ହାତୀବେଶରେ ମହାପ୍ରଭୁ

୧୦୮ ଗରା ସୁବାସିତ ଜଳରେ ସ୍ନାନ
ବିନା ଭକ୍ତରେ ଦେଲେ ଦର୍ଶନ
ଆସିଲେନି ଶଙ୍କରାଚାର୍ଯ୍ୟ, ଗଜପତି
ମୁଦିରସ୍ତ କଲେ ଛେରାପହଁରା

ପୁରୀ : ଶ୍ରୀମନ୍ଦିର ସ୍ନାନବେଦୀରେ ଆଜି ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ସ୍ନାନଯାତ୍ରା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦୀରୁ ସ୍ନାନବେଦୀକୁ ଆସି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ ସାରିବା ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ଭକ୍ତମାନେ ହାତୀବେଶରେ ଦର୍ଶନ କରିଛନ୍ତି।

କିନ୍ତୁ ପ୍ରତିବର୍ଷ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରରେ ଯେଉଁ କୋଳାହଳ ଦେଖା ଯାଉଥିଲା, ଆଜି ତାହା ଦେଖିବାକୁ ମିଳିନି। କରୋନା କଟକଣା ପାଇଁ ବିନା ଭକ୍ତରେ ମହାପ୍ରଭୁ ସ୍ନାନବେଦୀରେ ଦର୍ଶନ ଦେଇଛନ୍ତି। ସଂପୂର୍ଣ୍ଣ ନିରାଡମ୍ବର ପରିବେଶରେ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଛି। ସେ‌ପଟେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ସ୍ନାନବେଦୀକୁ ଆସିନାହାନ୍ତି। ବହୁ ବର୍ଷ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ବଦଳରେ ମୁଦିରସ୍ତ ଆଜି ଛେରାପହଁରା କରିଛନ୍ତି। ଏଭଳି ପରିବେଶ ଭିତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅଗଣିତ ଭକ୍ତଙ୍କ ଆଖିରେ ଲୁହ ଆଣିଦେଇଛି।

ପୂର୍ବ ନିଷ୍ପତ୍ତି ଅନୁଯାୟୀ ଗତକାଲି ରାତି ଗୋଟାଏ ୨୪ରେ ମଙ୍ଗଳାର୍ପଣ ନୀତି ପରେ ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ସ୍ନାନବେଦିକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ରାତି ଗୋଟାଏ ୪୦ରୁ ପହଣ୍ଡି ଆରମ୍ଭ ହୋଇ ରାତି ୩ଟା ୧୦ରେ ପହଣ୍ଡି ଶେଷ ହୋଇଥିଲା। ଦଇତାପତି ସେବକମାନେ ରତ୍ନବେଦୀରୁ ଧାଡ଼ି ପହଣ୍ଡିରେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ସୁଭଦ୍ରା ଓ ସୁଦର୍ଶନଙ୍କୁ ସ୍ନାନବେଦୀକୁ ପାଛୋଟି ନେଇଥିଲେ।

ସାତ ପାହାଚରେ ମସ୍ତକରେ ଟାହିଆ ବନ୍ଧା ନୀତି ସଂପନ୍ନ ହେବା ପରେ ଚତୁର୍ଦ୍ଧାମୂର୍ତ୍ତି ଝୁଲି ଝୁଲି ଧାଡ଼ି ପହଣ୍ଡିରେ ସ୍ନାନବେଦିକୁ ବିଜେ କରିଥିଲେ। ରାତି ୩ଟା ୪୦ରେ ମଦନମୋହନ ବିଜେ କରିଥିଲେ। ଭୋର ୪ଟା ୨୦ରେ ମଙ୍ଗଳ ଆଳତି, ୪ଟା ୪୫ରେ ମଇଲମ ଓ ତଡ଼ପଲାଗି, ୪ଟା ୫୦ରେ ଅଧରପୋଛା ନୀତି ଅନୁଷ୍ଠିତ ହୋଇଥିଲା। ସକାଳ ସାଢ଼େ ୫ଟାରେ ଅବକାଶ ନୀତି ଶେଷ ହୋଇଥିଲା। ୫ଟା ୪୦ରେ ରୋଷହୋମ, ୫ଟା ୫୫ରେ ବେଶଶେଷ, ୬ଟାରେ ୧୦ରେ ସୂର୍ଯ୍ୟପୂଜା ନୀତି ଅନୁଷ୍ଠିତ ହୋଇଥିଲା। ସକାଳ ୭ଟା ୨୦ରୁ ୯ଟା ୪୦ ଭିତରେ ଜଳବିଜେ, ଜଳପୂଜା ସହ ମହାପ୍ରଭୁଙ୍କ ସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା।

ଜଳବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ଟେରାବାନ୍ଧି ସ୍ନାନମଣ୍ଡପକୁ ଶୋଧ କରିଥିଲେ। ଉତ୍ତରଦ୍ୱାର ମା’ ଶୀତଳାଙ୍କ ମନ୍ଦିର ନିକଟ ସୁନା କୂଅରୁ ସୁନା ଗୋ‌ସାଇଁ, ଗରାବଡ଼ୁ ସେବକମାନେ ଆଣିଥିବା ୧୦୮ ଗରା ଜଳକୁ ଅଧିବାସ କରାଯାଇ ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ କରାଯାଇଥିଲା। ସ୍ୱତନ୍ତ୍ର ରୁପା ପିଙ୍ଗଣରେ ଶ୍ରୀଜୀଉମାନେ ସ୍ନାନ କରିଥିଲେ। ସ୍ନାନ ଶେଷ ପରେ ମହାପ୍ରଭୁଙ୍କ ମଇଲମ ଓ ମେକାପ ସର୍ବାଙ୍ଗ ନୀତି ସଂପନ୍ନ ହୋଇଥିଲା।

ନୂଆଲୁଗା ପିନ୍ଧି ବେଶ ହୋଇଥିଲେ ମହାପ୍ରଭୁ। ଏହି ନୀତି ପୂର୍ବାହ୍ଣ ୧୦ଟା ୧୦ରୁ ସାଢ଼େ ୧୦ଟା ଭିତରେ ଶେଷ ହୋଇଥିଲା। ପୂର୍ବାହ୍ଣ ୧୦ଟା ୪୦ରୁ ୧୧ଟା ୧୦ ଭିତରେ ଛେରାପହଁରା ନୀତି ଅନୁଷ୍ଠିତ ହୋଇଥିଲା। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ବଦଳରେ ପ୍ରତିନିଧି ରୂପେ ମୁଦିରସ୍ତ ସୁନା ଝାଡ଼ୁରେ ଛେରା ପହଁରା କରିଥିଲେ। ପରେ ହାତୀବେଶ ପାଇଁ ପୂର୍ବରୁ ସୋଲରେ ପ୍ରସ୍ତୁତ ହୋଇ ରହିଥିବା ମୁକୁଟ ଶ୍ରୀଜିଉଙ୍କୁ ଲାଗି କରାଯାଇଥିଲା। ପୂର୍ବାହ୍ଣ ୧୧ଟା ୪୦ରୁ ହାତୀବେଶ ଆରମ୍ଭ ହୋଇ ୧୨ଟା ୨୦ରେ ଶେଷ ହୋଇଥିଲା। ବେଶଶେଷ ପରେ ଚତୁର୍ଦ୍ଧାମୂର୍ତ୍ତି ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ପରେ ମହନ୍ତ ଶାଢ଼ୀବନ୍ଧା, ଘଣ୍ଟଛତା ସକାଳଧୂପ ନୀତି ସଂପନ୍ନ ହୋଇଥିଲା।

ବେଶ ଓଲାଗି ପରେ ଅପରାହ୍ଣ ୫ଟାରୁ ବାହୁଡ଼ା ପହଣ୍ଡି ନୀତି ଆରମ୍ଭ ହୋଇଥିଲା। ପ୍ରଥମେ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ପରେ ପରେ ମା’ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଅଣସର ଘରକୁ ବିଜେ କରିଥିଲେ। ରାତି ୮ଟା ସୁଦ୍ଧା ବାହୁଡ଼ା ପହଣ୍ଡି ଶେଷ ପରେ ସୁନାଚିତା ଓ ରାହୁରେଖା ମଇଲମ ନୀତି ସଂପନ୍ନ ହୋଇଥିଲା। ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବର ପୀଡ଼ିତ ମହାପ୍ରଭୁ ଅସୁସ୍ଥତା କାରଣରୁ ୧୫ ଦିନ ଅଣସର ଘରେ ରହିବେ। ଅଣସର ପିଣ୍ଡିରେ ବିଜେ ସମୟରେ ଅଣସର ତାଟି ନିକଟରେ ପଟିଦିଅଁ ପୂଜା ପାଇବେ। ମହାପ୍ରଭୁଙ୍କ ବଦଳରେ ପଟିଦିଅଁ ଦର୍ଶନ ଦେବେ। ପଟିଦିଅଁ ଭାବେ ଶ୍ରୀମନ୍ଦିରରେ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଓ ଭୁବନେଶ୍ୱରୀ ପୂଜା ପାଇବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମକୃଷ୍ଣ ଓ ନୃସିଂହ ଭଗବାନ ବି ପୂଜା ପାଇବେ।

ସମ୍ବନ୍ଧିତ ଖବର