ଭୁବନେଶ୍ବର : ମୁଁ ବଂଶବାଦ ରାଜନୀତିକୁ ଘୃଣା କରେ। ତା’ର ଅର୍ଥ ନୁହେଁ ଯେ ଜଣେ ରାଜନୈତିକ ବ୍ୟକ୍ତିଙ୍କ ପୁଅର ଯଦି ରାଜନୀତିରେ ରୁଚି ଅଛି କିମ୍ବା ରାଜନୀତି କରୁଛି ତାକୁ ଟିକେଟ୍ ଦେବାରୁ ବଞ୍ଚିତ କରାଯିବ। କେବଳ ରାଜନୈତିକ ବ୍ୟକ୍ତିଙ୍କ ପୁଅ ହୋଇଗଲେ ହେବନାହିଁ, ଯୋଗ୍ୟତା, ଇଚ୍ଛା, ଲୋକମାନେ ଚାହିଁବା ଓ ଦଳ ଟିକେଟ୍ ଦେବା ଦରକାର। ମୋ ପୁଅ ନିର୍ବାଚନ ଲଢ଼ିବ କି ନାହିଁ ତା’ର ଉତ୍ତର ସେ ଓ ଦଳ ଦେଇପାରିବ। ପୁଅ ହିସାବରେ ତାକୁ କେବେ ପ୍ରାର୍ଥୀ କରିବାକୁ ଚାହିଁନାହିଁ କିମ୍ବା ଚାହିଁବି ନାହିଁ। ସେ ଉଚ୍ଚ ଶିକ୍ଷିତ ଓ ଦଳ ଯଦି ତାଙ୍କୁ ଟିକେଟ୍ ଦେବ ତାହାଲେ ନିର୍ବାଚନ ଲଢ଼ିବାରେ ଅସୁବିଧା ନାହିଁ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର।

Advertisment

ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଦଳ କିମ୍ବା ସ୍ଥାନୀୟ ଲୋକ ଯଦି ନିର୍ବାଚନ ଲଢ଼ିବା ପାଇଁ ବାଧ୍ୟ କରନ୍ତି ତାହାଲେ ଅନିଛା ସତ୍ତ୍ବେ ବି ନିର୍ବାଚନ ଲଢ଼ିବି। ୨୦୧୯ ନିର୍ବାଚନ ଲଢ଼ିବା ପାଇଁ ମୋର ଇଚ୍ଛା ନ ଥିଲା। ମାତ୍ର ଦଳର ଶୃଙ୍ଖଳା ଭିତରେ ରହିଥିବାରୁ ଦଳର ନିର୍ଦେଶ ମାନିବାକୁ ବାଧ୍ୟ। ଯୁବକମାନେ ଯଦି ଆଗେଇ ଆସିବେ ତାହାଲେ ସେମାନଙ୍କୁ ପ୍ରାଧାନ୍ୟ ଦିଆଯିବ। ଯଦି ଯୁବକ ଘରେ ଶୋଇଥିବ ଓ ତାଙ୍କୁ ପ୍ରାଧାନ୍ୟ ଦିଆଯିବ ତା’ପରେ କଂଗ୍ରେସ ଭୋଟ୍‌ କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠିବ। ଯଦି ସେ ସକ୍ରିୟ ରହି‌ଥିବେ ଓ ଲୋକମାନଙ୍କ ଦ୍ବାରା ଆଦୃତ ଥିବେ ତାହାଲେ ଟିକେଟ୍ ନିଶ୍ଚିତ ମିଳିବ ବୋଲି ସେ କହିଛନ୍ତି।