୍ଟ କହୁଛି, ୨୦୧୮ ମସିହାରେ କୃଷକ ଆୟ ୧୦ ହଜାର ୨୧୮ ଟଙ୍କା। ଅର୍ଥାତ ୬ ବର୍ଷରେ ଆୟ ମାତ୍ର ୫୯ ପ୍ରତିଶତ ବଢିଛି। କିନ୍ତୁ ଅନ୍ୟଦିଗରେ ଏହି ସମୟରେ ଓଡ଼ିଶା ଚାଷୀଙ୍କ ଆୟ ହିସାବ କଲେ ଏହା ୧୩୬ ଟଙ୍କା ବୃଦ୍ଧି ପାଇଛି। ଯଦି ୬ ବର୍ଷରେ ଦେଶରେ ଚାଷୀଙ୍କ ଆୟ ୫୯ ପ୍ରତିଶତ ବଢିଲା ତେବେ ୨୦୨୨ ମସିହା ସୁଦ୍ଧା ଦୁଇ ଗୁଣ ହେବା ସମ୍ଭବ ନୁହେଁ। ଓଡ଼ିଶା ଚାଷୀଙ୍କ ଅବସ୍ଥା ଆହୁରି ଖରାପ। ବରଂ ମୁଦ୍ରାସ୍ଫୀତିକୁ ଦେଖିଲେ ଓଡ଼ିଶା ଚାଷୀଙ୍କ ଆୟ ବୃଦ୍ଧି ହିଁ ପାଇ ନାହିଁ; ଶୂନ୍ୟ କିମ୍ବା ନକରାତ୍ମକରେ ରହିଛି। ଓଡ଼ିଶା ଚାଷୀଙ୍କ ଏହି ଆୟର ପୁଣି ୫୧ ପ୍ରତିଶତ ମଜୁରି, ୩୧ ପ୍ରତିଶତ ଫସଲରୁ ପାଉଛି। ଅର୍ଥାତ ଚାଷୀ ମଜୁରିରୁ ବଞ୍ଚୁଛି କିନ୍ତୁ ଚାଷରୁ ପାଉ ନାହିଁ। ଚାଷୀଙ୍କ ଆୟ ବୃଦ୍ଧି ନପାଇବାର ପ୍ରମୁଖ କାରଣ ହେଲା, ଆନୁସଙ୍ଗିକ ଉତ୍ପାଦନ ଦ୍ରବ୍ୟ ଅର୍ଥାତ ଇନପୁଟ ଖର୍ଚ ସାର, ବିହନ, ଜଳସେଚନ, ବିଜୁଳି, ପେଟ୍ରୋଲ, ଡିଜେଲ, କୃଷି ଯନ୍ତ୍ରପାତିର ଦର ବୃଦ୍ଧି ପାଇ ଚାଷ ଖର୍ଚ ବଢିଛି। କିନ୍ତୁ ଉତ୍ପାଦନରୁ ଚାଷୀକୁ ଉତ୍ପାଦନରୁ ମିଳୁ ନାହିଁ। ଆହୁରି ମଧ୍ୟ ୧୯୭୦ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ୫୧ ବର୍ଷ ମଧ୍ୟରେ କେବଳ ୮ ବର୍ଷ ଓଡ଼ିଶା ଚାଷୀ ମରୁଡ଼ି, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇ ନାହାନ୍ତି। ଏହା ଚାଷ, ଚାଷୀ ଏବଂ ସରକାରଙ୍କୁ କ୍ଷତିରେ ପକାଉଛି।

publive-image barta24 logo

ଗବେଷକ ପ୍ରଫେସର କିଶୋର ସାମଲ କହନ୍ତି, ମହାମାରୀରେ କୃଷି ଉତ୍ପାଦନ ୩.୫ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ବ୍ୟାଙ୍କ, ସମବାୟ ସଂସ୍ଥା ଆଦିରୁ ଋଣ ନନେଇ ମହାଜନ ଉପରେ ନିର୍ଭରଶୀଳତା ବଢୁଥିବାରୁ ଚାଷୀଙ୍କ ଆୟ ବଢୁ ନାହିଁ। କୃଷି ଭିତ୍ତିକ ନିବେଶ ହୋଇ ପାରୁ ନାହିଁ। ଜଳସେଚନ ବ୍ୟବସ୍ଥାର ସୁଧାର ପାଇଁ ଅର୍ଥରାଶି ବରାଦ କରାଯିବା ଉଚିତ। ଉତ୍ପାଦନ ବୃଦ୍ଧି ପାଇଁ କମ୍ପାନିକୁ ଯେମିତି ସରକାର ଗୁରୁତ୍ବ ଦେଉଛନ୍ତି ଚାଷ ପ୍ରତି ମଧ୍ୟ ସେହିଭଳି ଆଭିମୁଖ୍ୟ ରହିବା ଉଚିତ। ଚଳିତ ବଜେଟରେ ଏହାକୁ ଦୃଷ୍ଟି ଦିଆଯିବା ଉଚିତ। ମନରେଗାରେ କାର୍ଯ୍ୟଦିବସ ମଧ୍ୟ ବୃଦ୍ଧି ହେବା ଉଚିତ ବୋଲି ସେ କହିଛନ୍ତି।

