ହାଟଡିହି : ଦୁଇଦିନ ହେବ ନିଖୋଜ ନାବାଳକଙ୍କୁ ବଳି ଦିଆଯାଇଥିବା ସନ୍ଦେହରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ବିଦ୍ୟାଧରପୁରରେ ସ୍ଥାନୀୟ ଲୋକେ ତୁମୁଳକାଣ୍ଡ କରିଛନ୍ତି। ନିକଟରେ ଥିବା ଏକ ସ୍କୁଲ୍ରେ ପଶି ଭଙ୍ଗାରୁଜା କରିବା ସହ ସେଠାରେ କେନାଲ କାମ କରୁଥିବା ଠିକାସଂସ୍ଥାର ଦୁଇଟି ମେସିନରେ ନିଆଁ ଲଗାଇ ଦେଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ବିଦ୍ୟାଧରପୁର ଖଣିବଜାରର ବିଜୟ ମୁର୍ମୁଙ୍କ ୭ ବର୍ଷର ପୁଅ ଗତକାଲିଠାରୁ ନିଖୋଜ ଅଛନ୍ତି। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନି। ଆଜି ସନ୍ଧ୍ୟାରେ ନାବାଳକ ପିନ୍ଧିଥିବା ସାର୍ଟଟି ନିକଟସ୍ଥ ଏକ ଇଂରାଜୀ ମାଧ୍ୟମ ସ୍କୁଲ୍ ପାଖରୁ ମିଳିଥିଲା। ସେହି ପାଖରେ ହେଉଥିବା କେନାଲ ନିର୍ମାଣ କାମରେ ନାବାଳକଙ୍କୁ ବଳି ଦିଆଯାଇଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ। ସ୍କୁଲ୍ଘର ଭଙ୍ଗାରୁଜା କରିବା ସହ ସେଠାରେ କାର୍ଯ୍ୟ କରୁଥିବା ଏକ ଠିକାସଂସ୍ଥାର ଦୁଇଟି ମେସିନକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସୋସୋ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି। ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଥିବା ବେଳେ ନାବାଳକଙ୍କ ଏଯାଏ କୌଣସି ଖୋଜ ଖବର ମିଳିନି।