ହାତ ପାଇଁ ଅଡୁଆ ହେଲା ହାତୀ: ପ୍ରଭୁଙ୍କ ହାତରେ ଲକ୍ଷ୍ମୀପୁର

କୋରାପୁଟ: ନେତା ବଦଳାଇବାର ପରମ୍ପରାକୁ ଏଥର ମଧ୍ୟ ଭୁଲି ନାହାନ୍ତି ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳବାସୀ। ପୁରୁଣା ବିଧାୟକଙ୍କୁ ହଟାଇ ନୂଆ ନେତା ବାଛିଛନ୍ତି। ୫ ବର୍ଷ ପରେ ବିଜେଡି ପୁଣି ଲକ୍ଷ୍ମୀପୁର ଆସନକୁ ହାତେଇବାରେ ସଫଳ ହୋଇଛି। ବିଜେଡି ପ୍ରାର୍ଥୀ ପ୍ରଭୁ ଜାନି ଅତି ଅଳ୍ପ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଅପରପକ୍ଷରେ ଲଗାତାର ଦ୍ବିତୀୟ ଥର ପାଇଁ ଜିତି ରେକର୍ଡ କରିବା ଆଶାରେ ଥିବା କୈଳାସ କୁଲେସିକ‌ାଙ୍କୁ ଧକ୍କା ଲାଗିଛି। ବିଜେପିର ଶକ୍ତି ବୃଦ୍ଧି ଓ ବିଏସପିର ଭୋଟ ବିଭାଜନ କୈଳାସଙ୍କ ପାଇଁ କାଳ ହୋଇଛି। କୋରାପୁଟ ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନମଣ୍ଡଳୀ ହେଉଛି ଲକ୍ଷ୍ମୀପୁର। ଆନ୍ଧ୍ର ଓ ରାୟଗଡା ସୀମାକୁ ଲାଗି ରହିଥିବା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଲକ୍ଷ୍ମୀପୁର ବ୍ଲକ ସମେତ ବନ୍ଧୁଗାଁ, ନାରାୟଣପାଟଣା ଓ ଦଶମନ୍ତପୁର ବ୍ଲକ ରହିଛି। ପ୍ରଥମ ଥର ପାଇଁ ଦଶମନ୍ତପୁର ବ୍ଲକର ଜଣେ ନେତାଙ୍କୁ ଟି‌କେଟ ଦେଇ ଭାଗ୍ୟ ପରୀକ୍ଷା କରିବାକୁ ସ‌ୁଯୋଗ ଦେଇଥିଲା ବିଜେଡି। ଆଉ ଏଥିରେ ସଫଳ ହେବା ପରେ ଦଶମନ୍ତପୁର ବ୍ଲକ ଜଣେ ବିଧାୟକ ପ‌ାଇଛି। ଏଠାରେ ବିଜେଡି ପ୍ରାର୍ଥୀ ପ୍ରଭୂ ଜାନିଙ୍କୁ ୪୫,୨୧୧ ଖଣ୍ଡ ଭୋଟ ମିଳିଥିଲାବେଳେ କଂଗ୍ରେସ ପ୍ରାର୍ଥୀ କୈଳାସ କୁଲେସିକାଙ୍କୁ ୪୪,୯୮୨ ଖଣ୍ଡ ଭୋଟ ମିଳିଛି। ମାତ୍ର ୨୨୯ ଖଣ୍ଡ ଭୋଟରେ ବିଜେଡି ଜିତିଥିଲାବେଳେ ବିଜେପିର କୁମୁଦ ସାଉଁତା ୧୮,୯୪୫ ଖଣ୍ଡ ଭୋଟ ପାଇଛନ୍ତି। ବିଏସପି ପ୍ରାର୍ଥୀ ଅନୀତା