ଚମକପୁର(ହୃଦାନନ୍ଦ ପାତ୍ର): ଆଜି ବି ଗାଁ ଗଣ୍ତାରେ କିଛି ମାଟିଘର ରହିଛି। ମାଟି ଘରର ସୌନ୍ଦର୍ଯ୍ୟ ଅଲଗା। ପକ୍କାଘର ସାଜସଜ୍ଜାରେ ଯେମିତି ଚମକ ନଥାଏ, ମାଟିଘର ସଜେଇବାର ମାଧୁର୍ଯ୍ୟ ଥାଏ। ବିଶେଷ କରି ଆଦିବାସୀ ଅଞ୍ଚଳର ଲୋକେ ସେମାନଙ୍କ କୁଡ଼ିଆକୁ ଆକର୍ଷଣୀୟ କରି ମାଟିରେ ଲିପି ସଜେଇଥାନ୍ତି। ସେମାନେ ବିଭିନ୍ନ ପର୍ବପର୍ବାଣୀରେ ମାଟିଘରକୁ ସାଜସଜ୍ଜା କରିବା ସହିତ ନୂତନ ବସ୍ତ୍ର ପରିଧାନ କରି ନାଚଗୀତରେ ମସଗୁଲ ହୋଇଥାନ୍ତି। ସେଇ ଆକର୍ଷଣ ବଡ଼ ନିଆରା ହୋଇଥାଏ।
କେମିତି କରନ୍ତି କାନ୍ଥକୁ ଆକର୍ଷଣୀୟ? ଏ ପ୍ରଶ୍ନର ଉତ୍ତର ଖୋଜିଲେ ଏତେ ସହଜରେ ମିଳେ ନାହିଁ। ବରଂ ଏହା ଭିତରେ ଥିବା ରହସ୍ୟଟି ପଦାକୁ ଆସେ। କାନ୍ଥକୁ ସଜେଇବାକୁ ରଂଗମାଟି ଲୋଡ଼ାପଡ଼େ। ଏହି ରଂଗମାଟି ପାଇବାକୁ ସେମାନଙ୍କୁ ବଡ଼ କସରତ କରିବାକୁ ପଡ଼େ। ତାର ପ୍ରସ୍ତୁତ ପ୍ରାଣାଳୀ ମଧ୍ୟ ନିଆରା। ରଂଗମାଟି ସଂଗ୍ରହ କରି ବିକ୍ରି କରୁଥିବା ଏକ ଗାଁ ହେଉଛି ଇଙ୍ଗାଣୀଝରଣ ବସ୍ତି।
ଯୋଡ଼ା ବ୍ଲକ୍ ଅନ୍ତର୍ଗତ ୫୨୦ନଂ ଜାତୀୟ ରାଜପଥ ବିଲେଇପଦା ଛକ ଠାରୁ ମାତ୍ର ପ୍ରାୟ ୬କିମି ଦୂର କାନପୁର ଡ୍ୟାମରେ କ୍ଷତିଗ୍ରସ୍ତ ହୋଇଥିବା ଇଙ୍ଗାଣୀଝରଣ ବସ୍ତି। ଏଠାକାର ଲୋକେ ଖଣି ବନ୍ଦ ପରେ ଜାଳେଣି କାଠ ଓ ରଙ୍ଗମାଟି ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ଏହି ବସ୍ତିଟି କିଛି ଦିନ ପୂର୍ବରୁ କାନପୁର ଡ୍ୟାମରେ କ୍ଷତିଗ୍ରସ୍ତ ଯୋଗୁଁ ଉଚ୍ଛେଦ କରାଯାଇଛି। ମାତ୍ର ପାଲ ଟାଣି ରହିଥବା ଏହି ବସ୍ତିବାସିନ୍ଦା ବିଭିନ୍ନ ସ୍ଥାନରୁ ନାଲି ମାଟି, ହଳଦିଆ ମାଟି, ଧୂସର ମାଟି ଓ କଳାମାଟି ସଂଗ୍ରହ କରିଥାନ୍ତି। ସେଗୁଡ଼ିକୁ ଖରାରେ ଶୁଖାଇଥାନ୍ତି। ପରେ ମାଟିକୁ ସଂପୂର୍ଣ୍ଣ ଗୁଣ୍ତ କରାଯାଇଥାଏ। ସେହି ଗୁଣ୍ତକୁ ଅଖା କିମ୍ବା ଡବାରେ ଭର୍ତ୍ତି କରି ବିଭିନ୍ନ ସାପ୍ତାହିକ ହାଟକୁ ନେଇ ବିକ୍ରି କରିଥାନ୍ତି। ରଙ୍ଗମାଟି ଡବା ପ୍ରତି ୧୦ଟଙ୍କା ଦରରେ ବିକ୍ରି କରୁଥିବା ବେଳେ ଅଖା ଭର୍ତ୍ତି ରଙ୍ଗମାଟିକୁ ଏକ ହଜାର ଟଙ୍କାରେ ବିକ୍ରି କରିଥାନ୍ତି। ଜଣେ ବ୍ୟକ୍ତି ପ୍ରାୟ ୫ ହଜାରରୁ ୧୦ ହଜାର ଟଙ୍କା ରୋଜଗାର କରିପାରିଥାନ୍ତି। ସେହି ଟଙ୍କାରେ ପିଲାଛୁଆ ପାଠପଢା ଖର୍ଚ୍ଚ ସମେତ ନିଜେ ପରିବାରର ଗୁଜୁରାଣ ମେଣ୍ଟାଉଥିବା ବହୁ ଗ୍ରାମବାସୀ ପ୍ରକାଶ କରିଛନ୍ତି।