ଘରୋଇ ସଂସ୍ଥାକୁ ଟେକିଦେଲେ ହାତୀବାସିନୀ ପାହାଡ଼

ଡେକୋରେଟିଭ ଷ୍ଟୋନ ଖନନ ପାଇଁ ନୀଳାଚଳ ଗ୍ରାନାଇଟକୁ ୪୯ ଏକର ଲିଜ

କଟକ : ବର୍ଷ ବର୍ଷର ଐତିହାସିକ ହାତୀବାସିନୀ ପାହାଡ଼(ଗ୍ରାମ୍ୟ ଜଙ୍ଗଲ)କୁ ଶେଷରେ ଖନନ ପାଇଁ ଘରୋଇ ସଂସ୍ଥାକୁ ଟେକି ଦେଇଛି ପ୍ରଶାସନ। ଡେକୋରେଟିଭ ଷ୍ଟୋନ ଖନନ ନାଁରେ ନୀଳାଚଳ ଗ୍ରାନାଇଟ ପ୍ରାଇଭେଟ ଲିମିଟେଡ଼କୁ ନରସିଂହପୁର ବ୍ଲକର ସାଗର ଗ୍ରାମର ୪୯ ଏକର ଅଞ୍ଚଳକୁ ପ୍ରଶାସନ ଲିଜ ପାଇଁ ଅନୁମତି ଦେବା ପରେ ଏହାକୁ ବିରୋଧ କରିଛନ୍ତି ସାଗର ଯୁବ ସଂଗଠନ ଓ ଗ୍ରାମବାସୀ। ହାତୀଙ୍କ ଚଲାପଥ, ବିଭିନ୍ନ ବନ୍ୟପ୍ରାଣୀଙ୍କ ଆଶ୍ରୟ ସ୍ଥଳ ଓ ଲୋକଙ୍କ ଧାର୍ମିକ ଭାବନା ସହ ଜଡିତ ଐତିହାସିକ ହାତୀବାସିନୀ ପାହାଡ଼କୁ ଖନନ ପାଇଁ କେମିତି ଅନୁମତି ମିଳିଲା ବୋଲି ପ୍ରଶ୍ନ ଉଠାଇଛନ୍ତି।

କଟକ ଜିଲ୍ଲାର ନରସିଂହପୁର ତହସିଲର ସାଗର ଗ୍ରାମରେ ରହିଛି ଐତିହାସିକ ହାତୀବାସିନୀ ପାହାଡ଼(ଗ୍ରାମ୍ୟ ଜଙ୍ଗଲ)। ପାହାଡ଼ର ୪୯ ଏକର ଅଞ୍ଚଳକୁ ଡେକୋରେଟିଭ ଷ୍ଟୋନ ଖନନ ନାଁରେ ଲିଜ ଦେବାପାଇଁ ୨୦୧୫ରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତାହାକୁ ଗ୍ରାମବାସୀ ବିରୋଧ କରିବା ସହ ବନବିଭାଗ ମଧ୍ୟ ଖନନ ପାଇଁ ଅନୁମତି ଦେଇ ନଥିଲେ। ଫଳରେ ଏଥିପାଇଁ ଲିଜ ଦେଇ ପାରୁନଥିଲା ପ୍ରଶାସନ। ତେବେ ଚଳିତ ମାସ ୭ ତାରିଖ ଦିନ ଅତିରିକ୍ତ ଜିଲ୍ଲାପାଳ, ନରସିଂହପୁର ତହସିଲଦାର, ଖଣି ବିଭାଗ ଅଧିକାରୀ ଓ ନୀଳାଚଳ ଗ୍ରାନାଇଟର କର୍ମକର୍ତ୍ତା ପାହାଡ଼ ଅଂଚଳ ପରିଦର୍ଶନ କରିବା ପରେ ଲିଜ୍‌ ଦିଆଯିବା ଜଣାପଡିଥିଲା। ଯାହାକୁ ନେଇ ସାଗର ଯୁବ ସଂଗଠନ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ସହିତ ଲିଜ ତୁରନ୍ତ ବାତିଲ କରିବା ପାଇଁ ଦାବି କରିଛନ୍ତି।

ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଐତିହାସିକ ହାତୀବାସିନୀ ପାହାଡ଼(ଗ୍ରାମ୍ୟ ଜଙ୍ଗଲ) ଜଙ୍ଗଲ ବିଭାଗର ଅଧିନିୟମକୁ ଉଲ୍ଲଂଘନ କରାଯାଇ ପଥର ଖନନ ପାଇଁ ଅନୁମତି ଦିଆଯାଇଛି। ଏହାର ପାଦଦେଶରେ ୫୦ରୁ ଅଧିକ ପାହାଡ଼ ରହିଛି। ଏହି ଗ୍ରାମ୍ୟ ଜଙ୍ଗଲକୁ ବର୍ଷ ବର୍ଷ ହେଲା ରକ୍ଷଣାବେକ୍ଷଣ କରୁଛନ୍ତି। ଧାର୍ମିକ ପେଣ୍ଠସ୍ଥଳ ସହ ଏହା ଏକ ପିକନିକ ସ୍ପଟ ଭାବେ ପରିଗଣିତ। ରାଜତନ୍ତ୍ର ସମୟରୁ ଏଠାରେ ଅବଧୂତ ଆଶ୍ରମ ରହିଛି, ଯେଉଁଠି ଅହରହ ଧୁନି ଜଳୁଛି। ପଥର ଖନନ ପାଇଁ ଅନୁମତି ଦେଲେ ଏକର ଏକର ଚାଷ ଜମି ପ୍ରଭାବିତ ହେବା ସହ ଅଞ୍ଚଳ ପ୍ରଦୂଷିତ ହେବ। ଏଥିସହିତ, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ନିକଟରେ ଥିବା ଏହି ପାହାଡ଼କୁ କିପରି ଲିଜ ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠାଇବା ସହ ପ୍ରଶାସନ ଓ ବନ ବିଭାଗ ଉପରକୁ ଆଙ୍ଗୁଠି ଉଠେଇଛନ୍ତି ଅଞ୍ଚଳବାସୀ।

ଅନ୍ୟପଟେ ନରସିଂହପୁର ତହସିଲଦାର ଆକାଶ ରଞ୍ଜନ ସାହୁ କହିଛନ୍ତି ଯେ ଆଇନ ଅନୁଯାୟୀ ଲିଜ ଦିଆଯାଇଛି। ଏଥିପାଇଁ ସବୁ ବିଭାଗର ଅନୁମତି ରହିଛି।

ସମ୍ବନ୍ଧିତ ଖବର