ସଗରିଆଙ୍କୁ ୧୨,୩୦୬ ଖଣ୍ଡ ଭୋଟ ମିଳିଛି। ଏହି ନିର୍ବାଚନ ମଣ୍ଡଳୀର ଫଳାଫଳ ଗତଥର କଂଗ୍ରେସ ସପକ୍ଷରେ ଯାଇଥିଲା। କଂଗ୍ରେସ ପ୍ରାର୍ଥୀ କୈଳାସ କୁଲେସିକା ଏକତରଫା ଭାବେ ଜିତି ପ୍ରଥମ ଥର ପାଇଁ ବିଧାନସଭାକୁ ଯାଇଥିଲେ। ତାଙ୍କୁ ୫୩,୪୨୯ଖଣ୍ଡ ଭୋଟ ମିଳିଥିଲାବେଳେ ବିଜେଡିର ହେମା ଗମାଙ୍ଗ ପାଇଥିଲେ ୩୦,୯୫୬ ଖଣ୍ଡ ଭୋଟ। ବିଜେପି ପ୍ରାର୍ଥୀ ଶିବ ମୁଦୁଲି ୯୫୨୭ ଓ ବିଏସପି ପ୍ରାର୍ଥୀ ଜନ୍ଧର ୱାଡେକା ୫୬୩୨ ଖଣ୍ଡ ଭୋଟ ପାଇଥିଲେ। ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ପାରଦା କୁଲେସିକାଙ୍କୁ ମିଳିଥିଲା ୩୪୭୨ ଖଣ୍ଡ ଭୋଟ। ଏଥର କଂଗ୍ରେସ ତା’ ପୁରୁଣା ପ୍ରାର୍ଥୀଙ୍କୁ ପୁଣି ଥରେ ସୁଯୋଗ ଦେଇଥିଲାବେଳେ ବିଜେଡି ପ୍ରାର୍ଥୀ ବଦଳାଇଥିଲା। ଆଉ ଏଥିସହ ବଦଳିଥିଲା ବିଜେଡିର ଭାଗ୍ୟ। ଦଶମନ୍ତପୁର ଅଂଚଳରୁ ପ୍ରଥମ ଥର ପାଇଁ ଜ‌ଣେ ନେତାଙ୍କୁ ବିଧାୟକ ପ୍ରାର୍ଥୀ କରାଯାଇଥିବାରୁ ବିଜେଡି ଏହି ବ୍ଲକରେ ଭଲ ଭୋଟ ହାତେଇଥିଲା। ଏଠାରେ ଅଗ୍ରଣୀ ନେବା ପରେ ଲକ୍ଷ୍ମୀପୁର ବ୍ଲକରେ ମଧ୍ୟ ଫାଇଦାରେ ରହିଥିଲା ଦଳ। ଲକ୍ଷ୍ମୀପୁର ବ୍ଳକରୁ କୈଳାସଙ୍କ ସମେତ କୁମୁଦ ଓ ଅନୀତା ପ୍ରାର୍ଥୀ ହୋଇଥିବାରୁ ଭୋଟ ବିଭାଜନ ହୋଇଥିଲା। ଯାହାର ସିଧାସଳଖ ଫାଇଦା ନେଇଥିଲେ ପ୍ରଭୁ। ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ କଂଗ୍ରେସ ଭଲ ଭୋଟ ହାତେଇଥିଲେ ମଧ୍ୟ ବିଜୟ ପାଇଁ ଏହା ଯଥେଷ୍ଟ ହୋଇ ନଥିଲା। ଏପଟେ କଂଗ୍ରେସ ପାଇଁ କାଳ ହୋଇଥିଲେ ଦଳର ପୂର୍ବତନ ନେତା କୃଷ୍ଣଚନ୍ଦ୍ର ସଗରିଆ। ସଗରିଆ କଂଗ୍ରେସରୁ ଯିବା ପରେ ତାଙ୍କ ପତ୍ନୀଙ୍କୁ ଏଠାରେ ବିଏସିପରୁ ପ୍ରାର୍ଥୀ କରିଥିଲେ। ସେ ୧୨ ହଜାରରୁ ଅଧିକ ଭୋଟ ନେଇଥିଲାବେଳେ ଏଥିରେ କଂଗ୍ରେସର