ଗୌରବ ଆଣିଲା ହାତୀଓଟ ଆଦର୍ଶ ବିଦ୍ୟାଳୟ

ଦେଶର ଶ୍ରେଷ୍ଠ ୧୦ ତାଲିକାରେ ସ୍ଥାନ ବଜାୟ, ରାଜ୍ୟ ପାଇଁ ଏହା ଗୌରବର ବିଷୟ: ମୁଖ୍ୟମନ୍ତ୍ରୀ

ପୋଲସରା : ଦେଶର ଶ୍ରେଷ୍ଠ ୧୦ଟି ବିଦ୍ୟାଳୟ (ସରକାରୀ ଡେ ସ୍କୁଲ୍) ତାଲିକାରେ ସ୍ଥାନ ପାଇଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅଧୀନ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ଓଡ଼ିଶାର ଏକମାତ୍ର ବିଦ୍ୟାଳୟ ଭାବେ ଏହି ଅନୁଷ୍ଠାନକୁ ସ୍ଥାନ ମିଳିବାପରେ ସାରା ଗଞ୍ଜାମ ଜିଲ୍ଲାରେ ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ‌ା କୁଲାଙ୍ଗେ ଟ୍ବିଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟ ପାଇଁ ଏହା ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗତବର୍ଷ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଦେଶର ଶ୍ରେଷ୍ଠ ୧୦ ବିଦ୍ୟାଳୟ ମଧ୍ୟରେ ୫ମ ସ୍ଥାନ ମିଳିଥିବାବେଳେ ଚଳିତବର୍ଷ ୧୦ମ ସ୍ଥାନ ମିଳିଛି। ଦେଶର ଶ୍ରେଷ୍ଠ ୧୦ଟି ସରକାରୀ ସ୍କୁଲ୍‌ର ରୢାଙ୍କିଂ ପାଇଁ କେନ୍ଦ୍ର ସରକାର ବିଭିନ୍ନ ସୂଚକାଙ୍କ ନିର୍ଦ୍ଧାରଣ କରିଥିଲେ। ଏଥିଲାଗି ସମୁଦାୟ ୧୫୦୦ ମାର୍କ ଥିବାବେଳେ ହାତୀଓଟ ଆଦର୍ଶ ବିଦ୍ୟାଳୟକୁ ୧୦୯୧ ନମ୍ବର ମିଳିଛି। ଦିଲ୍ଲୀର ରାଜକୀୟ ପ୍ରତିଭା ବିକାଶ ବିଦ୍ୟାଳୟ ସର୍ବାଧିକ ୧୧୭୧ ନମ୍ବର ସହ ପ୍ରଥମ ସ୍ଥାନରେ ରହିଛି। ସେହିପରି ଅନ୍ୟ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଦିଲ୍ଲୀର ୩, ମୁମ୍ବାଇର ୩, ଚେନ୍ନାଇ, ଥିରୁଅନନ୍ତପୁରମ୍, କୋଝିକୋଡ଼େ, କୋଚି ଏବଂ ଚଣ୍ଡିଗଡ଼ ଗୋଟିଏ ଲେଖାଏଁ ବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଛି।

ପୋଲସରା ସହର ଠାରୁ ୭ କିମି ଦୂର ହାତୀଓଟରେ ୨୦୧୬ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏଠାରେ ଷଷ୍ଠ ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନ ୫୧୮ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଚଳିତବର୍ଷ ଏହି ବିଦ୍ୟାଳୟର ରୂପାନ୍ତରିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ।

ଏହି ଅବସରରେ ଅଧ୍ୟକ୍ଷା ସ୍ମିତା ନାୟକ କହିଛନ୍ତି, ଗତ ତିନି ବର୍ଷ ହେଲା ଦଶମ ଶ୍ରେଣୀ ପରୀକ୍ଷାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସୁଛନ୍ତି। ୨୦୧୯ରେ ଏହି ବିଦ୍ୟାଳୟ ରାଜ୍ୟ ଟପର୍ ତାଲିକାରେ ଦ୍ବିତୀୟ ଓ ୨୦୨୦ରେ ରାଜ୍ୟ ଟପର୍ ତାଲିକାରେ ଚତୁର୍ଥ ସ୍ଥାନ ରଖିଥିଲା। ଚଳିତବର୍ଷ ବିଦ୍ୟାଳୟର ସ୍ବୟଂସିଦ୍ଧା ଦଳରା ୯୭.୬ ପ୍ରତିଶତ ନମ୍ବର ରଖି ରାଜ୍ୟର ଅଗ୍ରଣୀ ତାଲିକାରେ ସ୍ଥାନ ପାଇଛନ୍ତି।

ବିଧାୟକ ଶ୍ରୀକାନ୍ତ ସାହୁ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାନସସନ୍ତାନ ହେଉଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇପାରିଛି। ଲଗାତାର ୨ୟ ଥର ସଫଳତା ପାଇବା ଆମ ପାଇଁ ଗୌରବର ବିଷୟ। ବିଦ୍ୟାଳୟରେ ଯାହା ସମସ୍ୟା ରହିଛି ତାହା ଆଗାମୀ ଦିନରେ ପୂରଣ କରାଯିବ।

ସମ୍ବନ୍ଧିତ ଖବର