ଅନ୍ୟ ଜଣେ ବିଶେଷଜ୍ଞଙ୍କ ଅନୁସାରେ, ଓଡ଼ିଶା ପ୍ରଥମ ରାଜ୍ୟ ଭାବରେ ସ୍ବତନ୍ତ୍ର କୃଷି ବଜେଟ ପ୍ରସ୍ତୁତ କରିଛି। ଏହା ସତ୍ତ୍ବେ ତାକୁ ସଫଳତା ନମିଳିବାର ବିଭିନ୍ନ କାରଣ ମଧ୍ୟରେ ପ୍ରମୁଖ ହେଲା ପ୍ରାକୃତିକ ବିପର୍ଯ୍ୟୟ। ଅର୍ଥାତ କୃଷି ଆନୁସଙ୍ଗିକ ବ୍ୟବସ୍ଥା ମରାମତି ପାଇଁ ପ୍ରତିବର୍ଷ ଖର୍ଚ କରିବାକୁ ପଡ଼ୁଛି। ଆହୁରି ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ନେଇ ସରକାର ସେତେଟା ଗୁରୁତ୍ବ ନାହିଁ। କେନ୍ଦ୍ରର ବ୍ୟବସ୍ଥା ଏଭଳି ଯେ ସେମାନେ ଆର୍ଥିକ ଅବସ୍ଥା ଏବଂ ବିଷମତା ଦେଖି ଅନୁଦାନ ଦିଅନ୍ତି ନାହିଁ। ବରଂ ସମସ୍ତଙ୍କୁ ସମାନ ହିସାବରେ ଦିଆଯାଏ। ଅର୍ଥାତ କୃଷି କ୍ଷେତ୍ରରେ ବିତ୍ତଶାଳୀ ପଞ୍ଜାବ ଏବଂ ଓଡ଼ିଶାକୁ ଗୋଟିଏ ମାନକରେ ଦେଖାଯାଏ। ଚଳିତ ବଜେଟରେ ସେହି ସମସ୍ୟା ପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦେବା ଉଚିତ। ସେଥିରେ ପୁଣି କିଛି ବର୍ଷ ହେଲା, ବଜେଟରେ ଆବଣ୍ଟିତ ହୋଇଥିଲେ ମଧ୍ୟ କେନ୍ଦ୍ରୀୟ ଅନୁଦାନ ମିଳି ନାହିଁ। ଚଳିତ ବର୍ଷ ଓଡ଼ିଶା ୧୨୦୦ କୋଟି ହରାଇବା ନେଇ ଆଶଙ୍କା ସୃଷ୍ଟି ହେଲାଣି।

ଦ୍ବିତୀୟତଃ ଓଡ଼ିଶାର ମାର୍କେଟିଂ ବ୍ୟବସ୍ଥା ଅତି ଖରାପ ରହିଛି। ଆଳୁ, ପିଆଜ ସବୁ ଏଠି ଫେଲ ମାରିଛି। ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବାରୁ ପ୍ରୋସେସିଂ ୟୁନିଟ ସ୍ଥାପନ ପାଇଁ ବାହାରୁ ନିବେଶ ପାଇଁ କାହାରି ଆଗ୍ରହ ନାହିଁ। ହିନ୍ଦୁ ଆକ୍ଟ ଅନୁଯାୟୀ, ଜମି ଭାଗ ହେଉଥିବାରୁ ନିବେଶ ପାଇଁ ଜମି ଉପଯୁକ୍ତ ହେଉ ନାହିଁ। ଚତୁର୍ଥତଃ ବିହନ ପ୍ରତିବଳଦ ହୋଇ ପାରୁ ନାହିଁ। ଓଡ଼ିଶାର ବିହନ ନିମ୍ନମାନର ହେଉଛି। ଏଥିଯୋଗୁଁ ଅମଳ ହେଉ ନାହିଁ। ଏହାକୁ ନେଇ ବଜେଟରେ ବ୍ୟବସ୍ଥା ପାଇଁ ଆଶା କରାଯାଉଛି।