ବଡ ଭାଗ ଥିବା ଚର୍ଚା ହେଉଛି। ସଗରିଆ ଆଗରୁ କଂଗ୍ରେସ ସଂଗଠନ ସହ ଜଡିତ ଥିବାରୁ ଦଳର ଭୋଟ ବ୍ୟାଙ୍କରେ ଭାଗ ବସାଇବାରେ ସଫଳ ହୋଇଥିବା କୁହାଯାଉଛି। ଏପଟେ ବିଜେପିର ଶକ୍ତିବୃଦ୍ଧି ମଧ୍ୟ କୈଳାସଙ୍କ ପାଇଁ କାଳ ହୋଇଛି। ବିଜେପି ଗତଥର ଅପେକ୍ଷା ଏଥର ପାଖାପାଖି ୨ ଗୁଣ ଅଧିକ ଭୋଟ ପାଇଥିବାରୁ ଏହା ବିଜେଡିକୁ ସୁହାଇଛି। କାରଣ ବିଜେପି ପ୍ରାର୍ଥୀଙ୍କ ଘର ଲକ୍ଷ୍ମୀପୁରରେ ହୋଇଥିବାରୁ ଏଠାରୁ ସେ ଅଧିକ ଭୋଟ ଟାଣିଛନ୍ତି। ଅନ୍ୟ ବ୍ଲକ ଗୁଡିକରେ ମଧ୍ୟ ଭୋଟ ବିଭାଜନ କରିବାରେ ସଫଳ ହୋଇଛନ୍ତି। ଏହା ଫଳରେ ବିଜେଡିର ଭୋଟ ପାଖାପାଖି ୧୫ ହଜାର ବଢିଥିଲାବେଳେ କଂଗ୍ରେସର ୮ ହଜାର ଖସି ଆସିଛି। ଲକ୍ଷ୍ମୀପୁର ଆସନରେ ୧୯୮୫ ମସିହା ପରଠାରୁ ନିର୍ବାଚନ ଫଳାଫଳକୁ ଅନୁଧ୍ୟାନ କଲେ ଏଠାରେ କ୍ଷମତା ପରିବର୍ତ୍ତନର ଏକ ଧାରା ଚାଲିଥିବା ପରି ମନେ ହୁଏ। ପ୍ରତି ୫ ବର୍ଷରେ ନେତା ବଦଳାଇଛନ୍ତି ଭୋଟର। କେଉଁ ଦଳ ଲଗାତାର ଦୁଇଥର ଜିତି ପାରି ନାହାନ୍ତି । ୨୦୦୯ ନିର୍ବାଚନରେ ଏଠାରୁ ବିଜେଡିର ଝିନ୍ନ ହିକକା ଜିତି ବିଧାନସଭାକୁ ଯାଇଥିଲେ। ୨୦୦୪ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅନନ୍ତରାମ ମାଝୀ ବିଜେଡିର କମଳ ଲୋଚନ ସାଉନ୍ତାଙ୍କୁ ପରାସ୍ତ କରିଥିଲେ। ତେବେ ୨୦୦୦ ମସିହା ନିର୍ବାଚନରେ ବିଜେଡିର ବିଭୀଷଣ ମାଝୀ ବିଜୟୀ ହୋଇ ବିଧାୟକ ହୋଇଥିଲେ। ୧୯୯୫ରେ କଂଗ୍ରେସର ଅନନ୍ତରାମ ମାଝୀ, ୧୯୯୦ରେ ଜନତା ଦଳର ଅଖିଳ ସାଉନ୍ତା ଓ ୧୯୮୫ରେ କଂଗ୍ରେସର ଅନନ୍ତରାମ ମାଝୀ ଲକ୍ଷ୍ମୀପୁର ଆସନକୁ ଜିତିଥିଲେ। ୨୦୧୪ରେ ଏହି ଆସନ କଂଗ୍ରେସ ଖାତାକୁ ଯିବା ପରେ ୨୦୧୯ ଭୋଟର ପୁଣି ମନ ବଦଳାଇ ବିଜେଡି ଉପରେ ଆସ୍ଥା ସ୍ଥାପନ କରିଛନ୍ତି।

ସମ୍ବନ୍ଧିତ ଖବର