କଟକ : ହାତିବାସିନୀ ପାହାଡ଼ରେ ଡେକୋରେଟିଭ୍ ଷ୍ଟୋନ୍ ଖନନ ପାଇଁ ଅନୁମତି ନ ଦେବାକୁ ରିପୋର୍ଟ ଦେଇଥିଲେ ନରସିଂହପୁର ଏସିଏଫ୍ଓ (ଇଷ୍ଟ) ରେଞ୍ଜର। ଆଠଗଡ଼ ଡିଏଫଓଙ୍କ ମାଧ୍ୟମରେ ଏହି ରିପୋର୍ଟ ଯାଇଥିଲା ଉପରିସ୍ଥ ଅଧିକାରୀଙ୍କ ନିକଟକୁ। ଏଥିପାଇଁ ୩/୪ ବର୍ଷ ହେଲା ଏ ସଂକ୍ରାନ୍ତ ଆବେଦନ ଅଟକି ରହିଥିଲା। କିନ୍ତୁ ଏହି ରିପୋର୍ଟକୁ ଚାପି ଦେଇ ପାହାଡ଼ ଖନନ ପାଇଁ ଅନୁମତି ଦେଇ ଦେଲେ ଆରସିସିଏଫ୍। ଫଳରେ ଏହାକୁ ନେଇ ଏବେ ବିବାଦ ବଢିବାରେ ଲାଗିଛି।
ଏସିଏଫ୍ଓଙ୍କ ରିପୋର୍ଟ ଅନୁଯାୟୀ ଏହି ଅଞ୍ଚଳରେ ହାତୀଙ୍କ ଚଲାପଥ ରହିଛି। ଅଞ୍ଚଳ ଲୋକଙ୍କ ଧାର୍ମିକ ଭାବନା ସହ ଜଡ଼ିତ। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ୮.୫ କିଲୋମିଟର ପରିଧି ମଧ୍ୟରେ ରହିଛି ଏହି ଅଞ୍ଚଳ। ଡେକୋରେଟିଭ ଷ୍ଟୋନ ଖନନ ପାଇଁ ଅନୁମତି ଦେଲେ ଜଙ୍ଗଲସମ୍ପଦ ନଷ୍ଟ ହୋଇଯିବ। ତେଣୁ ଏହି ପ୍ରକଳ୍ପକୁ ଅନୁମତି ଦିଆ ନ ଯାଉ ବୋଲି ନରସିଂହପୁର ଏସିଏଫ୍ଓ ଦର୍ଶାଇଥିଲେ। କିନ୍ତୁ ଏହି ପାହାଡ଼ ଖନନ ପାଇଁ ଅନୁମତି ଦେଲେ ବନ୍ୟ ସମ୍ପଦ ନଷ୍ଟ ହେବ ନାହିଁ ଓ ହାତୀ ଉକ୍ତ ଅଞ୍ଚଳକୁ ସବୁଦିନ ଆସନ୍ତି ନାହିଁ ବୋଲି ଦର୍ଶାଇ ଆରସିସିଏଫ ହାତୀବାସିନୀ ପାହାଡ଼କୁ ଡେକୋରେଟିଭ ଷ୍ଟୋନ ଖନନ ପାଇଁ ଘରୋଇ କମ୍ପାନି ହାତକୁ ଟେକି ଦେଇଥିବା କୁହାଯାଉଛି। ଅବଶ୍ୟ ଆରସିସିଏଫ ଦେଇଥିବା ଅନୁମତିପତ୍ରରେ ବିନା ବିସ୍ଫୋରଣରେ ପାହାଡ଼ ଖନନ ସହ ଗଛ ନ କାଟିବା ପାଇଁ ସର୍ତ୍ତ ରଖାଯାଇଛି। କିନ୍ତୁ ବାସ୍ତବରେ ଏହା କିଭଳି କାର୍ଯ୍ୟକାରୀ ହେବ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ଡେକୋରେଟିଭ ଷ୍ଟୋନ ଖନନ ପାଇଁ ରେ ନୀଳାଚଳ ଗ୍ରାନାଇଟ ପ୍ରାଇଭେଟ ଲିମିଟେଡ଼କୁ ନରସିଂହପୁର ବ୍ଲକର ସାଗର ଗ୍ରାମର ୪୯ ଏକର ଅଞ୍ଚଳକୁ ପ୍ରଶାସନ ଲିଜ ପାଇଁ ଅନୁମତି ଦେବା ପରେ ଏହାକୁ ନେଇ ଏବେ ବିରୋଧର ସ୍ବର ତୀବ୍ର ହେବାରେ ଲାଗିଛି। ସାଗର ଯୁବ ସଂଗଠନ ଓ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଡେକୋରେଟିଭ ଷ୍ଟୋନ ଖନନ ପାଇଁ ଲିଜ ଦେବାକୁ ୨୦୧୫ରୁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରି ଆସୁଛନ୍ତି। ବିଭିନ୍ନ କାରଣରୁ ଏହା ଅଟକି ରହିଥିବା ବେଳେ ୫ ବର୍ଷ ପରେ ଏଭଳି ସର୍ତ୍ତମୂଳକ ଅନୁମତିର ଯଥାର୍ଥତାକୁ ନେଇ ପ୍ରଶ୍ନ ଉଠିବା ସହିତ ତୁରନ୍ତ ଏହାକୁ ବାତିଲ କରିବାକୁ ଦାବି ଜୋର ଧରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/hatibasin-hill.png)