ରାୟଗଡା: ରାୟଗଡା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଓ ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର ଜିଲ୍ଲା। ଏହି ଜିଲ୍ଲା ପ୍ରାକୃତିକ ପରିବେଶ ସାଂଗକୁ ଖଣିଜ ପଦାର୍ଥରେ ଭରି ରହିଥିବା ଜିଲ୍ଲା ଭାବେ ଓଡିଶା ସମେତ ସାରା ଭାରତରେ ଏକ ପରିଚୟ ସୃଷ୍ଟି କରିଛି। ଗତ ଦୁଇ ଦଶନ୍ଧି ତଳେ ଯଦି ରାୟଗଡା କଥା ଚର୍ଚ୍ଚା ହୁଏ ତେବେ ହାତୀପଥର କଥା ନିଶ୍ଚିତ ଚର୍ଚ୍ଚାର ପରିଧି ଭିତରେ ରହେ। ପ୍ରତିବର୍ଷ ଅକ୍ଟୋବର ମାସଠାରୁ ଫେବ୍ରୁଆରି ମଧ୍ୟରେ ହାତୀପଥର ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ ଦେଖାଯାଏ । ଏହି ସମୟରେ ଶୀତ ପଡୁଥିବାରୁ ଲୋକେ ଭୋଜିଭାତ ସହ ଶୀତର ମଜା ଉଠାଇବା ପାଇଁ ପର୍ଯ୍ୟଟନ ସ୍ଥଳୀଗୁଡିକ ଭ୍ରମଣ କରନ୍ତି।
ରାୟଗଡାଠାରୁ ମାତ୍ର ୩ କିଲୋମିଟର ଦୂରରେ ଏହି ହାତୀପଥର ପର୍ଯ୍ୟଟନ ସ୍ଥଳୀ ରହିଛି। ଆଜିର ପିଢିକୁ ହାତୀପଥର ସଂପର୍କରେ ପଚାରିଲେ ଏହା କଣ ବୋଲି ପଚାରିବେ। କେହି ମଧ୍ୟ ଏହି ପର୍ଯ୍ୟଟନ ସ୍ଥଳୀ ସଂପର୍କରେ ପିଲାଙ୍କୁ କୌଣସି ସୂଚନା ପ୍ରଦାନ କରିନଥିବେ। କାରଣ ଗତ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ହେଲା ଏହି ପର୍ଯ୍ୟଟନ ସ୍ଥଳୀ ନିଖୋଜ ହୋଇଯାଇଛି। ଏହି ସ୍ଥାନଟିରେ ଥିବା ଜଳପ୍ରପାତ ସହ ଘଂଜ ଜଂଗଲ ପର୍ଯ୍ୟଟକଙ୍କ ମନ ମୋହୁଥିଲା। ଏଠାରେ ଦୁଇଟି ବିଶାଳ ଜଳପ୍ରପାତ ନାଗାବଳୀ ନଦୀ ଉପରେ ପଡୁଥିଲା। ଦୁଇଟି ବିଶାଳକାୟ ପଥର ହାତୀର ଭ୍ରମ ସୃଷ୍ଟି କରୁଥିଲା। ପରିବାର ସହ ସମୟ ବିତାଇବା ପାଇଁ ଏହା ଏକ ଉକୃଷ୍ଟ ସ୍ଥାନ ଥିଲା। ବଣଭୋଜ କଥା ଉଠିଲେ ପ୍ରଥମେ ହାତୀପଥର କଥା ମନେ ପଡୁଥିଲା।
/sambad/media/post_attachments/wp-content/uploads/2023/11/Rgda-Hati-Pathar-tourist-place-1.jpg)
ତେବେ ଗତ ଦୁଇ ଦଶନ୍ଧି ପୂର୍ବରୁ ଏଠାରେ ଏକ ୧୦ ମେଗାୱାଟର ବିଦ୍ୟୁତ ପାୱାର ପ୍ରୋଜେକ୍ଟ ନିର୍ମାଣ ନେଇ ଯୋଜନା ହେବା ପରେ ନାଗାବଳୀ ନଦୀର ଧାରକୁ ବଦଳାଇ ଦିଆଯାଇଥିଲା। ୨୦୦୬ ଜୁଲାଇ ବେଳକୁ ପ୍ରବଳ ବର୍ଷା ଯୋଗୁଁ ନାଗାବଳୀ ନଦୀର ଧାର ସଂପୂର୍ଣ୍ଣ ବଦଳିବା ଯୋଗୁଁ ଏହା ୧୦୦ ଫୁଟ ଉପରେ ରହିଗଲା। ହତୀପଥର ସ୍ଥାନଟି ସଂପୂର୍ଣ୍ଣ ନଷ୍ଟ ହୋଇଗଲା। ଏବେ ଏହି ସ୍ଥାନରେ ଜଂଗଲ ସୃଷ୍ଟି ହୋଇ ଏହା ଏକ ପ୍ରକାର ଅଦୃଶ୍ୟ ହୋଇଯାଇଛି। ପୁଣି ଅସାମାଜିକ ବ୍ୟକ୍ତିଙ୍କ ଅଡ୍ଡାସ୍ଥଳୀ ପାଲଟିଯିବାରୁ ଲୋକେ ଆଉ ଏହାକୁ ଭୁଲି ଯିବାକୁ ବସିଲେଣି। ସରକାରଙ୍କ ତରଫରୁ ପର୍ଯ୍ୟଟନସ୍ଥଳୀଗୁଡିକର ପୁନଃଉଦ୍ଧାର ନେଇ ଲକ୍ଷଧିକ ଟଂକା ଖର୍ଚ୍ଚ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ କିପରି ଏହି ପର୍ଯ୍ୟଟନ ସ୍ଥଳୀ ବିଷୟରେ ଭୁଲିଗଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ସ୍ଥାନୀୟ ନେତା କିମ୍ବା ବୁଦ୍ଧିଜୀବୀ ଏନେଇ କୌଣସି ଆଲୋଚନା କିମ୍ବା ଦାବି ଉପସ୍ଥାପନା ନକରିବା ଏକ ପର୍ଯ୍ୟଟନ ସ୍ଥଳୀକୁ ନିଖୋଜ କରିବାରେ ସହଯୋଗ କରିଛି। ତେବେ ଏହାର ପୁନଃଉଦ୍ଧାର ହୋଇପାରିବ କି ନାହିଁ, ତାହାକୁ ନେଇ ଏବ୍ ପ୍ରଶ୍ନ ଉଠିଛି। ଆଜିର ପିଲା ଏହି ହାତୀପଥର ପର୍ଯ୍ୟଟନ ସ୍ଥଳୀ ସଂପର୍କରେ ପଚାରିଲେ ଇତିହାସ ହୋଇଯାଇଥିବା କୁହାଯାଉଛି। ପର୍ଯ୍ୟଟନ ବିଭାଗ ଏବଂ ସରକାରଙ୍କର ଏଥିପ୍ରତି ନିଘା ନଥିବା ସାଧାରଣରେ ଆଲୋଚନାକୁ ଆହୁରି ବଢାଇ ଦେଇଛି। ଏହା କେବେ ଉଦ୍ଧାର ହେଉଛି ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/Rgda-Hati-Pathar-tourist-place-2.jpg)